Odisha news

ପ୍ରଣାମର ମହତ୍ତ୍ୱ

ବଡ଼ ଗୁରୁଜନଙ୍କୁ ସମ୍ନାନ ଆଉ ସାନ ମାନଙ୍କୁ ସ୍ନେହ ଏ ପରମ୍ପରା ଅନେକ କାଳରୁ ଆମ ସଂସ୍କୃତିରେ ବଳବତ୍ତର ରହିଛି। ଘରେ ହେଉ ବା ବାହାରେ ସଭିଙ୍କୁ ସମ୍ମାନ ଦେବା ଆଉ ଶୁଭେଚ୍ଛା ଜ୍ଞାପନ କରିବା ଆମେ ବାଲ୍ୟକାଳରୁ ଶିଖି ଆସିଛୁ। ଅନ୍ୟକୁ ସମ୍ମାନ ଦେବାକୁ ଆମକୁ କେହି ବାଧ୍ୟ କରନ୍ତିନି କି କାହାରି ଆଜ୍ଞାକୁ ଅପେକ୍ଷା। ପ୍ରଣାମ ବା ନମସ୍କାର ପଦଟି ସ୍ବତପ୍ରବୃତ୍ତ ଭାବରେ ହୃଦୟରୁ ଅଙ୍କୁରିତ ହୋଇ ମୁଖ ପର୍ଯ୍ୟନ୍ତ ଛୁଟିଆସେ। ବାଲ୍ୟକାଳରୁ ଶିଶୁଟିଏ ଘର ପରିବାରରୁ ସଂସ୍କାର, ରୀତିନୀତି ନିୟମ ଶିକ୍ଷା ଲାଭ କରେ ଯାହା ଅଗାମୀ ଭବିଷ୍ୟତ ନିର୍ମାଣରେ ହିତକର ସାବ୍ୟସ୍ତ ହୁଏ। ଆମ ଓଡ଼ିଆ ଘରେ ସମ୍ମାନ ଦେବାର ତରିକା ଟିକେ ନିଆରା ଆମେ ପ୍ରଣାମ ବ୍ୟତୀତ ଓଳିକି, ଦଣ୍ଡବତ, ଜୁହାର  ଆଦି ଶବ୍ଦ ସମ୍ମାନ ଉଦେଶ୍ୟରେ ବ୍ୟବହାର କରିଥାଉ। କେହି କେହି ଈଶ୍ୱରଙ୍କ ନାମ ଉଚ୍ଚାରଣ କରି ସ୍ୱାଗତ କରିଥାନ୍ତି।

