ପଟ୍ଟାମୁଣ୍ଡାଇ ତା୨୩.୭- ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲିଘାଟରେ ଦୈନନ୍ଦିନ ବିବାଦ ଲାଗିରହିଛି । ଏହି ବିବାଦକୁ ସମାଧାନ ନକରି ପ୍ରଶାସନ ଚୁପ ରହିବା ଫଳରେ ବିଭିନ୍ନ ବାଲିଘାଟରେ ବିବାଦ ବଢିବାରେ ଲାଗିଛି । ଅଳପୁଆ ବାଲିଘାଟ ବିବାଦ ଚରମସୀମାରେ ପହଁଚିଛି । ସରକାରୀ ନିୟମ ଅନୁଯାୟୀ ଉକ୍ତ ବାଲିଘାଟକୁ କେନ୍ଦ୍ରାପଡାର ଜନୈକ ବ୍ୟକ୍ତି ୫ବର୍ଷ ପାଇଁ ନିଲାମ ନେଇଥିଲେ । ସଂପ୍ରତି ମହାମାରୀ କରୋନା ଯୋଗୁଁ ସରକାର ବାଲିଘାଟ ନିଲାମ ଅବଧିକୁ ୧ ବର୍ଷ ବୃଦ୍ଧି କରିଛନ୍ତି ।
ଏହି ଘାଟରେ ବାଲି ଉଠାଣକୁ ନେଇ ଏବେ ନିଲାମଧାରୀ, ଚୋରା ବେପାରୀ ଓ ଦାମୋଦରପାଟଣାର କିଛି ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଉକ୍ତ ବାଲିଘାଟକୁ ରାସ୍ତା ନଥିବାରୁ ବାଲିଘାଟ ନିଲାମବେଳେ ଏ ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ନଦେଇ ଘାଟ ନିଲାମ କରିଦେଇଥିଲା । ପ୍ରଶାସନର ପରାର୍ମଶରେ ଘାଟ ନିଲାମ ନେଇଥିବା ବ୍ୟକ୍ତି ୫ଲକ୍ଷ ଟଙ୍କା ବ୍ୟୟରେ ଘାଟକୁ ରାସ୍ତା ନିର୍ମାଣ କରି ବାଲି ଉଠାଣ କରୁଥିଲେ । ଏଥି ନେଇ ନିଲାମଧାରୀଙ୍କ ବାରମ୍ବାର ଲିଖିତ ଆବେଦନ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ବାଲିଘାଟ ପାଇଁ ରାସ୍ତା ନିର୍ମାଣ ଖର୍ଚ୍ଚ ଭରଣା କଲେ ନାହିଁ । ଏସବୁ ସତ୍ୱେ ନିଲାମଧାରୀ ଘାଟରୁ ବାଲି ଉଠାଣ କରିବା ସହିତ ନିୟମିତ ଭାବେ ସରକାରୀ ରୟାଲିଟି ପ୍ରଦାନ କରିଆସୁଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ଶେଷ ସୀମାରେ ଥିବା ଉକ୍ତ ବାଲିଘାଟରୁ ନଈରେ ପାଣି ରହିବା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ମାସ ମାସ ଧରି ବାଲିଉଠାଣ ହୋଇପାରୁନଥିବାବେଳେ ଚୋରା ବେପାରୀଙ୍କ ଚୋରା ବାଲି ଚାଲାଣ ଯୋଗୁଁ ନିଲାମଧାରୀ ଚରମ ଆର୍ଥିକ କ୍ଷତି ସହି ଆସୁଛନ୍ତି ।
ସଂପ୍ରତି କରୋନା ମାହାମାରୀ ଯୋଗୁଁ ସ୍ଥିତି ସଂଗୀନ ହୋଇପଡିଛି । ଅଧିକନ୍ତୁ ଅଳପୁଆ ବାଲିଘାଟ ନିକଟରେ ଅନ୍ୟାନ୍ୟ ବାଲିଘାଟ ଥିବାରୁ ଶେଷ ସୀମାରେ ଥିବା ଏହି ବାଲିଘାଟ ମାସ ମାସ ଧରି ବନ୍ଦ ରହିବା ଯୋଗୁଁ ନିଲାମଧାରୀ କ୍ଷତି ସହୁଥିବାବେଳେ ଚୋରା ବେପାରୀଙ୍କ ବାଲି ଚାଲାଣ ଯୋଗୁଁ କ୍ଷତିର ପରିମାଣ ବଢାଇ ଦେଇଛି । ସଂପ୍ରତି ଅଳପୁଆ ବାଲିଘାଟରେ ବାଲି ଉଠାଣକୁ ନେଇ ବିବାଦ ଚରମସୀମା ପହଁଚିଛି । ଘାଟ ନିଲାମଧାରୀ, ଚୋରା ବାଲି ବେପାରୀ ଓ ଦାମୋଦରପାଟଣା ଗ୍ରାମର କିଛି ଲୋକଙ୍କ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଘଟି ମାମଲା ଥାନାରେ ପହଁଚିଛି । ଅଳପୁଆ ଘାଟ ସହିତ କୌଣସି ପ୍ରକାର ସଂପୃକ୍ତ ନଥିବା ଦାମୋଦରପାଣା ଗ୍ରାମର କିଛି ଲୋକ ଘାଟ ନିଲାମଧାରୀ ସରକାରୀ ନର୍ଦ୍ଧାରିତ ଜାଗା ଛାଡି ଅଧିକ ଜାଗାରୁ ବାଲି ଉଠାଣ କରୁଥିବା ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ ।
ପଟ୍ଟାମୁଣ୍ଡାଇ ତହସିଲଦାର ଘଟଣାସ୍ଥଳକୁ ଯାଇ ସରଜମିନ ଅନୁଧ୍ୟାନ କରିବାବେଳେ କିଛି ଲୋକ ଚୋରାରେ ବାଲି ଚାଲାଣ କରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ତହସିଲଦାର ସଂପୃକ୍ତ ଲୋକଙ୍କ ବାଲି ଉଠାଣ ସାମଗ୍ରୀ ଜବତ କରିବା ସହିତ ଜୋରିମାନା କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ଘାଟ ନିଲାମଧାରୀ ନାମରେ ବେଆଇନ ବାଲି ଉଠାଣ ଅଭିଯୋଗ ହୋଇଥିବାବେଳେ ବେଆଇନ ବାଲି ଉଠାଣରେ ଚୋରା ବେପାରୀଙ୍କ ସଂପୃକ୍ତି ଓ ତହସିଲଦାରଙ୍କ ନିକଟରେ ଜୋରିମାନା ଦେବା ଘଟଣା ଘାଟ ନିଲାମଧାରୀ ନାଁରେ ଆସିଥିବା ଅଭିଯୋଗକୁ ଭିନ୍ନମୋଡ ଦେଇଛି । ବାଲି ଘାଟ ନିଲାମ ନେଇଥିବା ବ୍ୟକ୍ତି ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଭିକ୍ଷା କରିଛନ୍ତି । ବାଲିଘାଟ ନିଲାମ ନେଇଥିବା ବ୍ୟକ୍ତି ତାଙ୍କ ଆବେଦନପତ୍ରରେ ସରକାରଙ୍କୁ ଲେଖି ଜଣାଇଛନ୍ତି ଯେ, ପଟ୍ଟାମୁଣ୍ଡାଇ ବ୍ଲକର ଶେଷସୀମାରେ ଥିବା ଅଳପୁଆ ବାଲିଘାଟ ଘୋର କ୍ଷତିରେ ଚାଲୁଛି ।
ଏହି ବାଲିଘାଟ ନିକଟରେ ବିଭିନ୍ନ ବାଲିଘାଟ ଥିବା ଓ ଅଳପୁଆ ବାଲିଘାଟରୁ ଚୋରା ବେପାରୀଙ୍କ ଚୋରା ବାଲି ଚାଲାଣ ଯୋଗୁଁ ବାଲିଘାଟଟି ଚରମ ଆର୍ଥôକ ସଂକଟ ଦେଇ ଗତି କରୁଛି । ନଦୀରେ ପାଣି ରହୁଥିବାରୁ ମାସ ମାସ ଧରି ବାଲି ଉଠାଣ ହୋଇପାରୁନାହିଁ । କାରଣ ନଦୀ ମଧ୍ୟକୁ ଟ୍ରକ ପଶି ପାରୁନାହିଁ । ଯାହାର ଫାଇଦା ନେଇ ଏହି ଘାଟରୁ ଚୋରା ବେପାରୀମାନେ ବାଲି ଚାଲାଣ କରୁଛନ୍ତି । ଏବେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । ବାଲିଘାଟକୁ ରାସ୍ତା ନଥିବାରୁ ଘାଟ ନିଲାମ ପରେ ପ୍ରଶାସନର ପରାର୍ମଶରେ ନିଲାମଧାରୀ ୫ ଲକ୍ଷ ଟଙ୍କା ବ୍ୟୟରେ ଘାଟକୁ ଯିବା ପାଇଁ ନିର୍ମାଣ କରିଥିବା ରାସ୍ତାର ପାଉଣା ବାରମ୍ବାର ଲିଖିତ ଆବେଦନ ପରେ ମଧ୍ୟ ପ୍ରଶାସନ ଭରଣା କରିନଥିବାବେଳେ ସଂପ୍ରତି ରୟାଲିଟି ବାକି ଆଳରେ ରାସ୍ତା ଖୋଳି ଘାଟକୁ ବାଟ ବନ୍ଦ କରିବା କେତେ ଦୂର ଯଥାର୍ଥ ଓ ଆଇନସମ୍ମତ ବୋଲି ନିଲାମଧାରୀ ପ୍ରଶ୍ନ କରିଛନ୍ତି । ବିଭିନ୍ନ କାରଣରୁ ବ୍ୟବସାୟିକ କ୍ଷତିରେ ଥିବା ଘାଟ ନିଲାମଧାରୀ ବକେୟା ରୟାଲିଟି ଭରଣା ପାଇଁ ସମୟ ମାଗିଛନ୍ତି । ମହାମାରୀ କରୋନା ବିପତି ସମୟରେ ସରକାରୀ ପାଉଣା ଆଦାୟ କ୍ଷେତ୍ରରେ ସଂପୂର୍ଣ୍ଣ କୋହଳ ମନୋଭାବ ପ୍ରଦର୍ଶନ ପାଇଁ ସରକାରଙ୍କ ନିଦେ୍ର୍ଦଶ ରହିଛି ।
ମାତ୍ର ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବେଆଇନ ବାଲି ଉଠାଣ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ତହସିଲଦାର ବେଆଇନ ବାଲି ଉଠାଣ ଅଭିଯୋଗର ତଦନ୍ତ କରୁ କରୁ ନିଲାମଧାରୀ ନିଜସ୍ୱ ୫ ଲକ୍ଷ ଟଙ୍କା ବ୍ୟୟରେ ଘାଟକୁ ଯିବା ପାଇଁ ତିଆରି କରିଥିବା ରାସ୍ତାକୁ ବିନା ନୋଟିସରେ ଭାଙ୍ଗି ଓ ଘାଟ ସିଲ କରି ପରବର୍ତୀ ସମୟରେ ନୋଟିସ ଜାରି କରିବା ଘଟଣା କେତେ ଦୂର ଆଇନସମ୍ମତ ବୋଲି ସରକାରଙ୍କ ନିକଟରେ ଆବେଦନପତ୍ରରେ ନିଲାମଧାରୀ ଗୁହାରୀ କରିଛନ୍ତି । ସରକାରୀ ରାଜସ୍ୱହାନୀ ପରି ବିନା ନୋଟିସରେ ରାସ୍ତା ଭାଙ୍ଗି ଘାଟ ସିଲ କରିବା ଘଟଣା ଚୋରା ବାଲି ବେପାରକୁ ପ୍ରୋସôାହନ ଦେଉନାହିଁକି ବୋଲି ଘାଟ ନିଲାମଧାରୀ ତାଙ୍କ ଆବେଦନପତ୍ରରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଶେଷରେ ସରକାରୀ ନିୟମ ଅନୁଯାୟୀ ଘାଟ ନିଲାମ ନେଇ ଏହି ଘାଟରୁ ଉପାର୍ଜିତ ଅର୍ଥରେ ତାଙ୍କ ପରିବାର ସହ ଏକାଧିକ ଶ୍ରମଜୀବି ପରିବାର ପ୍ରତିପୋଷଣ ହେଉଥିବାବେଳେ ମହାମାରୀ କରୋନା ସଂକଟ ଓ ବିପତି ସମୟରେ ସ୍ଥାନୀୟ ପ୍ରଶାସନର ବଳ ପ୍ରୟୋଗ ଓ ଅନ୍ୟାୟ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଅନଶନ କରିବାକୁ ନିଲାମଧାରୀ ସରକାରଙ୍କ ଅନୁମତି ଭିକ୍ଷା କରିଛନ୍ତି ।