Odisha news

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ

0

ନୂଆଦିଲ୍ଲୀ: ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ ମାରାତ୍ମକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କୁ ମିଶାଇ ହ୍ୱାଇଟ ହାଉସରେ ସମୁଦାୟ ୩ ଜଣ କର୍ମଚାରୀ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ହେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିବା ଏହି କର୍ମଚାରୀଜଣକ କିଛି ସପ୍ତାହ ହେବ ଅଫିସ ଆସୁ ନଥିଲେ ବୋଲି ସିଏନ୍ଏନ୍ ରିପୋର୍ଟ କରିଛି।

ମିଳିଥିବା ସୂଚନା ମୁତାବକ, ବ୍ୟକ୍ତିଗତ ସହାୟିକା ଜଣକ ପ୍ରାୟ ଦୁଇମାସ ଧରି ଘରୁ କାମ କରୁଥିଲେ | କୌଣସି ଲକ୍ଷଣ ନ ଥାଇ ମଧ୍ୟ ସେ ନିଜ କୋଭିଡ-୧୯ ପରୀକ୍ଷା କରାଇବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି | ସେହିଭଳି ଗତକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ସହାୟକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ଟ୍ରମ୍ପ ପ୍ରତିଦିନ ନିଜର କୋଭିଡ -୧୯ ପରୀକ୍ଷା କରାଇବେ ବୋଲି କହିଥିଲେ। ସେ କହିଥିଲେ, ଉପରାଷ୍ଟ୍ରପତି ଏବଂ ହ୍ୱାଇଟ ହାଉସର ଅନ୍ୟ କର୍ମଚାରୀମାନେ ପ୍ରତିଦିନ କରୋନାଭାଇରସ ପରୀକ୍ଷା କରିବେ। ମୋର ଗତକାଲି ଏବଂ ଆଜି ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି | ଉପରାଷ୍ଟ୍ରପତି ମାଇକଙ୍କର କେବଳ ଥରେ ପରୀକ୍ଷା କରାଯାଇଥିଲା ଏବଂ ତାହା ନେଗେଟିଭ ଆସିଛି | ଆମେ ଆଗରୁ ସପ୍ତାହରେ ଥରେ ପରୀକ୍ଷା କରୁ | କିନ୍ତୁ ଏବେ ଆମେ ଦିନକୁ ଥରେ ପରୀକ୍ଷା କରିବାକୁ ଯାଉଛୁ | ଦିନରେ ଥରେ ପରୀକ୍ଷା କରିବା ଦ୍ୱାରା କିଏ କେତେବେଳେ କରୋନା ଆକ୍ରାନ୍ତ ହେଉଛି, ତାହା ସଙ୍ଗେ ସଙ୍ଗେ ଜଣା ପଡ଼ିଯିବ ବୋଲି ସେ କହିଥିଲେ |

Leave A Reply