Odisha news

ସଙ୍ଗରୋଧ ଅବଧି ଶେଷ କରିଥିବା ପ୍ରବାସୀଙ୍କୁ ବିଦାୟ ସମ୍ବର୍ନ୍ଧନା

0

ଫୁଲନଖରା:ବାରଙ୍ଗ ବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ କୁରାଙ୍ଗଶାସନ ବାବା ରାମ ପ୍ରସାଦ ସଂସ୍କୃତ ଏକାଡ଼େମୀରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସଙ୍ଗରୋଧରେ ଥିବା ୮ଜଣ ପ୍ରବାସୀଙ୍କୁ ଆଜି ଛାଡ଼ିଦିଆଯାଇଛି । ସେମାନଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ନୋଡ଼ାଲ ଅଧିକାରୀ ବବ୍ରୁବାହନ କାନୁନଗୋ ଜଣାଇଛନ୍ତି । ଉକ୍ତ କେନ୍ଦ୍ରରେ ଆଉ ମାତ୍ର ଜଣେ ସଙ୍ଗରୋଧରେ ରହିଛନ୍ତି ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଅଳିକାପୁରବୀ ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଜୀବନକୃଷ୍ଣ ପତି, ଶିକ୍ଷକ ଅଜୟକୁମାର ପତି, ବିଜୟକୁମାର ସାହୁ, ଅରୁଣକୁମାର ସାହୁ, କୈଳାସଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରବାସୀଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ପର୍ନ୍ଧନା ଜ୍ଞାପନ କରିଥିଲେ । ଅପରପକ୍ଷରେ ୩୩ ନମ୍ବର ଜୋନ ଅଧିନ ସମସ୍ତ ୮ଟି କ୍ୱାରାଣ୍ଟାଇନ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୬୧ ଜଣ ସଙ୍ଗରୋଧରେ ରହିଥିଲାବେଳେ ୪୬ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ସଙ୍ଗରୋଧ ଅବଧି ଶେଷ କରିଥିବା ୧୨୦ ଜଣଙ୍କୁ ଛାଡ଼ିଦିଆଯାଇଛି ।

ସେମାନଙ୍କ ମଧ୍ୟରେ ଖଲର୍ଦ୍ଦା ସଙ୍ଗରୋଧ କେନ୍ଦ୍ରରେ ବର୍ତ୍ତମାନ ସର୍ବାଧିକ ୨୯ ଜଣ ପ୍ରବାସୀ ଥିଲାବେଳେ ୨୩ ଜଣଙ୍କୁ ଅବଧି ଶେଷ ପରେ ଘରକୁ ପଠାଇଦିଆଯାଇଛି ଏବଂ ଜଣକର ସ୍ୱାବ ପରୀକ୍ଷା ରିପୋର୍ଟ ଆସିବାକୁ ବାକି ଅଛି । ସାଇଁଶୋ କେନ୍ଦ୍ରରେ ୧୩ ଜଣ ସଙ୍ଗରୋଧରେ ରହିଥିଲାବେଳେ ୩୯ ଜଣଙ୍କୁ ଛଡ଼ାଯାଇଛି ଏବଂ ୯ଜଣଙ୍କ ସ୍ୱାବ ରିପୋର୍ଟ ଆସିନାହିଁ । କୁରାଙ୍ଗପ୍ରଧାନ କେନ୍ଦ୍ରରେ ୧୦ ଜଣ ଥିଲାବେଳେ ୨୭ ଜଣଙ୍କୁ ନେଗେଟିଭ ରିପୋର୍ଟ ଆଧାରରେ ଛଡ଼ାଯାଇଛି ଏବଂ ୯ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସେହିପରି କୁରାଙ୍ଗଶାସନ କେନ୍ଦ୍ରରେ ଜଣେ ଥିଲାବେଳେ ୭ଜଣଙ୍କୁ ଛାଡ଼ିଦିଆଯାଇଛି । ନଗରୀ କେନ୍ଦ୍ରରେ ୩ଜଣ ଥିଲାବେଳେ ୨ଜଣଙ୍କୁ ଛାଡ଼ିଦିଆଯାଇଛି ଏବଂ ଜଣଙ୍କ ରିପୋର୍ଟ ଆସିବାକୁ ବାକି ଅଛି । ପଜିଟିଭ ରିପୋର୍ଟ ବାହାରିଥିବା କୋରକରା କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୩ଜଣ ସଙ୍ଗରୋଧରେ ଥିଲାବେଳେ ୨ ଜଣ ଘରକୁ ଫେରିଛନ୍ତି ଏବଂ ଜଣଙ୍କ ରିପୋର୍ଟ ଆସିନାହିଁ । ଉଷୁମା କେନ୍ଦ୍ରରେ ୨ଜଣ ଥିଲାବେଳେ ୧୨ ଜଣଙ୍କୁ ଘରକୁ ପଠାଯାଇଛି ଏବଂ ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ହରିଅନ୍ତା କେନ୍ଦ୍ରରେ ମାତ୍ର ଜଣେ ସଙ୍ଗରୋଧରେ ଥିଲାବେଳେ ୧୨ ଜଣ ଘରକୁ ଫେରିଛନ୍ତି ଏବଂ ୧୩ ଜଣଙ୍କ ସ୍ୱାବ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି ।

Leave A Reply