ପିପିଲି,୧୧ା୭: ପିପିଲି ବାଇପାସ ରାସ୍ତାରେ ଗୁରୁବାର ରାତିରେ ଜଣେ ପୁଲିସ କନେଷ୍ଟବଳ ଲୁଟର ଶିକାର ହେବା ମାମଲାରେ ପିପିଲି ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଠାରୁ ଲୁଟ୍ରେ ବ୍ୟବହୃତ ବୁଲେଟ୍କୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତର ଜଣକ ହେଉଛି ଏହି ଥାନା ଅନ୍ତର୍ଗତ ଆବଲପୁର ଗ୍ରାମର ରମେଶ ଜେନା ଓରଫ କାଳୁ (୩୦) । ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାଇ, ଲୁଟ୍ର ଶିକାର ହୋଇଥିବା କନେଷ୍ଟବଳ ଜଣକ ହେଉଛନ୍ତି ଧଉଳି ଥାନାରେ କାର୍ଯ୍ୟରତ ରାକେଶ ପରିଡା ଓ ତାଙ୍କ ଘର ବଳଙ୍ଗା ଥାନା ଅଂଚଳରେ । ଗୁରୁବାର ଧଉଳି ଥାନାରୁ ଡୁ୍ୟଟି ସାରି ବାଇକ ଯୋଗେ ସେ ବଳଙ୍ଗାକୁ ଯାଉଥିବା ବେଳେ ରାତି ପ୍ରାୟ ସାଢେ ୧୧ଟା ସମୟରେ ପିପିଲି ବାଇପାସ ରାସ୍ତାରେ ଲୁଟ୍ର ଶିକାର ହୋଇଥିଲେ । ଏକ ବୁଲେଟ୍ ଯୋଗେ ଦୁଇଜଣ ଦୁର୍ବୁତ ପଛରୁ ଆସି ତାଙ୍କୁ ଅଟକାଇବା ସହ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ତାଙ୍କ ଠାରୁ ଏକ ସୁନାଚେନ୍ ଓ ୨୦ହଜାର ଟଙ୍କା ଲୁଟି ନେଇ ଦୁର୍ବୁତ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ । ଏସଂପର୍କରେ ଅଭିଯୋଗ ପାଇ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍ଆଇ ସନ୍ଦୀପ କୁମାର ଦାସ, ଏଏସ୍ଆଇ ରବିନ୍ଦ୍ର ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ରମେଶକୁ ଧରିବାରେ ସକ୍ଷମ ହେବା ସହ ତା’ ନିକଟରୁ ଲୁଟ୍ରେ ବ୍ୟବହୃତ ବୁଲେଟ୍କୁ ଜବତ କରିଥିଲେ । ଫେରାର୍ ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।
