ପାରାଦୀପ : ମାନିଲେ ନାହିଁ ନିର୍ଦ୍ଦେଶ | ଗିରଫ ପରୱାନା ଜାରି କଲେ ଜିଲ୍ଲାପାଳ | ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା(ଭା.ପ୍ର.ସେ.) ନିୟମ ଅଵଜ୍ଞାକାରୀ ଗାଡି ମାଲିକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଥାଉକି, ଏକକାଳୀନ ସାଧାରଣ ନିର୍ବାଚନ 2024ପାଇଁ, ଜନ ପ୍ରତିନିଧି ଅଧିନିୟମ 1951 ଅନ୍ତର୍ଗତ ଧାରା 160 ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ସାହା ଦୁଇଟି ଗାଡିକୁ ତାଙ୍କ ମାଲିକଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହି ଗାଡି ଗୁଡ଼ିକୁ ଉତ୍ତମ ଅବସ୍ଥା ଏବଂ ଚାଳକ ସହିତ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଡେପୁଟି କଲେକ୍ଟର, ନିର୍ବାଚନ ଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗାଡିର ମାଲିକ ମାନେ, ଜନ ପ୍ରତିନିଧି ଅଧିନିୟମ 1951 ଅନ୍ତର୍ଗତ ବିଭାଗ 160 ଧାରା ଉଲଂଘନ କରି ଏହି ଗାଡ଼ି ଦୁଇଟି କୁ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ ଦାଖଲ କରିନଥିଲେ। ଯାହାଫଳରେ, ଜିଲ୍ଲାପାଳ, ଜନ ପ୍ରତିନିଧି ଅଧିନିୟମ 1951 ଅନ୍ତର୍ଗତ ବିଭାଗ 167,160(1)ଓ ଆଇ.ପି. ସି 188, ପ୍ରୟୋଗ କରି, ସେହି ଦୁଇ ଗାଡି ମାଲିକ ଯଥାକ୍ରମେ, ଗୌରହରି ନାୟକ ଗାଡ଼ି ନଂ- ODO5X7405 (ବୋଲେରୋ), ନୈବିଦ୍ୟ ନାୟକ ଗାଡ଼ି ନଂ-ODO2CD3248 (ସ୍କର୍ପିଓ)ଙ୍କ ବିପକ୍ଷରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗାଡି ଦୁଇଟି ଜବତ କରିବା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତତସହିତ ସେହି ପରିପ୍ରେକ୍ଷୀରେ 48ଘଣ୍ଟା ସମୟ ମଧ୍ୟରେ ରିପୋର୍ଟ , ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ କରାଯାଇଛି ।ଏହି ନିର୍ଦ୍ଦେଶ କୁ ସି ଆର୍ ପି ସି 154 ଧାରା ଅନୁଯାୟୀ ଏଫ୍ ଆଇ ଆର୍ ଭାବେ ବିହିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ସମୟରେ ଜନ ପ୍ରତିନିଧି ଅଧିନିୟମ 1951 ଏବଂ ଆଚରଣ ସଂହିତାର ଉଲ୍ଲଙ୍ଘନ ହେଲେ, ନିୟମ ଆଧାରରେ ଆଗକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।