ପାରାଦୀପ : ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ କରାଯାଇଥିବା ନେଇ ଜୋରଦାର ଚର୍ଚ୍ଚା ହେବା ପରେ ଜଟାଧାରୀ ମୂହାଣ ଥାନା ପୁଲିସ ଏଥିରେ ସଂପୃକ୍ତ ପାଂଚ ଜଣଙ୍କୁ ଥାନାରେ ଅଟକ ରଖିଛି । ସେମାନେ ହେଲେ ଜୁଲି ଗାଏନ, ଜିତେନ ଗାୟନ, ମୀନତି ମାଟିଆ, ଶିବ କୌଶଳ ଓ ପୂଜା କରୁଥିବା ଗୁଣିଆ ବାବୁରାମ ପଣ୍ଡା । ଏ ସମସ୍ତଙ୍କର ଆସନ୍ତାକାଲି କୋଭିଡ୍ ପରୀକ୍ଷା କରାଯିବା ପରେ ଗିରଫ କରାଯିବ ବୋଲି ଜଣାପଡ଼ିଛି । ଏହି ଖବରକୁ ନେଇ ଷଣ୍ଢକୁଦରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି ।
ପ୍ରକାଶ ଥାଉ କି, ବସ୍ତିରେ ରହୁଥିବା ସତ୍ୟ ରଂଜନ ମଣ୍ଡଳଙ୍କ ସାତ ବର୍ଷର ପୁଅ ବିଶ୍ୱରଂଜନ ଖେଳୁଥିବା ବେଳେ ତାଙ୍କୁ ଟଙ୍କା ଲୋଭ ଦେଖାଇ ଏହି ଚାରି ଜଣ ନେଇଯାଇଥିଲେ । ୨୫ ଟଙ୍କାର ଲୋଭ ଦେଖାଇ ଦିନରେ ହୋଇଥିବା ପୂଜାରେ ୫ ଟଙ୍କା ପରେ ୨୦ ଟଙ୍କା ଦିଆଯିବ ବୋଲି ବିଶ୍ୱରଂଜନଙ୍କୁ ଏହି ଚାରି ଜଣ କହିଥିଲେ । ପରେ ରାତିରେ ଆଉ ୨୦ ଟଙ୍କା ନେବା ଲୋଭରେ ଆସିଥିବା ବିଶ୍ୱରଂଜନଙ୍କୁ ଉଲଗ୍ନ କରାଇ ପୁଣି ଥରେ ପୂଜା କରାଯିବା ସମୟରେ ସତ୍ୟରଂଜନ ସେଠାରେ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ ।