Odisha news

ପାରାଦୀପରେ ମଦ ବ୍ୟବସାୟଙ୍କ ଗଳିତ ମୃତଦେହ ଉଦ୍ଧାର ; ହତ୍ୟା ନା ଆତ୍ମହତ୍ୟା?

0

ପାରାଦୀପ : ପାରାଦୀପ ସାମୁଦ୍ରିକ ଥାନା ଅଧୀନ ନେହେରୁ ବଙ୍ଗଳା ମାର୍କେଟ୍ କମ୍ପଲେକ୍ସ୍ରେ ଥିବା ଏକ ମଦ ଦୋକାନ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟବସାୟୀ ହେଲେ ତୀର୍ଥବାସୀ ସାହୁ (୫୫) । ଘର ମାର୍ଶାଘାଇ ଥାନା ଅଧୀନ କରଂଜ ଗାଁରେ । ସେ ଏଠାରେ ଦୀର୍ଘ ଦିନ ଧରି ମଦ ଦୋକାନ ଚଳାଇ ଆସୁଥିଲେ । ତୀର୍ଥବାସୀଙ୍କର ମୃତଦେହ ଏମିତି ଅବସ୍ଥା ହୋଇଛି ଯେ, ତାଙ୍କୁ ଚିହ୍ନିବା ବି ମୁସ୍କିଲ ହୋଇଛି । ଏହା ସମ୍ପୂର୍ଣ୍ଣ ଫୁଲି ଯାଇଥିବା ବେଳେ ଶୁଖି କଳା ପଡ଼ି ଯାଇଛି । ତୀର୍ଥବାସୀଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ମୃତ ତୀର୍ଥବାସୀଙ୍କର ପକେଟ୍ରୁ ଏକ ଚିଠି ପୁଲିସ ଜବତ କରିଛି । ଏହି ଚିଠିରୁ ପୁଲିସ୍କୁ କିଛି ସୁରାକ୍ ମିଳିବାର ସମ୍ଭାବନା ରହିଛି । ମାତ୍ର ଯେହେତୁ ବର୍ତମାନ ଏହି ଚିଠିଟି ସମ୍ପୂର୍ଣ୍ଣ ଭିଜି ଯାଇଛି । ଯେହେତୁ ତୀର୍ଥବାସୀ ଅନ୍ୟ ଜଣଙ୍କ ସହ ମିଳିତ ଭାବେ ଏହି ଦୋକାନ ଚଳାଉଥିଲେ । ଏଣୁ ପାର୍ଟନରସିପ୍ ବ୍ୟବସାୟକୁ ନେଇ କିଛି ନା କିଛି ସମସ୍ୟା ସୃଷ୍ଟି ହୋଇଥାଇ ପାରେ ବୋଲି ଚର୍ଚ୍ଚା ଚାଲିଛି । ମାତ୍ର ଏଠାରେ ପ୍ର୍ରଶ୍ନ ଉଠୁଛି, ଗତ ଗୁରୁବାର ଠାରୁ ତୀର୍ଥବାସୀଙ୍କର ପତ୍ତା ମିଳୁନଥିବା ବେଳେ ତାଙ୍କ ପରିବାର ଓ ପାର୍ଟନର ପୁଲିସରେ କାହିଁକି ଅଭିଯୋଗ କରିନଥିଲେ? ଏ ସମସ୍ତ ଘଟଣାକୁ ଦେଖିଲେ ତୀର୍ଥବାସୀଙ୍କୁ ମୃତୁ୍ୟକୁ ନେଇ ଏକ ବଡ଼ ରହସ୍ୟ ଲୁଚି ରହିଛି ।

Leave A Reply