Odisha news

ବାମନଘାଟୀ ଉପଖଣ୍ଡର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବାମନଘାଟୀ ପ୍ରେସ କ୍ଲବ ଗଠିତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଅଂଚଳର ବିଭିନ୍ନ ସମସ୍ୟା ଏବଂ ସ୍ୱରକୁ ନେଇ ରାଇରଙ୍ଗପୁରର ପୂର୍ଣଚନ୍ଦ୍ର ଭବନ ପରିସରରେ ବିଭିନ୍ନ ବ୍ଳକ ଏବଂ ସହରାଞ୍ଚଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ବାମନଘାଟୀ ପ୍ରେସ କ୍ଲବ ଗଠନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁରର ବରିଷ୍ଠ ନାଗରିକ ସଂଘର ସଭାପତି ରସାନନ୍ଦ ଲେଙ୍କା ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାର୍ଥସାରଥି କବି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭଉଦ୍ଘାଟନ କରିଥିଲେ । ଏହି ସଭାରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ବିଶ୍ୱାଳ ସଭାପତିତ୍ୱ କରିବା ସହ ଏହି ବୈଠକ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ସାମ୍ବାଦିକ ମେଘନାଦ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଗଣମାଧ୍ୟମକୁ ମୁଖ୍ୟଅତିଥି ରସାନନ୍ଦ ଲେଙ୍କା ଆଶୀର୍ବାଦ ଦେବା ସହ ବାମନଘାଟୀ ପ୍ରେସ କ୍ଳବ୍ ଅବହେଳିତ, ଅଣଦେଖା, ଅସହାୟ, ପିଡିତ, ଦୁର୍ବଳା, ଖଟିଖିଆ, ଶ୍ରମିକ ମାନଙ୍କର ସ୍ୱର ହେଉ ଏବଂ ଭୟ ନକରି ସତ୍ୟ ଖବର ପରିବେଷଣ କରିବା ପାଇଁ କହିଥିଲେ । ପରେ ବିଭିନ୍ନ ଅଂଚଳର ସାମ୍ବାଦିକ ମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ଆଲୋକପାତ କରିଥିଲେ । ପରେ ସମସ୍ତଙ୍କ ମଧ୍ୟରେ ସର୍ବସମ୍ମତି କ୍ରମେ ବାମନଘାଟୀ ପ୍ରେସ କ୍ଳବ୍ ସହ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା । ସଭାପତି ଭାବେ ମନୋରଞ୍ଚନ ତିରିଆ, ସମ୍ପାଦକ ପ୍ରଭାସ ଦାସ, ଉପସଭାପତି ସୁବାଷ ପାତ୍ର, ସହସମ୍ପାଦକ ବିନୟ ଗିରି, କୋଷାଧ୍ୟକ୍ଷ ସତ୍ୟରଞ୍ଚନ ପାଲ, ସାଂଗଠନିକ ସମ୍ପାଦକ ଜ୍ୟୋତିରଂଜନ ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରାଜେନ୍ଦ୍ର ମହାନ୍ତ(ତିରିଂ), ଶଙ୍କର ମହାନ୍ତ(ବହଳଦା), ତ୍ରିଲୋଚନ ମହାନ୍ତ(ଯାମଦା), ଦୟାନିଧି ମହାକୁଡ଼(ରାଇରଙ୍ଗପୁର),ଧୀରେ ସାହୁ(ବିଜାତଳା),ସୁଜିତ କୁମାର ଶତପଥୀ(କୁସୁମି),ଅମିତ କୁମାର ଦାସ(ବିଶୋଇ) ଏବଂ ମେଘନାଦ ହେମ୍ବ୍ରମ ରାଇରଙ୍ଗପୁର ମୁ୍ୟନିସିପାଲଟି ପାଇଁ ମନୋନୀତ ହୋଇଛନ୍ତି । ସମସ୍ତଙ୍କୁ ବାମନଘାଟୀ ପ୍ରେସ କ୍ଲବ୍ ସଦସ୍ୟବୃନ୍ଦ ନୂତନ କମିଟିର କର୍ମକର୍ତ୍ତାମାନଙ୍କୁ ଫୁଲତୋଡା ଓ ଫୁଲମାଳ ଦେଇ ଶୁଭେଚ୍ଛା ଜଣାଇଥିଲେ । ସମସ୍ତେ ସଂଗଠନକୁ ସୁଦୃଢ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ସେକ୍ ଅନୱାର ହୁସେନ କାର୍ଯ୍ୟକ୍ରମକୁ ସଫଳ କରାଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଦୀପକ ବେହେରା, ରୂପକ ମହାନ୍ତି, ଜୀତେନ୍ଦ୍ର ଅଗ୍ରୱାଲ, ଚନ୍ଦ୍ରମୋହନ ଓ ବିବେକାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । ନବ ନିର୍ବାଚିତ ସଭାପତି ମନୋରଞ୍ଜନ ତିରିଆ ଏବଂ ସଂପାଦକ ପ୍ରଭାସ ଦାସ ସେମାନଙ୍କୁ ଗୁରୁଦାୟିତ୍ୱ ଦେଇଥିବାରୁ ସମସ୍ତ ସାମ୍ବାଦିକଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀଦିନରେ ତାଙ୍କର ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବା ସହ ସଂଗଠନକୁ ଆଗକୁ ବଢ଼ାଇବାରେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।

Nalco
Leave A Reply