ଭୁୁବନେଶ୍ୱର,୧୯ ଜୁନ୍ – ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ । କରୋନା ସ୍ଥିତିରେ ଓଡ଼ିଶାର ଜନସାଧାରଣ ବଂଚିବା ପାଇଁ ସଂଗ୍ରାମ କରୁଥିଲା ବେଳେ ତାଙ୍କ ଉପରକୁ ଅଧିକରୁ ଅଧିକ ଆର୍ଥିକ ବୋଝ ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ । ଏଣୁ ଯଥାଶୀଘ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା । କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି । ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି । କେନ୍ଦ୍ର ସରକାର ୩୨ଟଙ୍କା ଲିଟର ପିଛା ଏକସାଇଜ ନେଉଥିଲା ବେଳେ ଅର୍ଥକମିଶନଙ୍କ ସୁପାରିଶ ହିସାବରେ ମାତ୍ର ୪୧% ଏକସାଇଜ ଡୁ୍ୟଟିରୁ ରାଜ୍ୟମାନଙ୍କୁ ଭାଗ ମିଳିବ ।