ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ତହସିଲରେ ବାଲିଘାଟ କେଳେଙ୍କାରୀ ଦୀର୍ଘଦିନ ହେଲା ଲାଗି ଚାଲିଛି । ନିକଟରେ ପ୍ରଶାସନ ପକ୍ଷରୁ ଅଳପୁଆ ପଚାଂୟତ ଅଫିସ ଠାରେ ବାଲି ନିଲାମ ଡକାଯାଇଥିଲା । ନିଲାମ ନୋଟିସ ଅନୁଯାୟୀ ବାଲି ନିଲାମରେ ଭାଗ ନେବାକୁ ଥିବା ଆବେଦନକାରୀମାନେ ନିଲାମ ଅର୍ଥ ଶତକଡା ୧୦ ଭାଗ ଦାଖଲ କରି ନିଲାମରେ ଭାଗ ନେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ମାତ୍ର ଏହି ନିଲାମରେ ଭାଗ ନେବାକୁ ଯାଇଥିବା ଲୋକମାନଙ୍କୁ ସଂପୂର୍ଣ୍ଣ ନିଲାମ ଅର୍ଥ ଦାଖଲ ନକଲେ ନିଲାମରେ ଭାଗ ନେଇ ପାରିବେ ନାହିଁ ବୋଲି ଫେରାଇ ଦିଆଯିବାରୁ ନିଲାମ ଡାକିଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ନିଲାମରେ ବଚିଂତ ହୋଇଥିବା ୨ଜଣ ଲୋକ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବାଲିଘାଟ ବିବାଦ ପରେ ବାଲି ନିଲାମକୁ ନେଇ ବିବାଦ ଥମି ନଥିବାବେଳେ ସଂପ୍ରତି ପଟ୍ଟାମୁଣ୍ଡାଇ ପୋଲିସ ବିନା କାଗଜପତ୍ରରେ ଯାଉଥିବା ୨ଟି ବାଲି ଟ୍ରକ ଜବତକୁ ନେଇ ବିବାଦ ଦେଖା ଦେବା ସହିତ ପ୍ରଶାସନିକ ଭୂକମ୍ପ ସୃଷ୍ଟି ହୋଇଛି । ଏହି ଘଟଣା ପଟ୍ଟାମୁଣ୍ଡାଇ ସହର ବଜାରରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଆଜି ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ ଯାଉଥିବାବେଳେ ଡିଓଟିରେ ଥିବା ପୋଲିସ କର୍ମଚାରୀ ଏହି ଗାଡି ଓ ବାଲିର କାଗଜପତ୍ର ମାଗିଥିଲେ । ବାଲିର ଆର ଫର୍ମ ଓ ଅନ୍ୟାନ୍ୟ କାଗଜପତ୍ର ନଥିବା ସଂପର୍କରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କୁ ଜଣାଇଥିଲେ ।
ଆଇଆଇସିଙ୍କ ନିଦେ୍ର୍ଦଶରେ ବାଲି ବୋଝେଇ ୨ଟି ହାଇୱା ଟ୍ରକକୁ ପଟ୍ଟାମୁଣ୍ଡାଇ ଥାନାକୁ ନିଆଯାଇ ଅଟକ ରଖାଯିବା ସହିତ ବାଲିକୁ ଜବତ କରାଯାଇଛି । ଏହି ଖବର ପାଇଁ ପଟ୍ଟାମୁଣ୍ଡାଇର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବାଲି ଜବତ ନେଇ ପ୍ରଶ୍ନ କରିବା ସହିତ ବାଲି ଗାଡି ଜବତ ଅଧିକାର ତୁମକୁ କିଏ ଦେଲା ବୋଲି କହିବାରୁ ସମୁଦାୟ ମାମଲା ଗୋଳମାଳିଆ ହୋଇପଡିଥିଲା । ପରେ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ କୌଣସି ଚାପର ବଶବର୍ତୀ ନହୋଇ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ପଟ୍ଟାମୁଣ୍ଡାଇ ପୋଲିସ ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ଏ ସଂପର୍କରେ ମାମଲା ରଜୁ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ବାଲି ଟ୍ରକ ଜବତକୁ ନେଇ ପ୍ରଶାସନିକ ମହଲରେ ଭୂକମ୍ପ ସୃଷ୍ଟି ହୋଇଛି ।