ଫୁଲବାଣୀ : ଦୁଇ ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ପରେ ରାଇକିଆ ବ୍ଲକର ୫ଟି ପଂଚାୟତର ୧୩ଟି ଗ୍ରାମକୁ କଂଟେନମେଟ ଜୋନ ଘୋଷଣା କରାଯାଇଛି । ସେହି ସବୁ ଅଂଚଳରେ କେବଳ ସ୍ୱାସ୍ଥ୍ୟ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ସେବା ଉପରେ କଟକଣା ଜାରି କରାଯାଇଛି । ତେବେ ଖବରକାଗଜ ବିତରଣ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବା ବେଳେ ରାଇକିଆ ପୁଲିସ୍ କିନ୍ତୁ ଖବରକାଗଜ ବିତରଣ ପାଇଁ ଅନୁମତି ଦେଇନଥିଲା ।
ଏପରିକି ରାଇକିଆ ଦେଇ ବାଲିଗୁଡା ଯାଉଥିବା ଖବରକାଗଜ ଗାଡିକୁ ଦୀର୍ଘ ସମୟ ଅଟକ ରଖିଥିଲା । ଏନେଇ ଏସପିଙ୍କ ଦୃଷ୍ଟି ଆକର୍ଷଣ ପରେ ଏସପି ଖବରକାଗଜ ଗାଡିକୁ ଛାଡିବାକୁ ରାଇକିଆ ପୁଲିସ୍ କୁ ନିଦେ୍ର୍ଦଶ ଦେବା ପରେ ପୁଲିସ୍ ଗାଡି ଛାଡି ଥିଲା । ବିଳମ୍ବରେ ଖବରକାଗଜ ଗାଡି ବାଲିଗୁଡାରେ ପହଂଚିଥିଲା । ହେଲେ ପୁଲିସ୍ ରାଇକିଆରେ ଖବରକାଗଜ ବିତରଣ ପାଇଁ ଅନୁମତି ଦେଇ ନଥିଲା । ଫଳରେ ସମସ୍ତ ଖବରକାଗଜ ପ୍ୟାକେଟ୍ ବସ୍ ଷ୍ଟାଣ୍ଡରେ ପଡି ରହିଥିଲା । ଅନ୍ୟ ପକ୍ଷରେ ରାଇକିଆ ଅଂଚଳର ପାଠକ ଖବରକାଗଜ ପଢିବାରୁ ବଂଚିତ ହୋଇଥିଲେ । ଏନେଇ ସାମ୍ବାଦିକ ଓ ପାଠକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏସପି ଏଥିରେ ହସ୍ତକ୍ଷେପ କରି ଖବରକାଗଜ ବିତରଣ ପାଇଁ ଅନୁମତି ଦେବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି ।
