ଫୁଲନଖରା : ଘର ମଧ୍ୟରେ ଲୁଚାଇ ରଖାଯାଇଥିବା ଏକ ବୋମା ହଠାତ ବିସ୍ଫୋରଣ ହେବାରୁ ଜଣେ ୭ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହେବା ସହିତ ଦୁଇ ବଖରା ଆଜବେଷ୍ଟସ ଛାତ ଉଡ଼ିଯାଇଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଚଳାଇଥିବାବେଳେ ଏଥିରେ ସମ୍ପୃକ୍ତ ଜଣକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସିଏମସି ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ଉତ୍ତମାପୁର ସାମଲସାହିରେ ଥିବା ବିଦେଶୀ ସାମଲ (୪୩) ଘରେ ପଡ଼ୋଶୀ ଦୁଖିଆ ସାମଲ ଝିଅ ସମ୍ପୂର୍ଣ୍ଣା ସାମଲ (୭ବର୍ଷ) ଓରଫ ରାନୀ ରବିବାର ସକାଳେ ଖେଳୁଥିଲା । ଏହି ସମୟରେ ହଠାତ ଏକ ବୋମା ପ୍ରଚଣ୍ଡ ଶବ୍ଦରେ ଫାଟିବାରୁ ଦୁଇ ବଖରା ଆଜବେଷ୍ଟସ ଘରର ଛାତ ଉଡ଼ିଯିବା ସହିତ ରାନୀ ଗୁରୁତର ଆହତ ହୋଇଥିଲା ।

ସଦର ଥାନା ପୋଲିସ ସେଠାରେ ପହଞ୍ଚô ରାନୀକୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ତଦନ୍ତ କରୁଛି । ଅନ୍ୟପକ୍ଷରେ ବିଦେଶୀ ସାମଲ ଥାନାରେ ଅଟକ ଅଛି । ସେ ଏହି ବୋମା କେଉଁଠୁ ଆଣିଲା, କିପରି ଆଣିଲା, କିଏ ଦେଲା ଏବଂ କାହିଁକି ସେ ନିଜ ଘରେ ବୋମା ରଖିଥିଲା, ସେ ନେଇ ଖୋଳତାଡ଼ କରୁଛି ।

ବିଦେଶୀ ସାମଲ ପରିବାର ସହିତ ସାମଲସାହି ଗ୍ରାମବାସୀଙ୍କ ଭଲ ସମ୍ପର୍କ ନଥିଲାବେଳେ କିଛି ଦିନ ପୂର୍ବେ ସାହି ଲୋକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ପୂର୍ବରୁ ସଦର ଥାନାରେ ବିଦେଶୀ ନାମରେ ଏକ ମାମଲା ରହିଥିବା ପୋଲିସ କହିଛି । ଆଜିର ଏହି ଘଟଣାକୁ ନେଇ ସାମଲସାହି ଓ ତୋଟାସାହିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ସେଠାରେ ପୋଲିସଙ୍କୁ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here