ଫୁଲବାଣୀ (Santosh Mishra) : ରାଜ୍ୟ ସ୍ତରୀୟ ମାତୃ ମୃତୁ୍ୟ ଓ ଶିଶୁ ମୃତୁ୍ୟକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିୟମିତ ଅନ୍ତରାଳରେ ଗ୍ରାମ୍ୟ ସ୍ତରୀୟ ସେବା ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ର ଆବଶ୍ୟକତା ରହିଛି ।
ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆନ୍ତର୍ଜାତୀୟ ସଂସ୍ଥା କ୍ରାଏ, କୋଲକାତାର ମିଳିତ ସହଯୋଗରେ ଫିରିଙ୍ଗିଆ ବ୍ଲକ୍ର ପାହିରାଜୁ, ବାଲନ୍ଦାପଡା, ଲୁଇସିଂ ଓ କୁଏରମାଣ୍ଡୁ ପଂଚାୟତର ଆଶା, ଅଙ୍ଗନୱାଡି କର୍ମୀ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଦିନିକିଆ ତାଲିମ୍ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଅଛି । କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ଗ୍ରାମାଂଚଳରେ ସରକାରଙ୍କ ଯୋଜନା ମାଧ୍ୟମରେ ଆଗଧାଡିର ସେବାପ୍ରଦାନକାରିଙ୍କ ମାଧ୍ୟମରେ ପହଂଚାଯାଉଥିବା ସେବା ଗୁଡିକ କିପରି ସଠିକ୍ ହିତାଧିକାରିଙ୍କ ପାଖରେ ସଠିକ୍ ସମୟରେ ପହଂଚାଯାଇପାରିବ ଓ ପଂଚାୟତ ପ୍ରତିନିଧି ମାନଙ୍କ ମଧ୍ୟରେ କିପରି ଏହାକୁ ସୁନିଶ୍ଚିତ କରାଯିବ ତାହାକୁ ଜଣାଇବା ।
କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୩୪ ଜଣ ଅଙ୍ଗନୱାଡି କର୍ମୀ, ୨୩ ଜଣ ଆଶା କର୍ମୀ ଓ ୪୫ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ତାଲିମ୍ ଦିଆଯାଇଥିବା ବେଳେ ପ୍ରତି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି କୁ ଆସୁଥିବା ଖୋଲାପାଣ୍ଠିର କିପରି ଏକ ବାର୍ଷିକ ଯୋଜନା ପ୍ରସ୍ତୁତ କରି ଗାଁ ର ସ୍ୱାସ୍ଥ୍ୟ, ପୃଷ୍ଟି ଓ ପରିମଳକୁ ଗୁରୁତ୍ୱଦେଇ ସଠିକ୍ ଦିଗରେ ପାଣ୍ଠିର ସୁବିନିଯୋଗ ହୋଇପାରିବ ତାହା ଜଣାଇ ଦିଆଯାଇଥିଲା । କାର୍ଯ୍ୟକ୍ରମ ଗୁଡିକ ଫିରିଙ୍ଗିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଞ୍ଜୁଳା ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ମହିଳା ପରିଦର୍ଶିକା କେଶନୀ ପ୍ରଧାନ ଓ ଅପର୍ଣା ଦିଗାଲ ଉପସ୍ଥିତ ରହି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ସେବାଗୁଡିକୁ ଆଲୋଚନା ମାଧ୍ୟମରେ ଜଣାଇଥିଲେ ।
ସରପଂଚ ସବିତା କହଁର, ପ୍ରଦୀପ ମଲ୍ଲିକ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀମାନେ କିପରି ପ୍ରକୃତ ହିତାଧିକାରୀ ଚୟନ କରି ସଠିକ୍ ସେବା ପ୍ରଦାନକୁ ସୁନିଶ୍ଚିତ କରିପାରିବେ ତାହା ସମସ୍ତଙ୍କୁ ଉପଦେଶ ଦେଇଥିଲେ । ତାଲିମ୍ ରେ ସ୍ୱାତୀ ତରଫରୁ ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର ପରିଚାଳନା କରିଥିବା ବେଳେ ଉମେଶ କୁମାର ମିଶ୍ର, ନିହାରିକା ବେହେରା, ମୁକ୍ତା ନାୟକ, ମାଣିକ ବେହେରା, ସନ୍ତୋଷ କହଁର ଓ ବିବିସ୍ମିତା ଦେହୁରୀ ସହଯୋଗ କରିଥିଲେ ।
