ଫୁଲବାଣୀ, ତା ୧୩।୨, :ଜିଲ୍ଲା ତଥା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା, ଫୁଲବାଣୀ ର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ଚତୁର୍ଦ୍ଧଶ ପୁସ୍ତକ ମେଳା ଫୁଲବାଣୀ ମାଷ୍ଟରପଡା ସ୍ଥିତ ବି ଟିମ୍ ପଡିଆରେ ସୋମବାର ଦିନ ଉଦଘାଟିତ ହୋଇଯାଇଛି। ଉତ୍ସବରେ ଉଦଘାଟିକା ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଯୋଗ ଦେଇ ଦିର୍ଘ ୧୨ ଦିନ ଧରି ହେବାକୁ ଥିବା ଏହି ମେଳାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ଆରମ୍ଭ ରେ ଫୁଲବାଣୀ କୋମଲ ଗାନ୍ଧାର ସଂଙ୍ଗୀତ ଓ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ସ୍ବାଗତ ସଂଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରି ନିଜ ଅଭିଭାଷଣ ରେ ବନଜ୍ୟୋସ୍ନା ସାହିତ୍ୟ ସଂସଦ ଅନୁଷ୍ଠାନ ଦିର୍ଘ ୧୩ ବର୍ଷ ଧରି ନାନା ବାଧାବିଘ୍ନ ସତ୍ବେ ଏହାର ସକ୍ରୀୟ କର୍ମକର୍ତ୍ତା ମାନଙ୍କ ସହଯୋଗ ରେ ଏହି ମେଳା ର ଆୟୋଜନ କରି ଆସୁଛି। ସେହିଭଳି ଚଳିତ ବର୍ଷ ଚତୁର୍ଦ୍ଧଶ ପୁସ୍ତକ ମେଳା ରେ ଜିଲ୍ଲାର ବିଶିଷ୍ଟ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ସମାଜରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯିବ। ଆମ ଅନୁଷ୍ଠାନ, ଫୁଲବାଣୀ ତଥା ସମଗ୍ର କନ୍ଧମାଳ ଜିଲ୍ଲା ର ସର୍ବାଧିକ ଥର ରକ୍ତଦାନ କରିଥିବା ରକ୍ତଦାତା ଏବଂ ଭିନ୍ନକ୍ଷମ ଓ ମହିଳା ରକ୍ତଦାତା ମାନଙ୍କୁ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରି ଆସୁଛି। ଏହା ଦ୍ବାରା ଅନ୍ୟ ଯୁବକ ଯୁବତୀ ମାନେ ମଧ୍ୟ ରକ୍ତଦାନ କରିବାକୁ ଆଗ୍ରହୀ ହେବେ। ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଠାରୁ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ,ବକ୍ତୃତା,କ୍ବିଜ୍ ଏବଂ ଆଧୁନିକ ଗୀତ, ଭଜନ ଭଳି ବିଭିନ୍ନ ପ୍ରତିଯୋଗୀତା ମାନ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ମଧ୍ୟ କରା ଯାଉଛି। ଏହା ସମେତ ମେଳା ରେ ୩୫ ରୁ ଅଧିକ ପୁସ୍ତକ ପ୍ରକାଶନ ସଂସ୍ଥା ଓ ବିକ୍ରେତାଙ୍କ ଷ୍ଟଲ ଖୋଲାଯାଇଛି। ଏଥିରେ ପିଲାମାନଙ୍କ ପାଠ ପଢା ବହି ସମେତ ପ୍ରସାଶନିକ ସେବା, ଆଇନ ସମ୍ପର୍କିତ ବିଭିନ୍ନ ପ୍ରକାର ପୁସ୍ତକ ସମେତ ସମାଜରେ ସବୁ ବର୍ଗର ଲୋକଙ୍କ ପାଇଁ ଉପାଦେୟ ପୁସ୍ତକ ଉପଲବ୍ଧ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଫୁଲବାଣୀ ର ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା ତାଙ୍କ ବକ୍ତବ୍ୟରେ ପୁସ୍ତକ ପଢିବା ଆବଶ୍ୟକ ଉପରେ ଯୁବ ପିଢି ଗୁରୁତ୍ବ ଦେବା ଉଚିତ୍ ଏବଂ ବନଜ୍ୟୋସ୍ନା ସାହିତ୍ୟ ସଂସଦର ଦିର୍ଘବର୍ଷର ଏହି ନିରନ୍ତର ପ୍ରୟାସରେ ଫୁଲବାଣୀ ରେ ଏହିଭଳି ଗୋଟିଏ ଭବ୍ୟ ମେଳା ର ଆୟୋଜନ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଥିଲେ । ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଅନୁଷ୍ଠାନ ର ସ୍ମରଣୀକା ବନଜ୍ୟୋସ୍ନା ପୁସ୍ତକ ମେଳା ସଂଖ୍ୟା, ଓ କାହ୍ନୁଚରଣ ଶତପଥୀଙ୍କ ରଚିତ ପୁସ୍ତକ ନିଦ୍ରାହୀନ ରାତ୍ରି ଓ ତାରାବିହୀନ ଆକାଶ ଓ ବିପ୍ଲବର ମହାନାୟକ ନେତାଜୀ ସୁଭାଷ ଉନ୍ମୋଚନ ହୋଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ଵାରା ପୁର୍ବରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଦସ୍ୟା ରୁପମ୍ବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଅତିଥି ପରିଚୟ ସଦସ୍ୟା ପ୍ରଣତି ତ୍ରିପାଠୀ କରିବା ବେଳେ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଶରତଚନ୍ଦ୍ର ମହାନ୍ତି ଓ ସଦସ୍ୟା ବିରାଜିନୀ ମହାପାତ୍ର,ସୁଶ୍ରୀ ମୁସ୍କାନ ସୁଆର,ସରସ୍ବତୀ ସାହୁ,ନିହାରିକା ମହାନ୍ତି,ଗୀତାଞ୍ଜାଳୀ ପଟ୍ଟନାୟକ,ବୈଜୟନ୍ତୀମାଳା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।