ଲୋକନାଥ ମହାପାତ୍ର : ଜଣେ ଶିଷ୍ୟ ଥରେ ତାଙ୍କ ଗୁରୁଙ୍କୁ ପଚାରିଲେ – ସୁଖ ଓ ଶାନ୍ତି ମଧ୍ୟରେ ପାର୍ଥକ କ’ଣ ? ଗୁରୁ ଶିଷ୍ୟଙ୍କୁ ବୁଝାଇବାକୁ ଏକ ଉଦାହରଣ ଦେଇ କହିଲେ – ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇଲେ ତାହା ଆମକୁ ଯେଉଁ କ୍ଷଣିକ ଆନନ୍ଦ ଦେଇଥାଏ ତାହା ହେଉଛି ସୁଖ । କିନ୍ତୁ ଜଣେ ଗରିବ ଭୋକିଲା ଲୋକକୁ ଖାଇବାକୁ ଦେଲେ ଆମକୁ ଯେଉଁ ଆତ୍ମସନ୍ତୋଷ ପ୍ରାପ୍ତ ହୋଇଥାଏ ତହା ହେଉଛି ଶାନ୍ତି ।
ଭୋଗ ବିଳାସର ସାଧନ ନିସନ୍ଦେହ ଆମକୁ ସୁଖ ପ୍ରଦାନ କରିଥାଏ କିନ୍ତୁ ତାହା କ୍ଷଣସ୍ଥାୟୀ ହୋଇଥାଏ କାରଣ ତାହା ସେହି ବସ୍ତୁର ଅସ୍ତିତ୍ଵ ଉପରେ ନିର୍ଭର କରିଥାଏ । ଯଦି ସେହି ବସ୍ତୁଟି ଚାଲିଯାଏ ବା ହଜିଯାଏ ତେବେ ସେଥିରୁ ମିଳୁଥିବା ସୁଖ ମଧ୍ୟ ସମାପ୍ତ ହୋଇଯାଏ । ଏ ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ତେଣୁ ସମସ୍ତ ଭୌତିକ ସୁଖ ପରିଶେଷରେ ଦୁଖ ହିଁ ଦେଇଥାଏ । ଏହାଛଡା ଅତ୍ୟଧିକ ସୁଖଭୋଗ ମଧ୍ୟ ଅନେକ ସମୟରେ ଦୁଖର କାରଣ ପାଲଟି ଯାଏ । ଭୌତିକ ସୁଖ ଅନେକ ସମୟରେ କୁମାର୍ଗରେ ପରିଚାଳିତ କରି ମଣିଷକୁ ପରିଶେଷରେ ନିନ୍ଦା ଅପବାଦର ପଶ୍ଚାତାପର ପାତ୍ର କରାଇଥାଏ । ଭୌତିକ ସୁଖ ପଛରେ ଗୋଡାଇ ଗଡାଇ ମଣିଷ ପରିଶେଷର ଦୁଖ ହିଁ ପାଇଥାଏ ।
କିନ୍ତୁ ପରୋପକାର ଓ ସତ୍କର୍ମ ଦ୍ଵାରା ଆମକୁ ଯେଉଁ ଆତ୍ମସନ୍ତୋଷ ମିଳିଥାଏ ସେଥିରୁ ଆମକୁ ଶାନ୍ତି ପ୍ରାପ୍ତ ହୋଇଥାଏ ଯାହା କେବେ ସମାପ୍ତ ହୁଏ ନାହିଁ । ଆଜୀବନ ତାହା ଆମକୁ ପ୍ରାପ୍ତ ହୋଇଥାଏ । କେବଳ ଏତିକି ନୁହେଁ ତାହା ଆମ ଚରିତ୍ରକୁ ମଧ୍ୟ ଉର୍ଦ୍ଧ୍ବମୁଖି ତଥା ମହନୀୟ କରିଥାଏ । ତେଣୁ ଭୌତିକ ସୁଖ ଠାରୁ ମାନସିକ ଶାନ୍ତି ତଥା ଆତ୍ମସନ୍ତୋଷର ଅଧିକ ଗୁରୁତ୍ବ ରହିଛି କାରଣ ଏହା ହିଁ କେବଳ ମଣିଷକୁ ଶାଶ୍ବତ ସୁଖ ପ୍ରଦାନ କରିଥାଏ ଯାହା କେବେ ସମାପ୍ତ ହୁଏ ନାହିଁ ।
