Odisha news

କନ୍ଧମାଳର ପ୍ରଥମ ମହିଳା ବାୟୁସେନା ଫ୍ଲାଇଙ୍ଗ୍ ଅଫିସର ହେଲେ ଫୁଲବାଣୀର ସାଈ ପ୍ରଣୀତା

0

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀର  ନଦିଖଣ୍ଡି ସାହି ନିବାସୀ  ସାଇପ୍ରଣିତା ମହାନ୍ତି ହେଲେ କନ୍ଧମାଳ ଜିଲାର ପ୍ରଥମ ମହିଳା ବାୟୁସେନା ଫ୍ଲାଇଙ୍ଗ ଅଫିସର ।  ବାୟୁସେନାର ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରୁ ତାଲିମପ୍ରାପ୍ତ କରି ଜୁନ୍ ୨୦ରେ ଗତକାଲି ଫ୍ଲାଇଙ୍ଗ୍ ଅଫିସର ଭାବେ ଗୋୱାଲିଲର ବାୟୁସେନା କେନ୍ଦ୍ରରେ ସେ ଯୋଗ ଦେଇଛନ୍ତି ।

ଫୁଲବାଣୀ ନଦୀଖଣ୍ଡିସାହି ନିବାସୀ ଶଙ୍କର ମହାନ୍ତି ଓ ମିନତୀ ମହାନ୍ତିଙ୍କ କନିଷ୍ଠ କନ୍ୟା ସାଇପ୍ରଣିତା ମହାନ୍ତି ୧୯୯୩ ରେ ଜନ୍ମଗ୍ରହଣ କରିଥିଲେ । ବାପା ଜଣେ ସମାଜସେବୀ ଓ ରକ୍ତଦାତା । ସାଇପ୍ରଣିତାର ଜେଜେବାପା ପ୍ରକାଶ ଚନ୍ଦ୍ର ମହାନ୍ତି ସେନା ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବେଳେ ଦାଦା ପରିକ୍ଷୀତ ମହାନ୍ତି ବର୍ତମାନ ଭାରତୀୟ ସେନାରେ ଜଣେ ମେଜର ଭାବରେ କାର୍ଯ୍ୟରତ ଅଛନ୍ତି ।

ସୁଶ୍ରୀ ସାଇପ୍ରଣିତା ପ୍ରଥମେ ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ଓ ପରେ ବାଳିକା ବିଦ୍ୟାଳୟରେ ପାଠ ପଢିବା ପରେ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୨ ପାସ କରି ପରେ ଆନ୍ଧ୍ରପ୍ରଦେଶର ପ୍ରଶାନ୍ତି ସ୍ଥିତ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ପଣ୍ଡିଚେରୀ ସ୍ଥିତ ସେଣ୍ଟ୍ରାଲ ୟୁନିଭରସିଟିରେ ଫିଜିକ୍ସରେ ଏମଏସସି ପାସ କରିଥିଲେ । ଏହାପରେ ଚେନ୍ନାଇ ସ୍ଥିତ ଅଟୋମେଟିକ୍ ରିସର୍ଚ୍ଚ ସେଣ୍ଟରରେ  ପିଏଚଡି ରେ ନାମ ଲେଖାଇବା ପରେ ବାୟୁସେନାରେ ଯୋଗ ଦେବାପାଇଁ ପରୀକ୍ଷା ଦେଇଥିଲେ ଓ କୃତକାର୍ଯ୍ୟ ହୋଇ ହାଇଦ୍ରାବାଦ ସ୍ଥିତ ଭାରତୀୟ ବାୟୁସେନାର ଏକାଡେମୀରେ ତାଲିମ ଗ୍ରହଣ କରିବା ପରେ ୨୦ ତାରିଖରେ  ଫ୍ଲାଇଙ୍ଗ୍ ଅଫିସର ଭାବେ ଯୋଗ ଦେଇଛନ୍ତି ସାଇପ୍ରଣିତା । ଝିଅର ସଫଳତା ଦେଖି ପରିବାର ଲୋକେ ଓ ସହରବାସୀ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗର୍ବ ଅନୁଭବ କରିବାସହ ତାଙ୍କର ଉନ୍ନତି କାମନା କରିଛନ୍ତି ।

Leave A Reply

Your email address will not be published.