ଫୁଲନଖରା : ପତ୍ନୀକୁ ଛୁରୀ ଭୁସି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ସ୍ୱାମୀକୁ ସଦର ଥାନା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି । ଏହା ପୂର୍ବରୁ ଅଭିଯୁକ୍ତକୁ ପୁଲିସ ଘଟଣାସ୍ଥଳକୁ ନେଇ ତଦନ୍ତ ଚଳାଇଥିଲାବେଳେ କିଛି ଦୂରରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି । ବୁଧବାର ମଧ୍ୟାହ୍ନରେ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା ।
ଏଏନଏମଭାବେ କାର୍ଯ୍ୟ କରୁଥିବା ପତ୍ନୀ ପ୍ରୀତି ପ୍ରଧାନଙ୍କୁ ମହୁରା ସ୍କୁଲ ନିକଟରେ ତା’ଙ୍କ ସ୍ୱାମୀ ଅକ୍ଷୟକୁମାର ସାହୁ ଏକ ଛୁରୀ ସହାୟତାରେ ଆକ୍ରମଣ କରି ହତ୍ୟା କରିଥିଲା । କିଛି ମାସ ପୂର୍ବେ ଅକ୍ଷୟ ଏକ ଭଙ୍ଗା ବୋତଲ ଧରି ପ୍ରୀତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରି ବିଫଳ ହୋଇ ଜେଲ ଯାଇଥିଲା । କିଛି ଦିନ ତଳେ ପ୍ରୀତି ଅକ୍ଷୟକୁ ଛାଡ଼ପତ୍ର ଦେବାକୁ ଆବେଦନ କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ତୀବ୍ର ମତଭେଦ ରହିଥିବାରୁ ଏପରି ହତ୍ୟାକାଣ୍ଡ ଘଟିଲାବୋଲି ପୁଲିସ ଜାଣିବାକୁ ପାଇଛି ।
