Odisha news

ପଟ୍ଟାମୁଣ୍ଡାଇ ପୋଲିସର ବିରାଟ ସଫଳତା ; ଅରଡପଲ୍ଲୀ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ ଗିରଫ, ୫ଲକ୍ଷ ଟଙ୍କା, ସୁନା ଓ ବାଇକ ଜବତ

0

ପଟ୍ଟାମୁଣ୍ଡାଇ ତା୨୨.୮- ସଂପ୍ରତି ମହାମାରୀ କରୋନା ମୁକାବିଲାରେ ବ୍ୟସ୍ତ ପୋଲିସ ପ୍ରଶାସନ ପାଇଁ ଅରଡପଲ୍ଲୀ ହତ୍ୟାକାଣ୍ଡ ଚ୍ୟାଲେଞ ସୃଷ୍ଟି କରିଥିଲା । କେନ୍ଦ୍ରାପଡା ଏସ.ପି ନୀତିଶେଖରଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ଆଇ.ଆଇ.ସି ରାକେଶ ତ୍ରିପାଠୀ ଚ୍ୟାଲେଞକୁ ଗ୍ରହଣ କରି ନିଜସ୍ୱ ଷ୍ଟାଇଲରେ ଟିମ ଗଠନ କରି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା, ସୁନା ଓ ବାଇକ ଜବତ କରିବାରେ ସଫଳ ହୋଇ ପଟ୍ଟାମୁଣ୍ଡାଇ ପୋଲିସ ପାଇଁ ବିରାଟ ସଫଳତା ଆଣିଛନ୍ତି ।

ଏ ସଂପର୍କରେ କେନ୍ଦ୍ରାପଡା ଏସ.ପି ନୀତିଶେଖର ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇ କହିଛନ୍ତି ଯେ, ଟଙ୍କା ଓ ସୁନା ପାଇଁ ଗତ ୧୭ ତାରିଖରେ ଅରଡପଲ୍ଲୀ ଗ୍ରାମରେ ମିନତୀ ଜେନା ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା । ଏହି ଗ୍ରାମର ଅନିଲ ଜେନାଙ୍କ ସହିତ ମୃତା ମିନତୀଙ୍କ ସାନପୁଅ ସତ୍ୟଜିତ ଜେନାଙ୍କର ବନ୍ଧୁତା ଥିଲା । ସାଙ୍ଗ ଦୃଷ୍ଟିରୁ ଅନିଲ, ସତ୍ୟଜିତ ଓ ଅନ୍ୟମାନେ ସତ୍ୟଜିତଙ୍କ ଘରେ ପ୍ରାୟ ଭୋଜି କରିବା ସହିତ ମଦ୍ୟପାନ କରିଥାନ୍ତି । ମଦ ନିଶାରେ ସତ୍ୟଜିତ ତାଙ୍କ ଘରେ ରଖାଯାଇଥିବା ଟଙ୍କା ଓ ସୁନା ସଂପର୍କରେ ସାଙ୍ଗମାନଙ୍କୁ ଜଣାଇ ଦେଇଥିଲା । ଏ ବିଷୟରେ ଜାଣିବା ପରେ ଅନିଲ ଓ ଦୀପକ ଏହି ଟଙ୍କା ଓ ସୁନା ହାତେଇବା ପାଇଁ ଯୋଜନା କରିଥିଲେ ।

ଏଥି ପାଇଁ ଅନିଲ ଗତ ୨୦ ଦିନ ତଳେ ନିଜ ବନ୍ଧୁ ଘର ଯାଜପୁର ଜିଲ୍ଲା ମାନପୁରକୁ ଯାଇଥିଲା । ସେଠାରେ ତାର ବନ୍ଧୁ ସୋରଭ ମଣ୍ଡଳ ଓ ସୋରଭର ସାଙ୍ଗ ରଞିତ ନାୟକ, ସୁଶାନ୍ତ ପାତ୍ର, ଅଶୋକ ପାତ୍ର, ପ୍ରକାଶ ପାତ୍ରଙ୍କ ସହିତ ମୃତା ମିନତୀଙ୍କ ଘରୁ ଟଙ୍କା, ସୁନା ଲୁଟ ବିଷୟରେ ଯୋଜନା କରିଥିଲା । ଯୋଜନା ଅନୁଯାୟୀ ଲୁଟ ସୁନା ଅଳଙ୍କାରକୁ ବିକ୍ରି କରି ସେଥିରୁ ୫୦% ଭାଗ ନେବାକୁ ସୋରଭ, ଅଶୋକ ଓ ପ୍ରକାଶ ରାଜି ହୋଇଥିଲେ । ମାତ୍ର ଯୋଜନା ପ୍ରସ୍ତୁତ ପରେ ସମସ୍ତ ଅଭିଯୁକ୍ତ ଅରଡପଲ୍ଲୀ ଗ୍ରାମକୁ ଆସି ଲୁଟ ଯୋଜନା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ଉପସ୍ଥିତି ସମସ୍ତ ଯୋଜନାକୁ ଭଣ୍ଡୁର କରିଥିଲା । ଯାହାଫଳରେ ଗତ ୧୭ ତାରିଖରେ ମୃତା ମିନତୀଙ୍କ ଛଡା ପରିବାରର କୌଣସି ସଦସ୍ୟ ଘରେ ଉପସ୍ଥିତ ନଥିବା ଖବର ପାଇ ଅଭିଯୁକ୍ତମାନେ ଲୁଟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରିଥିଲେ ।

ଘଟଣା ଦିନ ୨ଟା ସମୟରେ ରଞିତ ନାୟକ ଓ ସୁଶାନ୍ତ ପାତ୍ର ଆପାଜି ମୋଟର ସାଇକେଲରେ ଆସି ଛେଦରା ପୋଲ ନିକଟରେ ଅରଡପଲ୍ଲୀ ଗ୍ରାମର ଅନିଲ ଜେନାଙ୍କୁ ଭେଟିବା ସହିତ ୧୦୦ ଟଙ୍କା ଦେଇ ମାଳିବସା ଛକରୁ ମିଠା ଆଣିବାକୁ କହିଥିଲେ । ଅନିଲ ଏହି ଦୁଇ ଅଭିଯୁକ୍ତଙ୍କୁ ସତ୍ୟଜିତ ଘରେ ପଶି ଟଙ୍କା ଓ ସୁନା ଲୁଟିବା ସତ୍ୟଜିତଙ୍କ ବୃଦ୍ଧା ମା ମିନତୀ ବିରୋଧ କଲେ ରାସ୍ତାରୁ ହଟେଇ ଦେବାକୁ ପରାର୍ମଶ ଦେଇଥିଲା । ଏହା ପରେ ଅଭିଯୁକ୍ତ ରଞିତ ଓ ସୁଶାନ୍ତ ମିଠା ସହିତ ମିନତୀଙ୍କ ଘରେ ପହଁଚି ତାଙ୍କୁ ବଡପୁଅ ବିଶ୍ୱଜିତଙ୍କ ସାଙ୍ଗ ବୋଲି ପରିଚୟ ଦେଇଥିଲେ । ମୃତା ମିନତୀ ସେମାନଙ୍କୁ ଘରେ ପୁରାଇବା ପରେ ଅଭିଯୁକ୍ତ ସୁଶାନ୍ତ ଓ ରଞିତ ମିନତୀଙ୍କୁ କାବୁ କରି ମାରଣାସ୍ତ୍ର ସାହାଯ୍ୟରେ ମରଣନ୍ତକ ଆକ୍ରମଣ କରିଥିଲେ । ଏହା ପରେ ସେମାନେ ଟିଣ ବାକ୍ସ ଭାଙ୍ଗି ୫ ଲକ୍ଷ ୬୪ ହଜାର ଟଙ୍କା, ଗୋଟଏ ହଳ ସୁନା କାନଫୁଲ ଓ ମୋବାଇଲ ଲୁଟି ନେଇଥିଲେ ।

ଏହି ଘଟଣା ଘଟାଇବା ପରେ ବାଇକ ଯୋଗେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇଯାଇ ଛେଦରା ପୋଲ ନିକଟରେ ଅନିଲଙ୍କୁ ଭେଟି ସର୍ତ ଅନୁଯାୟୀ ୨,୫.୦୦୦ ଟଙ୍କା ଦେଇଥିଲେ । ଅପରାଧ ଘଟଣା ଟଙ୍କା ଓ ସୁନା ସହ ରଞିତ ଓ ସୁଶାନ୍ତ ନିଜ ଗାଁରେ ପହଁଚିବା ପରେ ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ପାତ୍ର ଲୁଟ ହୋଇଥିବା ସୁନା କାନଫୁଲ ବିକ୍ରି ପାଇଁ ନିଜ ପାଖରେ ରଖିଥିଲା । ପଟ୍ଟାମୁଣ୍ଡାଇ ଆଇ.ଆଇ.ସି ରାକେଶ ତ୍ରିପାଠୀ ନିଜ ଦଳବଳ ସହ ମିନତୀ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଲୁଟ ଟଙ୍କା, ସୁନା ଜବତ କରିଛନ୍ତି ।

ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶ ନଂ- ୩୦୮/୨୦୨୦ରେ ଭାରତୀୟ ପିଙ୍ଗଳକୋଡର ୪୫୦, ୩୦୨, ୩୮୦, ୩୯୭, ୩୦୨, ୧୨୦ (ବି) ଦଫା ବଳରେ ଅଭିଯୁକ୍ତ ଅନିଲ ଜେନା, ରଞିତ ନାୟକ, ସୁଶାନ୍ତ ପାତ୍ର, ଅଶୋକ ପାତ୍ର, ପ୍ରକାଶ ପାତ୍ର, ସୌରଭ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଭିଯୁକ୍ତଙ୍କ ଠାରୁ ୫ ଲକ୍ଷ ୬୪ ହଜାର ଟଙ୍କା ଓ ୪ଟି ମୋଟର ସାଇକେଲ ଓ ଛୁରୀ ଜବତ କରିଛି ।

Leave A Reply