ଡ଼ଃ.ଅରୁନ୍ଧତୀ ଦେବୀ : ପଣ୍ଡୁଓଷା ମାର୍ଗଶିର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ଡୁପୂର୍ଣ୍ଣିମା କୁହାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତର ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ହେତୁ ସର୍ବତ୍ର ଫିକାଧଳା ବା ପାଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ବଡ଼ ଓଷା ପରି ଏହି ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜଙ୍କୁ ପୂଜା ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦେ୍ଦଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଦିଷ୍ଟ ବିଧି ରହିଅଛି । ଏଥିପାଇଁ ଗୃହଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ ।
ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷ କରି ପୁରୋହିତଙ୍କ ଦ୍ୱାର ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢ଼ିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହା ସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁ ଓଷା ଏକ ନିଷ୍ଠାର ବ୍ରତ । ନାରୀ ଜାତି ବିଶେଷକରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଲୋକ ଗୀତରେ ଅଛି, ଅଇଲା ପଣ୍ଡୁ ମଲେ ମଶା / ଫାଟୁଆ ଦେଲେ ମୁରୁକି ହସା ।
ପାଣ୍ଡବମାନଙ୍କ ବଡ଼ ଭାଇ ଯୁଧିଷ୍ଠିରଙ୍କୁ ଏହି ଓଷା ସମର୍ପିତ । ଏହାକୁ ନେଇ ଓଡ଼ିଶାରେ ଏକ ଲୋକପ୍ରିୟ କାହାଣୀ ମଧ୍ୟ ରହିଛି । କଳିଙ୍ଗ ରାଜାଙ୍କର କୌଣସି ସନ୍ତାନ ନଥିଲା । ସେ ଓ ତାଙ୍କ ରାଣୀ ପଣ୍ଡୁ ଓଷା କରିବା ପରେ ତାଙ୍କ ଭାଗ୍ୟ ବଦଳିଥିବା ଶୁଣିବାକୁ ମିଳେ । ମାର୍ଗଶୀର ମାସ ସାରା ମହିଳାମାନେ ପ୍ରତ୍ୟହ ସକାଳୁ ରାସ୍ତା ଝାଡ଼ୁ କରନ୍ତି । ପଣ୍ଡୁ ପୂର୍ଣ୍ଣିମା ଦିନ ଏହା ଶେଷ ହୁଏ । ସନ୍ଧ୍ୟାରେ ସେମାନେ ପଣ୍ଡୁ ଓଷା ପାଳନ କରନ୍ତି । ଭାଇଙ୍କ ଶୁଭ ମନାସି ସେମାନେ ଏହି ପୂଜା କରିଥାନ୍ତି ।
ଶ୍ରୀମନ୍ଦିରରେ ପରମ୍ପରା ଓ ବିଧିବିଧାନର ସହ ପଣ୍ଡୁ ପୂର୍ଣ୍ଣିମା ପାଳନ କରାଯାଏ । ଏ ଅବସରରେ ପଣ୍ଡୁ ନୃସିଂହଙ୍କର ଚାରି ଆଶ୍ରମ ବିଜେ ପାଳିତ ହୋଇଥାଏ । ସକାଳ ଧୂପ ପରେ ପାଳିଆ ପୁଷ୍ପାଳକମାନେ ମଇଲମ ଓ ବେଶ ସମ୍ପାଦନ କରିଥାନ୍ତି । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଆଜ୍ଞାମାଳ ଲାଗି କରାଯାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣି ଭୋଗ ସମ୍ପାଦନ ହେଲେ, ମହାଜନ ସେବକ ପଣ୍ଡୁ ନୃସିଂହଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି । ସେଠାରେ ତାଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଯାଏ । ରୁନ୍ଧା ବଢ଼ିବା ପରେ ବିମାନବଡ଼ୁ ସେବକ ବିମାନକୁ ଶ୍ରୀକ୍ଷେତ୍ରର ଚାରି ଆଶ୍ରମରେ ପଦାର୍ପଣ କରାଇଥାନ୍ତି । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ପରେ ପଣ୍ଡୁ ନୃସିଂହ ଶ୍ରୀମନ୍ଦିରକୁ ବିଜେ କରନ୍ତି ।
