Odisha news

ଡ୍ରେନ ନାଁରେ ୫୦ ଲକ୍ଷ ହରିଲୁଟ ; ଲଗାଣବର୍ଷାରେ ଭାସୁଛି ପଟ୍ଟାମୁଣ୍ଡାଇ ସହର

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରପରିଷଦ ମାନ୍ୟତା ପାଇବାର ୩୨ବର୍ଷ ବିତିଯାଇଛି । ମାତ୍ର ସହରାଚଂଳର ସୁବିଧା ସୁଯୋଗ ନପାଇ ପଚାଂୟତ ଲୋକଙ୍କ ଠାରୁ ହିନସ୍ଥାରେ ଅଛନ୍ତି ସହରବାସୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ପଚାଂୟତକୁ ଯାଉଥିବାବେଳେ ସହରବାସୀ ଭକୁଆ ବନିଛନ୍ତି । ପଟ୍ଟାମୁଣ୍ଡାଇ ସହରରୁ ବର୍ଷାଜଳ ନିଷ୍କାସନ ପାଇଁ ଗତ ୩୦ ବର୍ଷ ଧରି ଯୋଜନା ପରେ ଯୋଜନା କାଗଜ କଲମରେ ଚାଲିଥିବାବେଳେ ବାସ୍ତବରେ କିଛି ହୋଇନାହିଁ । ଇତି ମଧ୍ୟରେ କଂଗ୍ରେସ ଓ ବିଜେଡିର ଏକାଧିକ ପୌରପରିଷଦ କାର୍ଯ୍ୟଭାର ଗ୍ରହଣ କରି ମଧ୍ୟ ସହରରୁ ଜଳନିଷ୍କାସନରେ ବିଫଳ ହୋଇଛି ।

ଗତ ୨୦୧୧ ମସିହାରେ ବିଜେଡି ସରକାର ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ସହରର ରାସ୍ତା ଢଳେଇ କରାଯିବା ସହିତ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ରାସ୍ତା ଢଳେଇ କରାଯାଇଥିଲା । ଏଥି ପାଇଁ ହୋଇଥିବା ଯୋଜନା ଓ ବ୍ୟୟ ଅଟକଳରେ ଡାକବଙ୍ଗଳା ଡାକ ବଙ୍ଗଳା ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ରାସ୍ତା କଡେ କଡେ ଡ୍ରେନ କରାଯାଇ ବର୍ଷାଜଳ ଏମ.ଏନ ହାଇସ୍କୁଲ ଠାରେ ପୋତା ନଈରେ ଛଡାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ପୂର୍ତ ବିଭାଗ ରାସ୍ତା ନିର୍ମାଣ କରିବା ସହିତ ଡ୍ରେନ ନିର୍ମାଣ ପାଇଁ ପ୍ରତିଶୃତି ଦେଇ ରାସ୍ତା ନିର୍ମାଣ ପରେ ଡ୍ରେନ ନିର୍ମାଣ ଦିଗରେ ଚୁପ ରହିଲା । ଯାହାଫଳରେ ଡ୍ରେନ ନିର୍ମାଣ ପାଇଁ ଆସିଥିବା ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ନେଇ ଅଭିଯୋଗ ଉଠିଲା ।

ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରତିଶୃତି ସମୟକ୍ରମେ ମିଳେଇ ଗଲା । ଡ୍ରେନ ଅଭାରୁ ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ସହର ସମେତ ସମଗ୍ର ପୌରାଚଂଳ ଉବୁଟୁବୁ ହେବା ସାର ହେଉଛି ଓ ସହରବାସୀ ନର୍କଯନ୍ତ୍ରଣା ଭୋଗ କରୁଛନ୍ତି । ଶହ ଶହ କଚା ଘର କ୍ଷତିଗ୍ରସ୍ତ ହେଉଥିବାବେଳେ ଘରଦ୍ୱାର ସବୁଠି ପାଣି ଲହଡି ଭାଙ୍ଗୁଛି । ଏହାଛଡା ପଟ୍ଟାମୁଣ୍ଡାଇ ଡାକ୍ତରଖାନା, ଥାନା, ତହସିଲ, ବ୍ଲକ, ସବରେଜିଷ୍ଟ୍ରାର ଅଫିସ, ବସଷ୍ଟାଣ୍ଡ, ବ୍ଲକ ଅଫିସ, ବ୍ଲକ କଲୋନୀ, ଗ୍ରମ୍ୟ ଉନ୍ନୟନ ଅଫିସ ସର୍ବୋପରି ପଟ୍ଟାମୁଣ୍ଡାଇ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଡାକ୍ତରଖାନାରେ ବର୍ଷାଜଳ ଲହଡି ଭାଙ୍ଗୁଥିବାରୁ ରୋଗୀ ଡହଳବିକଳ ହେଉଛନ୍ତି ।

ପଟ୍ଟାମୁଣ୍ଡାଇରେ ଏଭଳି ଦୟନୀୟ ପରିସ୍ଥିତି ପାଇଁ ଦାୟୀ କିଏ? ସରକାର, ପୂର୍ତ ବିଭାଗ, ପୌରପରିଷଦ ନା ସ୍ଥାନୀୟ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ସହର ଓ ପୌରାଚଂଳରୁ ଦୀର୍ଘ ୩୦ ବର୍ଷ ହେଲା ଜଳନିଷ୍କାସନ ସାତସପନ ହୋଇଥିବାବେଳେ ଟାଉନ ପ୍ଲାନିଙ୍ଗ ପାଇଁ କଲମ ଚାଷ ଚାଲିଛି । ଶାସକ ଠାରୁ ବିରୋଧୀଦଳ ପର୍ଯ୍ୟନ୍ତ ଲମ୍ବା ଭାଷଣ ଓ ମଧୁର ପ୍ରତିଶୃତି ସର୍ବୋପରି ସୁନେଲି ସ୍ୱପ୍ନ ପଟ୍ଟାମୁଣ୍ଡାଇ ପୌରାଚଂଳବାସୀଙ୍କୁ ଭୂଲାଇ ପାରିବନାହିଁ ବୋଲି ଏବେଠୁ ସ୍ପଷ୍ଟ ହୋଇଗଲାଣି । ପଟ୍ଟାମୁଣ୍ଡାଇ ସହର ଓ ପୌରାଚଂଳରୁ ବର୍ଷାଜଳ ନିଷ୍କାସନ ଆଗାମୀ ପୌର ନିର୍ବାଚନରେ ମୁଖ୍ୟପ୍ରସଙ୍ଗ ହେବ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପଟ୍ଟାମୁଣ୍ଡାଇ ସହରକୁ ସରସ ସୁନ୍ଦର କରି ଗଢିବା, ବର୍ଷାଜଳ ନିଷ୍କାସନ ସମସ୍ୟା ସ୍ଥାୟୀ ସମାଧାନ କରିବା ଓ ସବୁବର୍ଗର ଲୋକମାନଙ୍କୁ ସରକାରୀ ଯୋଜନାରେ ସାମିଲ କରି ସାମାଜିକ ନ୍ୟାୟ ପ୍ରଦାନ କରିବା ଦିଗରେ ବିଫଳ ହେଲେ ଶାସକ ଠାରୁ ବିରୋଧୀ ପର୍ଯ୍ୟନ୍ତ ସବୁଦଳର ଗଣିତ ଭୂଲ ପ୍ରମାଣିତ ହେବ ଓ ବାରବର୍ଷର ତପସ୍ୟା ଶୁଖୁଆ ଝୋଳରେ ଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ଠାରୁ ଏମ.ଏନ ହାଇସ୍କୁଲ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ଅର୍ଥ ହରିଲୁଟର ତଦନ୍ତ ସହ ଜଳନିଷ୍କାସନ ପାଇଁ ପୌରାଚଂଳର ସବୁ ସ୍ଥାନରେ ଡ୍ରେନ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply