ଫୁଲବାଣୀ(Santosh Mishra) : ଗତ ୫୦ ବର୍ଷ ତଳେ ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି ପାଇଁ ମାଟି ଡ଼ଲାଏ ମଧ୍ୟ ପଡ଼ିନାହିଁ । ଫଳରେ ଗ୍ରାମବାସୀ ମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ । ଫୁଲବାଣୀ-ଫିରିଙ୍ଗିଆ ଏକ ରାସ୍ତାରେ ଦୀର୍ଘ ୫୦ ବର୍ଷ କୌଣସି ମରାମତି ହୋଇନାହିଁ ଏପରିକି ମାଟି ମଧ୍ୟ ପଡିନାହିଁ । ଯେଉଁ ରାସ୍ତା ଉପରେ ୨ ଟି ବ୍ଳକର କାଣିବାଲି , ବାଡାବଙ୍ଗ , କାକାମାହା , ବେଲା ପଦର ସହିତ କାଶିନିପଦର , କଟ୍ରିଙ୍ଗିଆ ଭଳି ଅନେକ ପଂଚାୟତ ବାସୀ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ସବୁ ଗ୍ରାମବାସୀଙ୍କର ମୁଖ୍ୟ ରାସ୍ତା ହେଉଛି ଏହି ଏକ ମାତ୍ର ରାସ୍ତା ।
ରାସ୍ତାର ମରାମତି କରିବା ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ମାନେ ପଂଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶସାନ ଏବଂ ଜିଲା ପ୍ରଶାସନ ଠାରୁ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ମଧ୍ୟ ଅନେକ ଥର ଲିଖିତ ଭାବେ ଜଣାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାର ମରାମତି ହୋଇ ନଥିବା ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥଳେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ମଧ୍ୟ ସବୁବେଳେ ବିଫଳ ହୋଇଥିବା ଗ୍ରାମବାସୀ ମାନେ ନିଜେ ଏବେ ଏକଜୁଟ୍ ହୋଇ ଯେଉଁ ୪ କିଲୋମିଟର ରାସ୍ତାର ମରଣଯନ୍ତ୍ର ପାଲଟିଛି ତାହାକୁ ନିଜେ ତିଆରି କରିବା ପାଇଁ ଗାଁର ପିଲାଠାରୁ ବୁଢା ପର୍ଯ୍ୟନ୍ତ ଅଣ୍ଟା ଭିଡିଛନ୍ତି ।
ପ୍ରକାଶ ଯେ, ଫୁଲବାଣୀ ବ୍ଳକର କଟି୍ରଙ୍ଗିଆ ପଂଚାୟତ ଅନ୍ତର୍ଗତ କାଣିବାଲି ଠାରୁ ଫିରିଙ୍ଗିଆ ବ୍ଳକର କାଶିନିପଦର ପଂଚାୟତର ଦିନାବାଲି ଛକ ପର୍ଯ୍ୟନ୍ତର ଦୂରତା ହେଉଛି ପ୍ରାୟ ୪ କିଲୋମିଟର । ଗତ ୫୦ ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ ହୋଇଥିଲା । କିନ୍ତୁ ସେହିିଦିନ ଠାରୁ ଆଜି ରାସ୍ତାର ମରାମତି କିମ୍ବା ଉନ୍ନତି କରଣ ହୋଇନାହିଁ । ଫଳରେ ରାସ୍ତାର ଅବସ୍ଥା ସଂପୂର୍ଣ୍ଣଭାବେ ଶୋଚନୀୟ ହୋଇ ପଡ଼ିଛି ।
ରାସ୍ତାମରାତି ନେଇ ବାରମ୍ବାର ପ୍ରଶାସନ ନିକଟରେ ଅନୁରୋଧ କରି ସବୁକ୍ଷେତ୍ରରେ ବିଫଳ ହେବା ପରେ ଆଜି କାଣିବାଲି,ବାଡାବଙ୍ଗ,କାକାମାହା,ବେଲାପଦର ଗ୍ରାମବାସୀ ମାନେ ଏକଜୁଟ୍ ହୋଇ ନିଜେ ଶ୍ରମଦାନ କରିବା ସହିତ ଆରମ୍ଭ କରିଛନ୍ତି ରାସ୍ତାକାମ । ନିଜେ ଟ୍ରାକ୍ଟରଭଡ଼ା କରି ମାଟିବୋହି ରାସ୍ତାର ଯେଉଁଠାରେ ଚାଲିବା ଶୋଚନୀୟ ହୋଇ ପଡ଼ିଛି