ଜୋଡହସ୍ତରେ ପ୍ରଣାମ କରିବା ଭାରତର ଏକ ପ୍ରାଚୀନ ପରମ୍ପରା। ଭାରତ ପରି ଚୀନ, ନେପାଳ ଇଣ୍ଡୋନେସିଆ ରେ ବି ସାଷ୍ଟାଙ୍ଗ ପ୍ରଣାମ(ଭୂମିରେ ଲୋଟିପଡି) ପ୍ରଚଳିତ ରହିଛି। ସଭାମଞ୍ଚରେ ବକ୍ତା ଜଣଙ୍କ ଉପସ୍ଥିତ ଦର୍ଶକବୃନ୍ଦଙ୍କୁ ପ୍ରଣାମ ଜଣାଇ ନିଜ ବକ୍ତବ୍ୟ ରଖନ୍ତି। ଚିଠି କିମ୍ବା ଦରଖାସ୍ତରେ ନମସ୍କାର ଲେଖାଯାଏ। ଅନେକ ଫୋନରେ ହାଲୋ ପରିବର୍ତ୍ତେ ପ୍ରଣାମ କିମ୍ବା ନମସ୍କାର କହିବାକୁ ପସନ୍ଦ କରନ୍ତି। ସମ୍ପର୍କ ରଜ୍ଜୁକୁ ମଜବୁତ କରି ଗଢିତୋଳିବାକୁ ହେଲେ ପରସ୍ପର ପ୍ରତି ସ୍ନେହଶ୍ରଦ୍ଧା ଓ ଆଦର ସମ୍ନାନ ନିତ୍ୟାନ୍ତ ଜରୁରୀ।  ପ୍ରଣାମ ବା ନମସ୍କାର ଅର୍ପଣ ସମୟରେ ମନରେ ସାମାନ୍ୟତମ ସଙ୍କୋଚ ରଖିବା ଅନୁଚିତ। ଅନ୍ୟ ପାଇଁ ଗଭୀର ଭକ୍ତିଭାଵ, ଆଦର ସମ୍ନାନ ରଖିଲେ ତୁମ ପ୍ରତି ବି ଅନ୍ୟ ମାନଙ୍କର ସମପରିମାଣର ଆଶା ବିଶ୍ୱାସ ବୃଦ୍ଧି ହେବ ତା ସହିତ ଅଜସ୍ର ଶୁଭ କାମନାର ବାର୍ତ୍ତା ଛୁଟିଆସିବ ନିଜ ସପକ୍ଷରେ। ମୁଖମଣ୍ଡଳରେ ଉତ୍ସାହପୂର୍ଣ୍ଣ, ହୃଦୟରେ ଗଭୀର ଭକ୍ତିଭାଵ ଥିଲେ ଅଭିବାଦନ ଜଣାଇବା ନିଶ୍ଚୟ ସାର୍ଥକ ହେବ। ପ୍ରଣାମ ଶବ୍ଦଟି ପ୍ରଣତି ଶବ୍ଦର ଅଂଶ। ଯାହାର ଅର୍ଥ ନମ୍ର ବା ବିନୟ ଭାବ ପ୍ରଦର୍ଶନ କରିବା। ଅନ୍ୟର ହୃଦୟକୁ ଜିଣିବାର ଏହା ଅତି ସୁନ୍ଦର ଓ ସହଜ କଳା। ବଡ଼ ଗୁରୁଜନ ବିଜ୍ଞ ତଥା ଜ୍ଞାନୀମାନଙ୍କୁ ପ୍ରଣାମ କରିବା କନିଷ୍ଠ ମାନଙ୍କର ପ୍ରଥମ ଦାଇତ୍ୱ ଓ କର୍ତ୍ତବ୍ୟ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ ଜୀବନରେ ନିଶ୍ଚିତ ସଫଳତା ମିଳେ ଓ ଆସନ୍ନ ବାଧାବିଘ୍ନ ଟଳି ଯାଏ।

ସମୟ ବଦଳିବା ସହିତ ଅଜି ପ୍ରଣାମର ତରିକା ବି ବଦଳିଛି। କେହି କେହି ସାମାନ୍ୟ ମୁଣ୍ଡ ନୁଆଁଇ ଡାହାଣ ହାତକୁ ଛାତିରେ ସ୍ପର୍ଶ କରନ୍ତି ତ କେହି ପୁଣି ଡାହାଣ ହାତକୁ ମଥାରେ ଛୁଅନ୍ତି। ଚରଣସ୍ପର୍ଶ କରି ଆଶୀର୍ବାଦ ଗ୍ରହଣ କରିବା ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଆଧୁନିକ ମଣିଷର ମନ ମସ୍ତିଷ୍କ ଇର୍ଷା ଅହଙ୍କାରରେ ପରିପୂର୍ଣ୍ଣ। ଯେଉଁ କାରଣରୁ ପରସ୍ପର ପ୍ରତି ଥିବ ଦାଇତ୍ୱ କର୍ତବ୍ୟ ବିଷୟରେ ସମ୍ପୂର୍ଣ୍ଣ ଧ୍ୟାନ ହଟେଇ ଦେଇଛି। ସ୍ଥାନ କାଳ ବିଶେଷରେ ମଣିଷ ନିଜକୁ ସର୍ବଶ୍ରେଷ୍ଠ ବୋଲି ବିଚାରି ନେଉଛି। ପରସ୍ପର ସହିତ ଭାବ ବିଚାର ଆଦାନ ପ୍ରଦାନ କେବଳ ନାମ ମାତ୍ର। ରାତି ଦିନ ପରି ସମ୍ପର୍କ ଏଠି ଗଢ଼ା ହୁଏ ପୁଣି ଭଙ୍ଗା ଯାଏ। ଶୁଭ ପ୍ରଣାମ ଶାନ୍ତି ମୈତ୍ରୀ ଏକ ପ୍ରତୀକ। ପ୍ରଣାମ ପ୍ରତିବଦଳେ କେବଳ ଯେ ଶୁଭ କାମନା ନୁହେଁ ଅଜସ୍ର ଭଲ ପାଇବା ବି ସାଉଁଟି ହୁଏ। ପ୍ରଣାମ ଶବ୍ଦଟି ଭରପୁର ସକାରାତ୍ମକ ଶକ୍ତିର ଏକ ପୁଞ୍ଜି ଯାହାକୁ ସାଉଁଟିବା କେବଳ ନିଜ ଉପରେ ନିର୍ଭର।  ଯେଉଁ ମାନେ ଆଶୀର୍ବାଦ ପାଇବାକୁ ସର୍ବଦା ବ୍ୟାକୁଳ ସେମାନେ ସ୍ଥାନ କାଳ ପାତ୍ର କୁ ବିଚାର ନକରି ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରନ୍ତି। ବଡ଼ ଗୁରୁଜନଙ୍କ ତୁଣ୍ଡରୁ ଯେଉଁ ଶବ୍ଦଟି ଗୁଞ୍ଜରିତ ହୁଏ ତାହା ଆମ ଜୀବନରେ ସତ ପ୍ରତିଶତ କାର୍ଯ୍ୟକାରୀ ହୁଏ।

