ପାଣିକୋଇଲି : ହସ୍ପିଟାଲରେ ମରଣସହ ସଂଗ୍ରାମ କରୁଥିବା ଲୋକକୁ ମରଣାନ୍ତକ ଆକ୍ରମଣ ଓ ଜୀବନରୁ ମାରିବା ଯୋଜନା ହୋଇଥିବା ନେଇ ଯାଜପୁର ଜିଲ୍ଲା ଟମକା ଥାନାରେ ଅଭିଯୋଗ ପରେ ମଧ୍ୟ ପୁଲିସ ନିରବ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ମୃତୁ୍ୟସହ ସଂଗ୍ରାମ କରୁଥିବା ଟମକା ଥାନା ମାଣତିରି ଗ୍ରାମର ସୁକାନ୍ତ ମାଝୀଙ୍କ ସ୍ତ୍ରୀ ସରୋଜିନୀ ଏସପିଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୋଗ ମୁତାବକ ଗତ ୨୩ ତାରିଖ ମଧ୍ୟାନ୍ନରେ ସୁକାନ୍ତ ଘରକୁ ଫେରୁଥିବା ବେଳେ କାଳିଆ ବେହେରା ତାଙ୍କ ସହଯୋଗୀଙ୍କ ସହାୟତରେ ତାଙ୍କୁ ଅଟକାଇଥିଲେ ।
ସେଠାରୁ ଖସିବାକୁ ସୁକାନ୍ତ ଉଦ୍ୟମ କରୁଥିବା ବେଳେ ତାଙ୍କୁ ମୁଣ୍ଡକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ହାତ ଭାଙ୍ଗି ଟଙ୍କା ଛଡାଇନେଇଥିଲେ । ଏମିତିକି ତାଙ୍କୁ ଜିବନରୁ ମାରିଦେବାକୁ ପିଂଟୁ ରାଜ, କୈଳାସ ମାଝୀ ଓ ବୋଧିରାମ ମାଝୀ ଯୋଜନା କରିଥିବାର ଅଭିଯୋଗରେ ଦର୍ଶାଯାଇଛି । ସୁକାନ୍ତ ଏବେ ଟାଟା ମେଡିକା ଆସିୟୁରେ ମୃତୁ୍ୟ ସହ ସଂଗ୍ରାମ କରୁଥିବା ବେଳେ ଅଭିଯୋଗ ପରେ ବି ପୁଲିସ ନିରବଦ୍ରଷ୍ଟା ସାଜିଛି । ଅଭିଯୁକ୍ତ ବା ସହଯୋଗୀ ମାନଙ୍କୁ ରାଜନୈତିକ ଛତ୍ରଛାୟା ତଳେ ସୁରକ୍ଷା ଦେଉଛି । ପୁଲିସର ହାତବାନ୍ଧି ବସିବା ଯୋଗୁ ଏସପିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସରୋଜିନୀ । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।
