ପାରାଦ୍ୱୀପ – ପାରାଦ୍ୱୀପ ବନ୍ଦର ଆଙ୍କରେଜ୍ ପଏଣ୍ଟରେ ପଣ୍ୟବାହୀ ଜାହାଜ ସେର୍ନଷ୍ଟାର ଷ୍ଟେର୍ଲର୍ରୁ ଜଣଙ୍କୁ କୋରୋନା ଭାଇରସ ଅକ୍ରାନ୍ତ ସନେ୍ଦହରେ କଟକ ବଡ ମେଡିକାଲ ପଠାଯାଇଛି । ତାଙ୍କ ନାମ ହେଉଛି ପରାଶର ସୁଗମ । ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିଙ୍କେଶ ରୟ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବା କଥା ଏହି ଜାହାଜଟି ଫେବୃଆରୀ ୧୦ରେ ଚାଇନାରୁ ବାହାରି କୋରିଆ ଦେଇ ସିଙ୍ଗାପୁର ହୋଇ ପାରାଦ୍ୱୀପରେ କାଲି ଆଙ୍କରେଜ୍ ପଏଣ୍ଟରେ ପହଞ୍ଚିଥିଲା ।
ବିଶ୍ୱରେ ବ୍ୟାପୁଥିବା କୋରୋନା ଭାଇରସ ପାଇଁ ସତର୍କତା ଅବଲମ୍ବନ ପୂର୍ବକ ଆମର ଏକ ଡାକ୍ତରି ଟିମ ଯାଇ ଜାହାଜର କୁ୍ୟ ମେମ୍ବରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ବେଳେ ଏହି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖା ଯାଇଥିଲା । ଯାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ କଟକ ଏସିବି ମେଡିକାଲ ସହିତ ବ୍ୟାପକ ଆଲୋଚନା କରାଯିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ଥିବା ତାଙ୍କ ଧର୍ମ ପତ୍ନୀ ରିଚା ମଦନଙ୍କ ଠାରେ ସେହିଭଳି କିଛି ଲକ୍ଷଣ ଦେଖାଯାଇ ନାହିଁ ।
ଜାହାଜଟିକୁ ବର୍ଥକୁ ମାତ୍ର ୧୫ ମିନିଟ ପାଇଁ ଅଣାଯାଇ ପୁଣି ଆଙ୍କରିଙ୍ଗ ପଏଣ୍ଟକୁ ପଠାଇ ଦିଆଯାଇଛି । ଅନ୍ୟ ପକ୍ଷରେ ତାଙ୍କର ରକ୍ତ ନମୁନା ସଂଗ୍ରହ ପରେ ସେଥିରେ କୋରୋନା ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଜଣାପଡଛି । ଯଦି କୋରୋନା ପଜେଟିଭ ବାହାରେ ତେବେ ସାଙ୍ଘାତିକ ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି । ପାରାଦ୍ୱୀପବାସୀଙ୍କ ମଧ୍ୟରେ ଏ ଖବରକୁ ନେଇ ଆତଙ୍କ ଖେଳି ଯାଇଛି ।