କୋଟଗଡରେ ବିଦ୍ୟୁତ ୧୧ କେଭି ଲାଇନ ସଜାଡୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ ୧୨ ଗୁରୁତର : ଉତ୍ୟକ୍ତ ଗ୍ରାମବାସୀଙ୍କ ଶବକୁ ଧରି ରାସ୍ତାରୋକ କ୍ଷତିପୁରଣ ପ୍ରତିଶୁତି ପରେ ହଟିଲା
ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲା କୋଟଗଡ ଅଂଚଳରେ ଥିବା ହରିପୁର ଗ୍ରାମରେ ଗୁରୁବାର ସଂନ୍ଧ୍ୟାରେ ୧୧ କେଭି ବିଦୁ୍ୟତ୍ ତାର ଛିଣ୍ଡି ଯାଇଥିବାରୁ ତାକୁ ସଜାଡୁଥିବା ବେଳେ ହଠାତ ବିଦୁ୍ୟତ୍ ସରୋବରାହ ଆସିବା ଫଳରେ ଏହାର ସଂସ୍ପର୍ଶରେ ଆସି ସେହି ଗ୍ରାମର ସୁବଳ ନାୟକ(୨୭) ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଛି ଏବଂ ଆଉ ୧୨ ଜଣ ବ୍ୟକ୍ତି ଗରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ କୋଟଗଡ ଓ ତୁମୁଡିବନ୍ଧ ସ୍ୱାସ୍ଥକେନ୍ଦ୍ରରେ ଭର୍ତି କରାଯାଇ ଚିକିସôା କରାଯାଉଛି । ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୁରଣ ଦାବୀରେ ସ୍ଥାନୀୟ ଲୋକେ ମୃତକର ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ । ଜିଲା ପ୍ରଶାସନ ତରଫରୁ ତାଙ୍କ ପରିବାରକୁ କ୍ଷତିପୁରଣ ଦେବାପାଇଁ ପ୍ରତିଶୁ୍ରତି ମିଳିବାପରେ ଗରୁବାର ବିଳମ୍ବିତ ରାତିରେ ସେଠାରୁ ରାସ୍ତାରୋକ ହଟିଥିଲା ।
ସୁଚନା ଅନୁସାରେ ହରିପୁର ଗ୍ରାମରେ ଗତ ୨ ଦିନ ହେଲା ସେଠାରେ ଥିବା ୧୧ କେଭି ବିଦୁ୍ୟତ୍ ତାର ଛିଣ୍ଡିଯିବାରୁ ସଂଯୋଗ ନଥିଲା । ଫଳରେ ଗ୍ରାମବାସୀମାନେ ବିଦୁ୍ୟତ୍ ବିଭାଗର କର୍ମଚାରୀ ମାନଙ୍କୁ ଡାକିବାପରେ ମଧ୍ୟ ସେଠାକୁ କେହି ଆସିନଥିଲେ । ଗତକାଲି ସଂନ୍ଧ୍ୟାରେ ଜଣେ ଲାଇନମ୍ୟାନ ସେଠାକୁ ଆସିବା ସହିତ ଗାଁ ଲୋକଙ୍କୁ ତାର କାମରେ ସହେଯାଗ କରିବାକୁ କହିବାରୁ ସୁବଳ ନାୟକ ସେଠାରେ ପହଂଚି ବିଦୁ୍ୟତ୍ ପୋଲ ଉପରେ ଚଢି କାମ କରୁଥିଲେ ଏବଂ ସେଠାରେ ଆଉ କିଛି ଲୋକ ଛିଣ୍ଡିଥିବା ତାରକୁ ଧରି ସହାୟତା କରୁଥିଲେ । ହଠାତ ସେହି ତାରଟି ବିଦୁ୍ୟତ୍ ସଂଯୋଗ ହୋଇଯିବା ଫଳରେ ପୋଲ ଉପରେ ଚଢିଥିବା ସୁବଳ ନାୟକର ବିଦୁ୍ୟତ୍ ଆଘାତରେ ଘଟଣା ସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ତାରକୁ ଧରିଥିବା ଅନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।
ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇ ସେମାନଙ୍କର ଚିକିସôା କରାଯାଇଥିଲା । ତେବେ ଏହି ଘଟଣାରେ ଉତ୍ୟକ୍ତ ଗ୍ରାମବାସୀ ମାନେ ଶବକୁ ଧରି ରାସ୍ତା ରୋକ କରିଥିଲେ । ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ବାବାଶଙ୍କର ଶରାଫ ଓ କୋଟଗଡ ବିଡିଓ କୈଳାସଚନ୍ଦ୍ର ମୁର୍ମୁ ଏବଂ କନ୍ଧମାଳ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକରୁ ଓହରିବାକୁ କହିଥିଲେ କିନ୍ତୁ ସେମାନେ ମୃତକର ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତି ପୁରଣ ଏବଂ ତାଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବା ପାଇଁ ଦାବୀ କରିଥିଲେ । ଫଳରେ ଜିଲାପାଳଙ୍କ ସହିତ ଆଲୋଚନା ପରେ ସେଠାରେ ଥିବା ଲୋକଙ୍କୁ ପ୍ରଶାସନ ତରଫରୁ ୨ ଲକ୍ଷ ଟଙ୍କା କ୍ଷତିପୁରଣ ସମେତ ମୃତକର ଚାରିଟି ପିଲାଙ୍କୁ ସରକାରୀ ହଷ୍ଟେଲରେ ପାଠ ପଢାଇବା ସହିତ କୌଣସି ବିଦ୍ୟାଳୟରେ ସୁବଳର ସ୍ତ୍ରୀଙ୍କୁ ରୋଷେଇଆ ଭାବରେ ଚାକିରି ଦେବାପାଇଁ ପ୍ରତିଶୁ୍ରତି ପ୍ରଦାନ କରାଯାଇଥିଲା । ଏହାପରେ ରାତି ୧୦ଟାପରେ ସେଠାରୁ ରାସ୍ତାରୋକ ହଟିଥିଲା ।
