ଫୁଲବାଣୀ ( ସନ୍ତୋଷ ମିଶ୍ର ) : ବର୍ତମାନ ସମଗ୍ର ଦେଶରେ ପୋଷଣ ମାସ ପାଳନ କରି ପୋଷଣଯୁକ୍ତ ଖାଦ୍ୟ ଖାଇବା ନିମନ୍ତେ ଲୋକମାନଙ୍କୁ ସଚେତନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ କ.ନୂଆଗାଁ ବ୍ଲକ୍ର ଅନନ୍ୟା ବାଳିକା ମହାସଂଘ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ସହାୟତାରେ ମହାସଂଘର ସଦସ୍ୟା ମାନେ ନିଜ ନିଜ ଅଂଚଳରେ ଓ ପଂଚାୟତ ସ୍ତରରେ ଘରକୁ ଘର ବୁଲି କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୁତୀ ମହିଳା ସର୍ବୋପରି ସମସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ନିମନ୍ତେ ସଚେତନ କରୁଛନ୍ତି ।

ବିଶେଷ କରି କୋରୋନାର ମୁକାବିଲା କରିବା ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ମହାସଂଘର କିଶୋରୀ ବାଳିକା ମାନେ ଏଥିନିମନ୍ତେ ସମସ୍ତଙ୍କୁ ସଚେତନ କରିବା ସହିତ ନିଜେ ନିଜର ବାଡିରେ ଜୈବିକ ଉପାୟରେ ପନିପରିବା ଚାଷ କରିବା ନିମନ୍ତେ ପରାମର୍ଶ ଦେଉଛନ୍ତି ।

ପୂର୍ବରୁ ମହାସଂଘର ସଦସ୍ୟା ମାନଙ୍କ ପ୍ରଚେଷ୍ଟାରେ ଅଧିକାଂଶ କିଶୋରୀ ବାଳିକା ସେମାନଙ୍କ ବାଡିରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଛନ୍ତି ଓ ସେହି ପନିପରିବା ସବୁକୁ ନିଜ ଖାଦ୍ୟରେ ସାମିଲ୍ କରୁଛନ୍ତି । ଏହି ପୋଷଣ ମାସ ମଧ୍ୟରେ ମହାସଂଘର ସଦସ୍ୟା ମାନେ ଅଧିକାରୁ ଅଧିକା କିଶୋରୀ ବାଳିକା ଓ ଲୋକ ମାନଙ୍କ ନିକଟରେ ପହଂଚି ସମସ୍ତଙ୍କ ବାଡିରେ ବାଡିବଗିଚା କରିବା ପାଇଁ ପରାମର୍ଶ ଦେବେ ଓ ନିଜର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଲୋକମାନେ ଯେପରି ବଜାର ଉପରେ ନିର୍ଭର ନକରନ୍ତି ସେଥିପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧିକା କିଶୋରୀ ଓ ମହିଳାଙ୍କୁ ଯୋଡିବା ନିମନ୍ତେ ଗ୍ରାମ ସ୍ତରରେ ବିଭିନ୍ନ ପ୍ରକାରର ପୋଷଣ ସମ୍ବନ୍ଧୀୟ ପ୍ରତିଯୋଗିତା ଆୟୋଜନ କରି ଲୋକମାନଙ୍କୁ ଉସôାହିତ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here