ଫୁଲବାଣୀ,୧୨/୦୧, କନ୍ଧମାଲ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଆବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ଟିକାବାଲି ଠାରେ ଥିବା ଗୁଟିଙ୍ଗିଆ ଠାରେ ଥିବା କଲ୍ୟାଣ ମଣ୍ଡପଠାରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ଏବଂ ଗୁଟିଙ୍ଗିଆ ବାଣିଶ୍ରୀ ୟୁଥ୍ କ୍ଲବର ମିଳିତ ଆନୁକୁଲ୍ୟରେ ଏହି ଦିବସକୁ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଗୁଟିଙ୍ଗିଆ ସରପଂଚ ହୃଦୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଗୁଟିଙ୍ଗିଆ ଆଂଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ବେହେରା ନେହେରୁ ଯୁବ କେନ୍ଦ୍ରର ସହକାରୀ କର୍ମଚାରୀ ସତ୍ୟବାନ ଦଳବେହେରା,ସ୍ୱେଛାସେବୀ ଚନ୍ଦ୍ରଶେଖର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଆଖପାଖ ଅଂଚଳର ପ୍ରାୟ ୫୦ରୁ ଅଧିକ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଜବନୀ ବିଷୟରେ ଆଲୋଚନା କରିଥିଲେ । ପରେ ସେଠାରେ ଉପସ୍ଥିତ ଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଆଜିର ଦିବସ ସମ୍ପର୍କିତ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲିବ ବୋଲି ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜଣାପପଡିଛି । ଅନୁରୁପ ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତାଗୁଡାଠାରେ ସ୍ଥାନୀୟ ବଡଦେଉଳୀ ଯୁବକ ସଂଘର ଆୟୋଜନରେ ଏହି ଦିବସକୁ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ତଥା ବନଜୋ୍ୟସ୍ନା ସାହିତ୍ୟା ସଂସଦର ସମ୍ପାଦକ ଡ.କାହ୍ନୁଚରଣ ଶତପଥି ଯୋଗ ଦେଇ ସ୍ୱାମୀ ବିବେକାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବକ ସଂଘର ଯୁବକ ଯୁବତୀ ମାନେ ଏହି ଦିବସକୁ ପାଳଣର ଆୟୋଜନ କରିଥିବାରୁ ତାଙ୍କୁ ଧନ୍ୟାବାଦ ଦେବାସହିତ ସେମାନେ ନିଜନିଜ ଅଂଚଳର ଉନ୍ନତି ଦିଗରେ ଏବଂ ଲୋକଙ୍କ ସେବା କରିବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟାତମ ଅତିଥି ଭାବରେ ବିଶିଷ୍ଟ ରକ୍ତଦାତା ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ସେମାନଙ୍କୁ ଦେଶର ସଂସ୍କାର ଓ ସଂସ୍କୃତି ରକ୍ଷା ଦିଗରେ କାର୍ଯ୍ୟ କରିବାସହିତ ପରିବେଷକୁ ସୁରକ୍ଷା ଦେବାପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଯୁବକ ସଂଘର ସଦସ୍ୟ ଦେବାଶିଷ କହଁର ପରିଚାଳନା କରିଥିବାବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ଗୋପୀନାଥ କହଁର,ସୁରେନ୍ଦ୍ରନାଥ କହଁର,ଅନିଲ କହଁରଙ୍କ ସମେତ ଗ୍ରାମର ଅନେକ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଶେଷରେ ସଦସ୍ୟା ନୁନୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।
