Odisha news

ଘରେ ଶୋଇଥିବା ବେଳେ ଇଲେକ୍ଟ୍ରିକ୍ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ : ଅଗ୍ନିକାଣ୍ଡରେ ଲୋଚନ ହାରିଲେ ସର୍ବସ୍ୱ

0

ବୋଲଗଡ : -କରୋନାର ବିପତ୍ତି ରେ ସାରା ବିଶ୍ୱ ଘାଣ୍ଟି ହେଉଥିବା ବେଳେ ଗରିବ ଦିନ ମଜୁରିଆ କେତେ ଯେ କଷ୍ଟ ପାଉଥିବ ତାହା ସେହି ଜାଣିଥିବ । କାମଧନ୍ଦା କିଛି ନଥିବା ବେଳେ ଯାହା କିଛି ସଂଚିତ ଅର୍ଥ ଏବଂ ବର୍ଷକ ଯାକର ଲହୁ ବୁହା ପରିଶ୍ରମରେ ଅମଳ ହୋଇଥିବା ଫସଲ ଯଦି ଅଗ୍ନିକାଣ୍ଡରେ ଜଳି ଛାର୍ଖାର ହୋଇଯାଏ ସେ ଦୁଃଖକୁ ସହିବା ବଡ ଦୁରୁହ ବୋଲି କହିଛନ୍ତି ନିରାଶ୍ରିତ ଲୋଚନ ।
ଶନିବାର ବୋଲଗଡ ବ୍ଲକ ଫାସିଓଦା ଗ୍ରାମ ପଞ୍ଚାୟତ ଭୀମପଡ଼ା ଗ୍ରାମର ଲୋଚନ ମୁଦୁଲି ଏବଂ ତାଙ୍କ ପତ୍ନି ଘରେ ଶୋଇଥିବାବେଳେ ଭୋର ୪ଟା ସମୟରେ ଇଲେକ୍ଟ୍ରିକ୍ ସର୍ଟସର୍କିଟ ଯୋଗୁଁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା ।

ସେମାନେ ସଂଗେ ସଂଗେ ବାହାରକୁ ବାହାରି ପାଟି କରିବାରୁ ଗ୍ରାମର ବହୁଲୋକ ରୁଣ୍ଡ ହୋଇ ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ, କିନ୍ତୁ ଆୟତ ପାଇଁ ଚେଷ୍ଟା କରୁଥିବାବେଳେ ନିଆଁ ବଢି ବଢି ସମଗ୍ର ଘରକୁ ପୋଡି ଛାରଖାର କରିଦେଇଥିଲା । କିଛି ସମୟ ପରେ ବୋଲଗଡ଼ ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ ମଧ୍ୟ ଲୋଚନଙ୍କର ବର୍ଷ ଯାକର ଆୟ ଅମଳ ମୁଗ, ବିରି , ଧାନ ସହିତ ସମସ୍ତ ଆସବାପତ୍ର ପୋଡି ଯାଇଥିଲା,ଯାହାରକି ଆନୁମାନିକ ମୂଲ୍ୟ ୫୦ ହଜାରୁ ଉର୍ଦ୍ଧ ହେବ ।

ସୂଚନା ଥାଉକି ୬ ମାସ ପୂର୍ବରୁ ଲୋଚନର ଏକ ମାତ୍ର ରୋଜଗାରିଆ ପୁଅ କେରଳକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତୁ୍ୟ ବରଣ କରିଥିଲେ । କରୋନା ଭଳି ପ୍ରାକୃତିକ ଦୁର୍ବିପାକରେ ସେ ଅର୍ଥହୀନ ହୋଇ ଭାଙ୍ଗି ପଡିଥିବାବେଳେ ଏଭଳି ଅଗ୍ନିକାଣ୍ଡ ତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ୍ୟ ବୋଲି ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି । ବୋଲଗଡ ବ୍ଲକପ୍ରଶାସନ ଅସହାୟ ଲୋଚନକୁ ସରକାରୀ ସହାୟତା ଦେବା ପାଇଁ ଭୀମପଡ଼ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply