ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା କହିଛନ୍ତି। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ।
କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ନେଇଛନ୍ତି । ଧାନ ବୁଣିବା ଏବଂ ଅମଳ କରିପାରିବେ ଚାଷୀ । ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ବ୍ୟବହାର ହୋଇପାରିବ ପ୍ରଦୀପ ଜେନା କହିଛନ୍ତି ।
ଏହା ସହିତ ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ଖୋଲା ରହିବ, ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ, ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି। ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି।
ଠିକ୍ ସେହିପରି ଲକଡାଉନ ସମୟରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରହିବା ସହିତ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ କାମ ଚାଲୁ ରହିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା। ଲୋକଙ୍କ ପ୍ରସ୍ତାବକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ଠିକ୍ ସେହିପରି ଲକଡାଉନ୍ ସମୟରେ ଢାବା ଓ ରେଷ୍ଟୁରାଣ୍ଟ ଚାଲୁ ରହିବ। ଲୋକେ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରୁ ଖାଦ୍ୟ ମଗାଇପାରିବେ, ହେଲେ ସେଠି ବସି ଖାଇପାରିବେ ନାହିଁ ସବୁଠି ସାମାଜିକ ଦୂରତା ରକ୍ଷା କରାଯିବ ଓ ଏଥିରେ ବୁଝାମଣା କରାଯିବ ନାହିଁ ବୋଲି ସେ କହିଛନ୍ତି।
ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣରେ ବାଧା ରହିବ ନାହିଁ । କୋହଳ ହୋଇଥିବା ସବୁ କ୍ଷେତ୍ରରେ ମାଲ ପରିବହନ ପାଇଁ ଅନୁମତି ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଜଡ଼ିତ ମରାମତି କାମ ହେବ, ବନୀକରଣ କାର୍ଯ୍ୟର ରକ୍ଷଣାବେକ୍ଷଣ କରାଯାଇପାରିବ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କାର୍ଯ୍ୟ କରିପାରିବେ। ଜିଲ୍ଲାପାଳ ନିଜର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ବୋଲି ବୋଲି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ – ଇ-କମର୍ସ, ଅନଲାଇନ ପ୍ଲାଟଫର୍ମରେ ଲୋକଙ୍କୁ ସେବା ମିଳିବ। ତେବେ ରାଜଧାନୀ ଭୁବନେଶ୍ବରରେ କୌଣସି ନିୟମ କୋହଳ କରାଯିବ ନାହିଁ ଓ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବାକୁ ଯୋଜନା ରହିଛି ବୋଲି ସ୍ପଷ୍ଟଭାବେ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା।