ଭଞ୍ଜନଗର : କରୋନା ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରି ରଖିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଭଞ୍ଜନଗର ଅଞ୍ଚଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ରାତିଦିନ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି । ଗତ ଦେଢମାସର ଲକ୍ ଡାଉନ୍ ସମୟରେ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ଯାଏଁ ସମସ୍ତ ତଳୁଆ କର୍ମଚାରୀ ନିରବଛିନ୍ନ ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଲୋକମାନେ ଘରେ ଶାନ୍ତିରେ ନିଶ୍ୱାସ ମାରୁଥିବାବେଳେ ଏହି ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲାଗାଇ ନିଜର କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ଆଦୌ ସାଲିସ କରିନାହାନ୍ତି ।
ଅମାନିଆଙ୍କୁ ରାସ୍ତାକୁ ଆଣିବାସହ ଲୋକଙ୍କୁ କରୋନା ମହାମାରୀର ଭୟବହତା ଉପରେ ସଚେତନ କରାଇବାଯାଏଁ ସବୁକିଛି ପୋଲିସ ଅଧିକାରୀମାନେ ତୁଲାଇଛନ୍ତି । ଏଣୁ ବାସ୍ତବରେ ଏହିମାନେ ହିଁ କରୋନା ଯୋଦ୍ଧାବୋଲି ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଲ୍ଲେଖ କରିଛନ୍ତି ।
ସ୍ଥାନୀୟ ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ତଥା ନିଆରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଆରୁଖ ଭଞ୍ଜନଗର ଏସଡିପିଓ କାର୍ଯ୍ୟାଳୟ ଓ ଥାନା ଇଲାକାର ସମସ୍ତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ମନ୍ତ୍ରୀ ଆରୁଖ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ ହୋଇଥିବାବେଳେ ଜଣକ ପରେ ଜଣେ ୮୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ ଓ ବିଡିଓ ଅନୀଲ କୁମାର ସେଠୀ ଉପସ୍ଥିତ ରହିଥିଲେ ।
ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାପରେ ମନ୍ତ୍ରୀ ଆରୁଖ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହି କରୋନା ଲଢେଇରେ ବାସ୍ତବ ଯୋଦ୍ଧାଭାବେ କାର୍ଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ତହସିଲଦାର ଓ ବିଡିଓଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମଟି ବାଉଁଶଲୁଣ୍ଡିସ୍ଥିିତ ବିଜୁ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ହୋଇଥିବାବେଳେ ପ୍ରାରମ୍ଭରେ ଶୂଳପାଣି ଶତପଥୀ ପ୍ରାରମ୍ଭିକ ସୁଚନା ଦେଇଥିଲେ ।
ସକ୍ରୀୟ ସଦସ୍ୟ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ଓ ଇଂ. ଲିଙ୍ଗରାଜ ପ୍ରଧାନଙ୍କ ସମେତ କାର୍ଯ୍ୟ ପରିଚାଳନାରେ ବାବୁଲା ପ୍ରଧାନ, ପଞ୍ଚାନନ ପାଳ, ପ୍ରମୋଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିବାବେଳେ ବିଜୁ ସ୍ମୃତି ସଂସଦର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।