ସେହି ସବୁ ସ୍ଥାନରେ ମାଟିପକାଇ ରାସ୍ତାକୁ ସମତୁଲା କରିବା ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ମୁଖିଆ ଭଂଜ ଦେବ କହଁର । ତେବେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ଗ୍ରାମ ଗୁଡ଼ିକର ମଧ୍ୟ ହୋଇ ପାରୁନାହିଁ ବିକାଶ ବୋଲି କହିଛନ୍ତି ଗ୍ରାମର ଶାନ୍ତନୁ କର୍ଣ୍ଣ ,ଅନାମ କହଁର ଓ ଅମୁଜ କହଁର ଓ ଅନ୍ୟମାନେ ।
ଉକ୍ତ ରାସ୍ତା ଉପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କଲେଜ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀ ସମେତ ଏହି ସବୁ ଗ୍ରାମର ଗୁରୁତର ରୋଗୀ ମାନେ ମଧ୍ୟ ସଂପୂର୍ଣ୍ଣଭାବେ ନିର୍ଭର କରିଥାନ୍ତି ବୋଲି କହିଛନ୍ତି ଗ୍ରାମର ପ୍ରଶାନ୍ତ କହଁର , ଶରତ କର୍ଣ୍ଣ , ସତ୍ୟ ନାରାୟଣ କର୍ଣ୍ଣ ଓ ଅନ୍ୟମାନେ । ଆଜି ଉପରୋକ୍ତ ଗ୍ରାମର ପୁରୁଷମାନେ ଏକତି୍ରତ ହୋଇ ରାସ୍ତା କାମ କରିବା ସହିତ ଆଗାମି ଦିନରେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଯଦି ପକ୍କା ରାସ୍ତା ନିର୍ମାଣ କରିବାରେ ଟାଳଟଳ ନୀତି ଅବଲମ୍ବନ କରନ୍ତି ତାହାହେଲେ ବାଧ୍ୟ ହୋଇ ଗ୍ରାମବାସୀ ରାଜ ରାସ୍ତାକୁ ଓଲ୍ଳାଇବେ ବୋଲି ଚେତାବନି ଦେଇଛନ୍ତି ଗ୍ରାମର ଜୟଦେବ କହଁର , ଖଗେଶ୍ୱର କହଁର , କାଳିଆ କହଁର ଓ ଅନ୍ୟମାନେ ।
ଏପରିକି ଆବଶ୍ୟକ ସ୍ଥଳେ ପଂଚାୟତ ନିର୍ବାଚନ ପୂର୍ବରୁ ଯଦି ରାସ୍ତା କାମ ନହେବ ତାହାହେଲେ ସମସ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବାର ଦର୍ଶାଇଛନ୍ତି ଗ୍ରାମର କୁବେର କହଁର , ଗୌତମ କହଁର , ବିଷ୍ଣୁ କର୍ଣ୍ଣ ,ତି୍ରନାଥ କହଁର ଓ ଅନ୍ୟ ସମସ୍ତ ଗ୍ରାମବାସୀ ମାନେ । ପ୍ରକାଶଯେ, କାଣିବାଲି ଠାରୁ ଫିରିଙ୍ଗିଆର ଦୂରତା ହେଉଛି ୧୫ କିଲୋମିଟର ଓ ଫୁଲବାଣୀକୁ ଦୂରତା ହେଉଛି ୩୦ କିଲୋମିଟର । ଏହି ରାସ୍ତା ମଧ୍ୟରେ ପଡ଼ିଥାଏ ଗ୍ରାମବାସୀ ନିର୍ମାଣ କରୁଥିବା ୪ କିଲୋମିଟର ରାସ୍ତା । ସେହିଭଳି ଏହି ରାସ୍ତା ଦେଇ ଜିଲାର ଏକ ପର୍ଯ୍ୟଟନ ସ୍ଥଳ ଉର୍ମାଗଡ଼କୁ ମଧ୍ୟ ଜିଲା ଓ ଜିଲା ବାହାରର ଶହ ଶହ ସଂଖ୍ୟରେ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ରାସ୍ତାର ଅବସ୍ଥା ଖରାପ ଥିବା ଯୋଗୁଁ ଦିନକୁ ଦିନ ପର୍ଯ୍ୟଟକ ସଂଖ୍ୟା ମଧ୍ୟ କମିବାକୁ ଲାଗୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସେହିଭଳି ନିର୍ବାଚନ ସମୟରେ ନେତା ଓ ମନ୍ତ୍ରୀମାନେ ଆସି ଭୋଟ ନେଇଯାଉଛନ୍ତି କିନ୍ତୁ ଭୋଟ ନିର୍ବାଚନ ପରେ ଆଉ କାହାର ଦେଖା ମିଳେନାହିଁ ବୋଲି ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।