ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ମହାନତା : ରାସ୍ତାକଡ଼ରେ ତାଙ୍କର ସ୍ବାଗତ ପାଇଁ ଆସିଥିବା ଲୋକଙ୍କୁ ଗାଡ଼ିରୁ ଓହ୍ଲାଇ ଭେଟିଲେ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ମହାନତା ଦେଖାଇଛନ୍ତି। ଓଡ଼ିଶାବାସୀଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି ପ୍ରମାଣିତ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଯେତେବେଳେ କାର୍କେଡ୍ରେ ରାଜଭବନ ଅଭିମୁଖେ ବାହାରିଥିଲେ ସେହି ସମୟରେ ରାସ୍ତାକଡ଼ରେ ତାଙ୍କର ସ୍ବାଗତ ପାଇଁ ଆସିଥିବା ଲୋକଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଗାଡ଼ିରୁ ଓହ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଯାଇଥିଲେ, ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ଅନ୍ୟପଟରେ ମହାମହିମଙ୍କ ସ୍ୱାଗତ ପାଇଁ କିଏ କେତେ ପ୍ରକାରର କାର୍ଯ୍ୟକ୍ରମ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ଆଜି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଂକୀର୍ତ୍ତନ ଦଳ ସହ ମହାମହିମଙ୍କୁ ସ୍ୱାଗତ କରାଯାଇଥିଲା। ପୁଣି ରାଷ୍ଟ୍ରପତି ମୁର୍ମୁଙ୍କ ଫଟୋ ସହ ହାତରେ ତ୍ରିରଙ୍ଗାଧରି ତାଙ୍କୁ ଭୁବନେଶ୍ବରବାସୀ ସ୍ୱାଗତ ଜଣାଇଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ ଜଣାଇଥିଲେ। ଏହା ପରେ ସେ ବିମାନବନ୍ଦରରୁ ସିଧାସଳଖ ରାଜଭବନକୁ ଯାଇଥିଲେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ରାଷ୍ଟ୍ରପତି ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ। ୨୬ତାରିଖ ସକାଳେ ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ। ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ। ଏହାପରେ ୨୭ତାରିଖରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଭୁବନେଶ୍ବରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ। ୨୭ତାରିଖ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ଜୁଲାଇ ୨୬ ଓ ୨୭ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ
– ଆସନ୍ତାକାଲି ସକାଳ ସାଢେ ୮ଟାରେ କଟକ ଅଭିମୁଖେ ବାହାରିବେ
– ୯ଟା ୨୦ ମିନିଟ୍ରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚିବେ
– ୯ଟା ୩୦ରୁ ୯ଟା ୪୫ ଯାଏଁ ମା’ଙ୍କ ଦର୍ଶନ କରିବେ
– ୧୦ଟା ୧୫ରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଂଚିବେ
– ୧୦ଟା ୪୫ ମିନିଟ୍ ସୁଦ୍ଧା ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ ପହଂଚିବେ
– ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
– ମଧ୍ୟାହ୍ନ ୧୨ଟାରେ ଇନ୍ଡୋର ଷ୍ଟାଡିୟମ୍ରୁ ବାହାରି ମ୍ୟୁଜିଅମ୍ ଅଫ୍ ଜଷ୍ଟିସ୍ ଯିବେ
– ମଧ୍ୟାହ୍ନ ୧୨ଟା ୩୫ରେ ହାଇକୋର୍ଟରେ ପହଂଚିବେ
– ୩ଟା ୩ଟା ୪୫, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗଦେବେ
– ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ
– ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନରେ ପହଂଚି ରାତ୍ରୀଯାପନ କରିବେ
– ଗୁରୁବାର ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ
– ୧୦ଟା ୩୫ରେ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ
– ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ
