ହିମାଂଶୁ ଶେଖର ଆଚାର୍ଯ୍ୟ : ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭ ସମୟର କଥା । ଓଡିଆ ଭାଷାର ସ୍ଥିତି ସେତେବେଳେ ବିପନ୍ନ । ଭାଷାର ସୁରକ୍ଷା ପାଇଁ ଆରମ୍ଭ ହୁଏ ସଂଗ୍ରାମ । ସେ ହିଁ ଥିଲେ ଏହି ଭାଷା ସୁରକ୍ଷା ସଂଗ୍ରାମର ଆଦ୍ୟ ପୁରୋଧା । ଜାତି ପ୍ରାଣରେ ଭରିଥିଲେ ଉକ୍ରଳୀୟତାର ଚିନ୍ତା-ଚେତନା । ବିଚ୍ଛିନାଞ୍ଚଳ ମିଶ୍ରଣ ଆନେ୍ଦାଳନ ସେ ହିଁ ଆରମ୍ଭ କରିଥିଲେ । ସେ ହିଁ ପ୍ରେରଣା ଦେଇଥିଲେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କୁ । ସେ ହେଉଛନ୍ତି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ଏକାଧାରରେ ସେ ଥିଲେ ସଫଳ ଶିକ୍ଷକ, ଆଦର୍ଶ ସମ୍ପାଦକ, ଉଚ୍ଚକୋଟୀର ଲେଖକ ଓ ସର୍ବୋପରି ବ୍ୟାସକବିଙ୍କ ଭାଷାରେ ଉକ୍ରଳର ପ୍ରିୟ ଶ୍ରେଷ୍ଠ ପୁତ୍ର ।
ଏହି ଯୋଗଜନ୍ମା ସାଧକଙ୍କ ଜନ୍ମ ହୋଇଥିଲା ୧୮୬୭ ମସିହା ଡିସେମ୍ବର ମାସ ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ଅନ୍ତର୍ଗତ ବୈଦ୍ୟେଶ୍ୱରସ୍ଥିତ ବ୍ରଜବିହାରୀପୁର ଶାସନରେ । ତାଙ୍କ ପିତାଙ୍କ ନାମ ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ । ତାଙ୍କ ସାଂଙ୍ଗିଆ ଥିଲା ମିଶ୍ର । “ବିଦ୍ୟାରତ୍ନ” ଉପାଧିରେ ଭୂଷିତ ହେଲାପରେ ସେ ନୀଳମଣି ମିଶ୍ର ପରିବର୍ତ୍ତେ ନୀଳମଣି ବିଦ୍ୟାରତ୍ନ ଭାବେ ସୁପରିଚିତ ହୋଇଥିଲେ । ନୀଳମଣିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ମାତ୍ର ନିଜର ପ୍ରଚଣ୍ଡ ପ୍ରତିଭା ଓ କଠୋର ଅଧ୍ୟବସାୟ ବଳରେ ସେ ୧୮୮୦ ମସିହାରେ ବୈଦ୍ୟେଶ୍ୱର ପ୍ରାଥମିକ ବିଦ୍ୟାଳୟରୁ, ୧୮୮୨ ମସିହାରେ ଚର୍ଚ୍ଚିକା ମାଇନର ସ୍କୁଲରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କଟକ ନର୍ମାଲ ସ୍କୁଲରେ ପଢିବା ପାଇଁ ଆସିଲେ । କଟକରେ ସେ ବାଙ୍କୀର ପ୍ରଖ୍ୟାତ ପଣ୍ଡିତ ଗୋବିନ୍ଦ ରଥଙ୍କ ଘରେ ରହିଲେ । କଟକ ଆସିଲା ବେଳେ ମାଆଙ୍କ ଠାରୁ ବହି କିଣିବା ଆଳରେ ଛଅ ଅଣା ପଇସା ମାତ୍ର ନେଇ ଆସିଥିଲେ । ପ୍ରବଳ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ପାଠପଢିବା ସମ୍ଭବ ହେଲାନାହିଁ । ପାଠପଢାରେ ଡୋରି ବନ୍ଧାହେଲା । ନିରାଶାରେ ଗ୍ରାମକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କଟକରେ କବିବର ରାଧାନାଥଙ୍କ ସହ ତାଙ୍କର ସାକ୍ଷାତ ହେଲା । ଏଇଠୁ ଘଟିଲା ତାଙ୍କ ଭାଗ୍ୟର ପରିବର୍ତ୍ତନ । ରାଧାନାଥ ତାଙ୍କୁ ଚାକିରି ଯୋଗାଡ କରିବାର ପ୍ରତିଶ୍ରୁତି ଦେବା ସହ କଟକରେ କିଛିଦିନ ରହି ତାଙ୍କ ପେନସିଲ୍ ଲେଖା ପାଣ୍ଡୁଲିପିକୁ କାଳିରେ ଉତ୍ତାରି ଦେବାକୁ କହିଲେ ।
ଏହାପରେ ରାଧାନାଥଙ୍କ ଏକ ପତ୍ର ନେଇ ବଡମ୍ବାସ୍ଥିତ ଗୋପୀନାଥପୁର ସ୍କୁଲରେ ଶିକ୍ଷକ ଭାବେ ଯୋଗଦେଲେ । ଆନ୍ତରିକତାର ସହ ମନୋନିବେଶ କରି ଶିକ୍ଷା ଓ ଶିକ୍ଷାୟତନର ଅଭିବୃଦ୍ଧି ପାଇଁ ସେ ଲାଗିପଡିଲେ । ଏଥିସହିତ ଗୋପୀନାଥପୁରର ସାମଗ୍ରିକ ଉନ୍ନତି ପାଇଁ ମଧ୍ୟ ପ୍ରୟାସ କଲେ । ଏହି ସ୍କୁଲରେ ରହଣି ମଧ୍ୟରେ ଗୋପୀନାଥପୁର ସ୍କୁଲର ଗୋଟିଏ ଛାତ୍ର ବୃତ୍ତି ଲାଭକଲା । ବଡମ୍ବା ଶିକ୍ଷା ଇତିହାସରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଥିଲା । ମହାରାଜା ଦାଶରଥି ମଙ୍ଗରାଜଙ୍କ ମ୍ୟାନେଜର ଏଥିପାଇଁ ବଡମ୍ବାରେ ଏକ ସ୍ୱତନ୍ତ୍ର ଉତ୍ସବ କରି ନୀଳମଣିଙ୍କୁ ସମ୍ମାନିତ କଲେ । ମହାରାଜାଙ୍କ ପାଟ୍ଟମହିଷୀ ତାଙ୍କ ମନୋରମ କବିତା ଆବୃତ୍ତିରେ ମୁଗ୍ଧା ହୋଇ ନୀଳମଣିଙ୍କୁ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ । ପରେ ବାମଣ୍ଡା ମହାରାଜା ବାସୁଦେବ ସୁଢଳଦେବ ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ନୀଳମଣିଙ୍କ ଅନୁରୋଧ କ୍ରମେ ବଡମ୍ବା ରାଣୀଙ୍କ ପୂର୍ବପ୍ରଦତ୍ତ “ବିଦ୍ୟାରତ୍ନ” ଉପାଧିକୁ ସ୍ୱୀକାର କରି ତଦନୁରୂପ ସନନ୍ଦ ପ୍ରଦାନ କରିଥିଲେ ।
ମହାରାଜା ବାସୁଦେବ ସୁଢଳଦେବଙ୍କ ପୃଷ୍ଠପୋଷକତାରେ ପଶ୍ଚିମ ଓଡିଶାରେ ଓଡିଆ ଭାଷାର ଜାଗ୍ରତ ପ୍ରହରୀ ଥିଲେ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ଜିଲ୍ଲାରୁ ଯେତେବେଳେ ଓଡିଆ ଭାଷା ଉଠାଇ ଦେଇ ହିନ୍ଦୀ ଭାଷା ଚଳାଇବାକୁ ସ୍ଥିର କରି ଆଦେଶନାମା ସରକାର ପ୍ରକାଶ କଲେ ସେତେବେଳେ ସେ ଓଡିଆ ଭାଷା ସପକ୍ଷରେ ଆନେ୍ଦାଳନ ଆରମ୍ଭ କଲେ । ୧୮୮୭ ମସିହାରେ “ସମ୍ବଲପୁର ହିତୈଷିଣୀ” ନାମକ ଏକ ପତ୍ରିକା ପ୍ରକାଶ କଲେ । ପ୍ରଥମେ ଗଣେଶ୍ୱର