ଘରୁ ବାହାରିବା ସମୟରେ ବଡ଼ ଗୁରୁଜନଙ୍କ ଚରଣ ଛୁଇଁଲେ ବାଧା ବିଘ୍ନ ସମୂଳେ ନାଶ ହୁଏ। ଚଉଁରା କୁ ମୁଣ୍ଡିଆ ମାରି ଗୃହରୁ ବାହାରିଲେ ଯାତ୍ରା ପଥ ସୁଖଦ ହୁଏ। ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ବାହାରିଲେ ଅଟକି ରହିଥିବା କାମଟି କ୍ଷିପ୍ର ଗତିରେ ଆଗାଏ। ଏମିତି ଅନେକ ପ୍ରଥା ରହିଛି ଯାହା ଆମ ଜୀବନ ଯାତ୍ରାକୁ ସୁଖମୟ କରେ। ପ୍ରାଚୀନ କାଳରୁ ଦଣ୍ଡବତ ବା ପ୍ରଣାମ କରିବାର ବିଧାନ ରହିଛି। ପୂର୍ବ କାଳରେ ଗୁରୁଙ୍କ ଚରଣ ସ୍ପର୍ଶ କରି ଛାତ୍ରମାନେ ଆଶୀର୍ବାଦ ଭିକ୍ଷା କରୁଥିଲେ। ଗୁରୁଙ୍କ ପାଦ ଆଙ୍ଗୁଳି ରେ ଯେଉଁ ଶକ୍ତି ଉତ୍ପନ୍ନ ହୁଏ ତାହା ଶିଷ୍ୟଟି ନିଜ ମସ୍ତକରେ ଧାରଣ କରେ। ପଦିଏ ଶବ୍ଦ ବ୍ୟକ୍ତିର ଚରିତ୍ର ଓ ସଂସ୍କାରକୁ ଦୁନିଆ ଆଗରେ ସ୍ୱତନ୍ତ୍ର କରି ଗଢି ତୋଳେ। ପ୍ରଣାମ ଅର୍ପଣ କରି କେହି ଛୋଟ ହେଇ ଯାଏନି କି ବଡ଼। ଶୁଭ ଶବ୍ଦଟି ସଦାସର୍ବଦା ତୁଣ୍ଡରେ ସାଇତିଲେ ଯଶ ସମ୍ମାନ ବୃଦ୍ଧି ହେବ। ଗୁରୁ ଗୁରୁଜନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ପ୍ରତ୍ୟେକ କଥାକୁ ସାଦରେ ଗ୍ରହଣ କରିବା ଆମର ପ୍ରଥମ ଧର୍ମ ଓ କର୍ତ୍ତବ୍ୟ। ଯେଉଁ ମାନେ ଆମ ଶୁଭଚିନ୍ତକ ଭଲା ତାଙ୍କୁ କଣ ଆମେ ମନରୁ ପାଶୋରି ଦେବା।

Shares