Odisha news

ପିପିଲିରେ ପ୍ରାକ୍ ନିର୍ବାଚନୀ ହିଂସା ଥାନା ସମ୍ମୁଖରେ ବିଜେଡି ଓ ବିଜେପି ମୁହାଁମୁହିଁ

ପିପିଲି: ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ରାଇଗୁରପୁରୁ ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଛି । ବିଜେପି କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ଜଣେ ବିଜେଡି ସମର୍ଥକ ମାଡ ମାରିବା ଘଟଣାକୁ କେନ୍ଦ୍ରକରି ଉତେଜନା ପ୍ରକାଶ ପାଇବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ରାଇଗୁରପୁର ଗ୍ରାମରେ ଦୀର୍ଘ ୪ଘଣ୍ଟାକାଳ ଧାରଣା ଦିଆଯାଇଥିଲା । ପରେ ସେମାନେ ପିପିଲି ଥାନାରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଣେ ବିଜେପି କର୍ମୀଙ୍କ ବିରୋଧରେ ଜନୈକା ମହିଳା ପୁଲିସରେ ପାଲଟା ଅଭିଯୋଗ କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମରାଯାଇଥିବା ଓ ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଉକ୍ତ ମହିଳାଙ୍କ ସହ ବହୁସଂଖ୍ୟାରେ ମହିଳା ଓ ବିଜେଡି କର୍ମୀମାନେ ଥାନାରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ଶୁକ୍ରବାର ସହଜପୁର ପଞ୍ଚାୟତରେ ନିଜର ନିର୍ବାଚନୀ ପ୍ରଚାର କାର୍ଯ୍ୟ ଚଳାଇଥିବା ସମୟରେ ଏହି ଗଣ୍ଡଗୋଳ ଘଟିଥିଲା । ସୁହାଗପୁର ଗ୍ରାମର ଜଣେ ବିଜେପି କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ରାଇଗୁରପୁର ଗ୍ରାମରେ ସୁବୁଦ୍ଧିପଡା ଗ୍ରାମର ବିପିନ ବେହେରା ଦୁଇ ଚାପୁଡା ମାରିବା ସହ ବିଭିନ୍ନ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ରକରି ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠା ବିଜେପି ନେତ୍ରୀ ପ୍ରଭାତୀ ପରିଡା, ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ତାଙ୍କ କର୍ମୀ ଓ ସମର୍ଥକମାନେ ରାଇଗୁରପୁର ଠାରେ ଧାରଣାରେ ବସିବା ସହ ଅପରାହ୍ନ ସାଢେ ୪ଟାରେ ପିପିଲି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏଥିରେ ବିଜେପିର ବରିଷ୍ଠନେତା ପୃଥୀରାଜ ହରିଚନ୍ଦନ, ପୂର୍ବତନ ବିଧାୟକ ରବି ମଲ୍ଲିକ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ । ସେହି ସମୟରେ ଅଭିଯୁକ୍ତ ବିପିନଙ୍କ ପନôୀ ରଶ୍ମିତା ବେହେରା ଥାନାରେ ପାଲଟା ଅଭିଯୋଗ ଆଣିଥିଲେ ।

ବିପିନଙ୍କୁ ବିଜେପିର କର୍ମୀମାନେ ଆକ୍ରମଣ କରିଥିବା ବେଳେ ସେ ନିଖୋଜ ଥିବା ସଂପର୍କରେ ତାଙ୍କ ପନôୀ ପୁଲିସରେ ଅଭିଯୋଗ କରିଥିଲେ । ମାଡ ମାରିଥିବା ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ରଶ୍ମିତାଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ବିଜେଡି କର୍ମୀମାନେ ଧାରଣାରେ ବସିଥିଲେ । ଖବର ପାଇ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ ଓ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ ପିପିଲି ଥାନାରେ ପହଞ୍ଚô ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ବୁଝାଇ ସେଠାରୁ ନେଇଥିଲେ । ପୁରୀର ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ପିପିଲି ଥାନାରେ ପହଂଚି ଧାରଣାରତ ବିଜେପି ନେତାଙ୍କ ସହ ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶୃତି ଦେବା ପରେ ବିଜେପିର ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

Comments are closed.