ଫୁଲନଖରା :-ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅଧିନ ତ୍ରିନାଥବଜାରଠାରେ ଚାଲୁଥିବା ଅଞ୍ଚଳର ବୃହତ୍ତମ ସାପ୍ତାହିକ ହାଟକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି । ପୂର୍ବରୁ ‘କରୋନା’ ସଂକ୍ରମଣ ବ୍ୟାପୀବା ଆଶଙ୍କାରେ ପରିବା ବ୍ୟବସାୟୀମାନେ ଉକ୍ତ ହାଟରେ ନବସି ଫୁଲନଖରା-ନିଆଳି ରାସ୍ତା ପାଶ୍ୱର୍ରେ ବସୁଥିଲେ । ତେବେ ଏହାଦ୍ୱାରା ଟ୍ରାଫିକ ସମସ୍ୟା ଦେଖାଦେବାରୁ ଏହାର ବିକଳ୍ପ ସ୍ଥାନ ଖୋଜାଯାଇଥିଲା । ବ୍ୟବସାୟୀ ସଂଘ, ଗ୍ରାମ କମିଟି ଓ ପଞ୍ଚାୟତ ମୁରବିଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ଏହାକୁ କଲ୍ୟାଣୀ ଫାର୍ମ ନିକଟ ବିସ୍ତୃତ ପଡ଼ିଆରେ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା । ମାତ୍ର ଏହା କାର୍ଯ୍ୟକାରୀ ନହୋଇ ତ୍ରିନାଥବଜାର ଇଷ୍ଟ କଲେଜ ମଧ୍ୟବର୍ତ୍ତୀ ଏକ ଅନୁପଯୁକ୍ତ ସ୍ଥାନରେ ଆରମ୍ଭ ହେଲା । କିନ୍ତୁ ସମସ୍ୟା ଏତିକିରେ ଶେଷ ହେଲାନାହିଁ; ଏଠାକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀ କେହି ପରସ୍ପର ମଧ୍ୟରେ ସାମାଜିକ ଦୂରତା ନରଖି କିଣାବିକା କଲେ; ଏପରିକି ମୁହଁରେ ମାସ୍କ ମଧ୍ୟ କେହି ବ୍ୟବହାର କଲେନାହିଁ । ଏ ନେଇ ଅଭିଯୋଗ ହେବାରୁ ବାଲିଅନ୍ତା ବ୍ଲକ ପ୍ରଶାସନ ଓ ଥାନା ପକ୍ଷରୁ ନୂତନ ସ୍ଥାନରେ ଚାଲୁଥିବା ଉକ୍ତ ହାଟକୁ ବନ୍ଦ ପାଇଁ ଆଜି ଘୋଷଣା କରିଛନ୍ତି । ଏହି ନିଦେ୍ର୍ଦଶ ପରେ ଆଜି ପନିପରିବା ବ୍ୟବସାୟୀମାନେ ଫୁଲନଖରା-ନିଆଳି ରାସ୍ତା ପାଶ୍ୱର୍ରେ ବସି ବ୍ୟବସାୟ କରିଥିଲେ । ଯାହାକି ଲକଡ଼ାଉନ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଥିଲା; କୌଣସି ବ୍ୟକ୍ତି ନିଜ ନିଜ ମଧ୍ୟରେ ସର୍ବନିମ୍ନ ଦୂରତା ବଜାୟ ରଖିନଥିଲେ କି ମୁହଁକୁ ଆବୃତ୍ତ କରିନଥିଲେ । ଏହାକୁ ନେଇ ଆଗାମୀ ଦିନରେ ହାଟ କିପରି ଚାଲିବ ଓ ଖାଉଟି କିପରି ଆବଶ୍ୟକ ପରିବା ପାଇବେ ତାକୁ ନେଇ ଆଶଙ୍କା ଦେଖାଗଲାଣି । ଉଲ୍ଲେଖନୀୟ, ତ୍ରିନାଥବଜାର ହାଟ ଫୁଲନଖରା ଅଞ୍ଚଳର ସର୍ବ ବୃହତ ତଥା ପୁରାତନ ସାପ୍ତାହିକ ହାଟ ଏବଂ ଏହା ଉପରେ ନିକଟବର୍ତ୍ତୀ ୧୫ଟି ଗ୍ରାମର ଶହ ଶହ ଗ୍ରାହକ ଓ ଚାଷୀ ନିର୍ଭରଶୀଳ ।