Odisha news

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ସହୀଦ୍ ଚନ୍ଦ୍ରକାନ୍ତଙ୍କର ଶେଷକୃତ୍ୟ : ଯୋଗ ଦେଲେ ବିଶିଷ୍ଟ ବ୍ୟକ୍ତି ଓ ବିପୁଳ ସଂଖ୍ୟାରେ ଲୋକେ

0

ଫୁଲବାଣୀ :  ଗଲବାନ୍ ଘାଟୀରେ ଚୀନ ସୈନିକଙ୍କ ସହିତ ହୋଇଥିବା ଧସ୍ତାଧସ୍ତି ଓମାରପିଟରେ ସହୀଦ ହୋଇଥିବା ଜବାନ ସହୀଦ୍ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥୀବ ଶରୀର ଶୁକ୍ରବାର ସକାଳୁ ତାଙ୍କ ଜନ୍ମମାଟି କନ୍ଧମାଳ ଜିଲ୍ଲା ରାଇକିଆ ଥାନା, ଡଡଙ୍ଗି ପଂଚାୟତର ଅର୍ନ୍ତଗତ ବିଅରିପାଙ୍ଗା ଗାଁରେ ପଂହଚିଲା । କାଲି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ସେଠାରୁ ଗାଡି ଯୋଗେ ଗାଁକୁ ଅଣାଯାଇଥିଲା । ତେବେ, ଗୁରୁବାର ବିଳମ୍ବ ହେବା ଫଳରେ ଫୁଲବାଣୀ ରିଜର୍ଭରେ ମରଶରୀରକୁ ରଖାଯାଇ ଆଜି ସକାଳୁ ଶ୍ରଦ୍ଧାଂଜଳୀ ଜଣାଇବା ପରେ ରାଇକିଆକୁ ନିଆଯାଇଥିଲା । ଆଜି ରାଇକିଆ ବ୍ଳକ ମଣ୍ଡାକିଆ ପଡିଆରେ  ସହୀଦ ଚନ୍ଦ୍ରକାନ୍ତଙ୍କୁ ରାଷ୍ଟୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ସେଠାରେ ଜିଲା ପୋଲିସ ପୁର୍ବରୁ ଏଥିପାଇଁ ପକ୍ଷରୁ ପ୍ରସ୍ତୁତି ହୋଇଥିବା ଯାଗାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କରାଯାଇଥିବା ରାଇକିଆ ଥାନା ମଣ୍ଡାକିଆ ପଡିଆ ଠାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାଙ୍କ ଶରୀରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭାରତୀୟ ସେନାର ଏକ ଦଳ ଦ୍ୱାରା ଜଣେ ଅଧିକାରୀଙ୍କ ତତ୍ୱାବଧାନରେ ସେଠାକୁ ଅଣାଯାଇଥିଲା । ସେଠାରେ ସ୍ଥାନୀୟ ଲୋକ ଏବଂ ଜିଲାର ବିଭିନ୍ନ ସଂଗଠନର ସଦସ୍ୟ ମାନଙ୍କର ଭୀଡ ହୋଇଥିଲା । ଗ୍ରାମବାସୀମାନଙ୍କ ଭୀଡ ଏବଂ ସହୀଦ ଜବାନ ଅମର ରହେ ଶବ୍ଦରେ ଅଂଚଳ ଫାଟିପଡୁଥିଲା । ସେଠାରେ ମନ୍ତ୍ରୀ ଅରୁଣ ସାହୁ,କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତ,ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବାଲିଗୁଡା ବିଧାୟକ ଚକ୍ରମଣି କହଁର,କନ୍ଧମାଳ ଜିଲାପାଳ ଡା. ବୃନ୍ଦା ଡି,ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ,ଭାରତୀୟ ସେନାର ଅଧିକାରୀ,ଏସଡିପିଓ ଜୟକୃଷ୍ଣ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ସମେତ ସହୀଦଙ୍କ ମାତାପିତା ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ପରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବାସହିତ  ତାଙ୍କ ସମ୍ମାନରେ ତୋପ ସଲାମୀ ପ୍ରଦାନ କରାଯାଇଥିଲା ।  ସେଠାରୁ ବିଶାଳ ପଟୁଆରରେ ସହୀଦ୍ ଚନ୍ଦ୍ରକାନ୍ତଙ୍କ ନିଜ ଗାଁ ବିଅରିପାଙ୍ଗାକୁ ଅଣାଯାଇଥିଲା । ଗାଁରେ ସହୀଦ୍ ଚନ୍ଦ୍ରକାନ୍ତଙ୍କ ମରଶରୀର ପଂହଚିବା ପରେ ପରିବାର ଲୋକଙ୍କ ସହ ବନ୍ଧୁ ପରିବାରବର୍ଗ ଶେଷ ଦର୍ଶନ କରିଥିଲେ । ସମସ୍ତଙ୍କ ବୁକୁଫଟା ଚିକ୍ରାରରେ ସାରା ଗାଁ ଫାଟି ପଡୁଥିଲା । ସେହିପରି ବିଭିନ୍ନ ସଂଗଠନ, ଗ୍ରାମବାସୀ, ସାଙ୍ଗସାଥୀଙ୍କ ସହୀଦ୍ ଜବାନ ଅମର ରହେ ବୋଲି ମଧ୍ୟ ଧ୍ୱନୀରେ ଅଂଚଳ ପ୍ରକମ୍ପିତ ହେଉଥିଲା । ଚନ୍ଦ୍ରକାନ୍ତ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାରୁ ଖ୍ରୀଷ୍ଟୀୟ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଗାଁ ପଡିଆରେ ତୋପ ସଲାମୀ ଦେବାସହ ରାଷ୍ଟ୍ରୀୟ ସମ୍ମାନ ଜଣାଯାଇଥିଲା । ଚନ୍ଦ୍ରକାନ୍ତ ୬ ବର୍ଷ ତଳେ ସେନା ବାହିନୀରେ ଯୋଗ ଦେଇଥିଲେ ।

ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ଚନ୍ଦ୍ରକାନ୍ତ ପ୍ରଧାନ । ଘରର ବଡପୁଅ ଥିଲେ ଚନ୍ଦ୍ରକାନ୍ତ । ପାଠ ପଢା ସାରି ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ସେ ସେନା ବାହିନୀରେ ଚାକିରୀ କରିଥିଲେ । ବାପା କରୁଣାକର ପ୍ରଧାନ, ମା’ ବିଳାସିନୀ ପ୍ରଧାନଙ୍କ ସମେତ ସାନ ୨ ଭାଇ ଓ ସାନ ଭଉଣୀଙ୍କ ଦାୟୀତ୍ୱ ନେଉଥିଲେ ସହୀଦ ବନ୍ଦ୍ରକାନ୍ତ । ଦେଶ ପାଇଁ ଚନ୍ଦ୍ରକାନ୍ତ ଜୀବନ ଦେଇଥିବାରୁ ବାପା କରୁଣାକର ପ୍ରଧାନ ଗର୍ବିତ ବୋଲି କହିଛନ୍ତି । ପୁଅକୁ ହରାଇବା ଦୁଃଖ ହେଉଥିଲେ ମଧ୍ୟ ଦେଶ ପାଇଁ ସହୀଦ୍ ହେବା ସବୁଠୁ ବଡକଥା ବୋଲି ବାପା କରୁଣାକର ଓ ମା’ ବିଳାସିନୀ କହିଛନ୍ତି । ସେହିପରି ଭଉଣୀ ମଧ୍ୟ କହିଛନ୍ତି ଯେ, ସେ ପିଲାରୁ ହିଁ ସେନା ବାହିନୀରେ ଯୋଗ ଦେବାଲାଗି ତାଙ୍କର ଆଗ୍ରହ ଥିଲା ହେଲେ ଅଧିକ ଦିନ ଧରି ଦେଶକୁ ସେବା ପ୍ରଦାନ କରିନ ଥିଲେ ବି ଦେଶପାଇଁ ସେ ସହୀଦ ହୋଇଥିବାରୁ ଆମେ ଗର୍ବିତ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ତାଙ୍କ ନାମରେ ରାଇକିଆ ବସଷ୍ଟଣ୍ଡକୁ ନାମିତ କରିବାକୁ ଅଂଚଳବାସୀ ଦାବୀ କରିବାରେ ଜିଲା ପ୍ରଶାସନ ଏହା କରିବାକୁ ସମ୍ମତି ଦେଇଥିବା ଜଣାପଡିଛି ।

Leave A Reply