ମଣିଷ ଜୀବନରେ ସୁଖ ଅପେକ୍ଷା ଶାନ୍ତିର ଅଧିକ ଆବଶ୍ୟକତା ରହିଛି । ମନରେ ଶାନ୍ତି ନଥିଲେ ସୁଖର କୌଣସି ମହତ୍ବ ରହେନା । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସୁଖର ସମସ୍ତ ସାଧନ ଥିଲେ ମଧ୍ୟ ସେମାନଙ୍କ ମନରେ ଶାନ୍ତି ନଥାଏ ଯେଉଁଥିପାଇଁ ସେମାନେ ଜୀବନରେ ପ୍ରକୃତ ସୁଖକୁ ଅନୁଭବ କରିପାରନ୍ତି ନାହିଁ । କାରଣ ମନରେ ଶାନ୍ତି ନଥିଲେ ସେଠି ସମସ୍ତ ସୁଖ ମହତ୍ତ୍ୱହୀନ ହୋଇଯାଏ ଆଉ ମଣିଷ ପ୍ରକୃତ ସୁଖ ପାଇ ପାରେ ନାହିଁ । ତେଣୁ ମଣିଷ ଜୀବନରେ ସୁଖ ଅପେକ୍ଷା ଶାନ୍ତିର ଅଧିକ ଆବଶ୍ୟକତା ରହିଛି । ଏହାଛଡ଼ା ଜୀବନର ସାୟାହ୍ନରେ ମଣିଷ ପାଇଁ ଶାନ୍ତି ଆହୁରି ଅଧିକ ଗୁରୁତ୍ବ ବହନ କରେ ।
ବର୍ତ୍ତମାନ ପ୍ରଶ୍ନ ଉଠେ ଶାନ୍ତି ଲାଭ କରିବାର ସରଳ ମାର୍ଗଟି କଣ । ଏହାର ଉତ୍ତର ମଧ୍ୟ ଖୁବ ସରଳ । ଅତୀତରେ ଯାହା ଘଟି ଯାଇଛି ତା’ପାଇଁ ଅନୁଶୋଚନା ନକରି ବର୍ତ୍ତମାନ ସମୟକୁ ଭଲ କାମରେ ଲଗାଇ ପାରିଲେ ଆମେ ବର୍ତ୍ତମାନ ଜୀବନରେ ଶାନ୍ତି ଓ ସମ୍ମାନ ଲାଭ କରିବା ସଙ୍ଗେସଙ୍ଗେ ଭବିଷ୍ୟତ ଜୀବନରେ ମଧ୍ୟ ଶାନ୍ତି ଓ ସମ୍ମାନ ଲାଭ କରି ପାରିବା ।
ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ କରୋନା ମହାମାରୀ ସମଗ୍ର ମାନବ ସମାଜ ପାଇଁ ଏକ ବିରାଟ ବିପର୍ଯ୍ୟୟ ରୂପେ ଦେଖା ଦେଇଛି ସେତେବେଳେ ଆମେ ଉପରୋକ୍ତ କଥାକୁ ଉପଲବ୍ଧି କରି ସାମ୍ପ୍ରତିକ ସମୟକୁ ଏକ ଦୁର୍ଯୋଗ ବୋଲି ନ ଭାବି ଏହାକୁ ପରୋପକାର ପାଇଁ ଏକ ସୁଯୋଗ ବୋଲି ଭାବି ନେଇ ବ୍ୟକ୍ତିଗତ ସୁଖକୁ ତ୍ୟାଗ କରି ନିଜକୁ ମାନବ ସେବାରେ ନିୟୋଜିତ କରିପାରିଲେ ଆମେ ଆତ୍ମସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ କରୋନା ରୂପକ ବିପର୍ଯ୍ୟୟକୁ ଅନେକାଂଶରେ ପ୍ରତିହତ କରି ପାରିବା ଏବଂ ଭବିଷ୍ୟତ ଜୀବନରେ ମଧ୍ୟ ଶାନ୍ତି ଓ ସମ୍ମାନ ପ୍ରାପ୍ତ କରି ପାରିବା ।