ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ଶ୍ରୀଲଙ୍କାକୁ ୧୫ ନିୟୁତ ଡଲାର ସହାୟତା ଦେବାକୁ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ଶ୍ରୀଲଙ୍କାକୁ ୧୫ ନିୟୁତ ଡଲାର ସହାୟତା ଦେବାକୁ ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଭାରତ ମହାସାଗରିୟ ଅଞ୍ଚଳ ସଂକ୍ରାନ୍ତ ଯୁଗ୍ମ ସଚିବ ଅମିତ ନାରଙ୍ଗ କହିଛନ୍ତି, ଏହି ଅନୁଦାନ ଦୁଇଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ନିବିଡ଼ କରିବ ଓ ବୌଦ୍ଧ ଧର୍ମର ବିକାଶରେ ସହାୟତା କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ଆଜି ପ୍ରଥମ ଅନ୍ଲାଇନ୍ କଥାବାର୍ତ୍ତା ହୋଇଛି। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ପବିତ୍ର ସହର କୁଶିନଗରକୁ ପ୍ରଥମ ଉଦ୍ଘାଟନୀ ବିମାନରେ ଶ୍ରୀଲଙ୍କାର ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଯାତ୍ରା କରିବାକୁ ସୁଯୋଗ ଦେବା ଲାଗି ଉଭୟ ନେତା ଏକମତ ହୋଇଛନ୍ତି। ଏହି କିଛି ଦିନ ପୂର୍ବେ କୁଶିନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରାଯାଇଛି। ବୌଦ୍ଧ ଧର୍ମକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି।
ଆର୍ୟୁବେଦ ଓ ଯୋଗ କ୍ଷେତ୍ରରେ ଥିବା ସୁଯୋଗଗୁଡ଼ିକର ମଧ୍ୟ ଉପଯୋଗ କରିବା ପାଇଁ ଦୁଇ ନେତା ଏକମତ ହୋଇଛନ୍ତି। ରାଜପକ୍ଷେ ଭାରତ ସହାୟତାରେ ନିର୍ମିତ ହୋଇଥିବା ଜାଫ୍ନା ସାଂସ୍କୃତିକ କେନ୍ଦ୍ର ପ୍ରକଳ୍ପ ବିଷୟରେ କହିଛନ୍ତି। ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ଏହାକୁ ଉଦ୍ଘାଟନ କରିବା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।