ପଟ୍ଟନାୟକ ଏହି ପତ୍ରିକାର ସମ୍ପାଦକ ହେଲେ । କିଛିଦିନ ପରେ ମହାରାଜା ସୁଢଳଦେବ ନୀଳମଣି ବିଦ୍ୟାରତ୍ନଙ୍କୁ ସ୍ଥାୟୀ ସମ୍ପାଦକ ରୂପେ ନିଯୁକ୍ତ କଲେ । ନୀଳମଣି ଏହି କାର୍ଯ୍ୟରେ ଯେଉଁ ଶକ୍ତି, ସାମର୍ଥ୍ୟ ଓ ପ୍ରତିଭା ଦେଖାଇଲେ ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ସମ୍ବଲପୁର ହିତୈଷିଣୀରେ ନୀଳମଣି ଓ ମହାରାଜା ସୁଢଳଦେବ ନିୟମିତ ଭାବେ ଲେଖାଲେଖି କରୁଥିଲେ । ଏହାଛଡା କବିବର ରାଧାନାଥ, ଭକ୍ତକବି ମଧୁସୂଦନ ରାଓ, ବିଶ୍ୱନାଥ କର, ଚନ୍ଦ୍ରମୋହନ ମହାରଣା, ଚିନ୍ତାମଣି ମହାନ୍ତି, ସ୍ୱଭାବକବି ଗଙ୍ଗାଧର ମେହେର ପ୍ରଭୃତି ସାରସ୍ୱତ ସାଧକମାନେ ଏହି ପତ୍ରିକାରେ ଲେଖି ସାରସ୍ୱତ ପ୍ରତିଷ୍ଠା ଲାଭ କରିଥିଲେ । ଏହିପରି ଭାବେ ନୀଳମଣି ହିତୈଷିଣୀ ମାଧ୍ୟମରେ ଉଭୟ ପ୍ରାଚୀନ ଓ ନୂତନ ଲେଖକ, କବି ଓ ସାରସ୍ୱତ ପ୍ରତିଭାଙ୍କ ଲେଖାକୁ ପ୍ରକାଶ କରାଇ ବୃହତ୍ତର ଉକ୍ରଳୀୟ ସାଂସ୍କୃତିକ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ ।
ସମ୍ବଲପୁରରେ ଭାଷା ଆନେ୍ଦାଳନ ତୀବ୍ର ହେଲା । ସେ ଆନେ୍ଦାଳନରେ ଯେଉଁମାନେ ଅଗ୍ରଣୀ ଭୂମିକା ନେଲେ ସେମାନେ ହେଲେ ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର, ଚନ୍ଦ୍ରଶେଖର ବେହେରା, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର ଓ ଶଙ୍କର ପ୍ରସାଦ ପାଢୀ । ଏହାକୁ ଅନବରତ ଇନ୍ଧନ ଯୋଗାଉଥିଲେ ନୀଳମଣି । ନୀଳମଣିଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ନେତୃବୃନ୍ଦଙ୍କ ଆନେ୍ଦାଳନ ଯୋଗୁଁ ଶେଷରେ ସରକାର ସମ୍ବଲପୁରରେ ଓଡିଆ ଭାଷା ପ୍ରଚଳନ ପାଇଁ ଆଦେଶ ଦେଲେ । କେବଳ ସମ୍ବଲପୁର ନୁହେଁ, ସେ ସମଗ୍ର ଓଡିଆ ଭାଷାଭାଷୀ ଅଞ୍ଚଳର ହିତକାମନା କରୁଥିଲେ । ମାତୃଭାଷା ଓଡିଆର ଅବନତି ଦେଖି ଇଂରେଜ ଶାସକ କିଛି କରୁନଥିବାରୁ ନୀଳମଣି ଗଭୀର ଶୋକ ପ୍ରକାଶ କରିଥିଲେ । ଓଡିଆମାନଙ୍କୁ ନିଜ ଉଦ୍ୟମରେ ଓଡିଆ ସ୍କୁଲ ଖୋଲିବାକୁ ସେ ପରାମର୍ଶ ଦେଇଥିଲେ । ନୀଳମଣି ଜଣେ ଆଦର୍ଶ ସମ୍ପାଦକ ଥିଲେ । ସପକ୍ଷ ଓ ବିପକ୍ଷ ଉଭୟ ଲେଖା ଉପାଦେୟତା ଦୃଷ୍ଟିରୁ ବିଚାର କରି ପ୍ରକାଶ କରୁଥିଲେ । ତେଣୁ ହିତୈଷିଣୀରେ ପ୍ରକାଶିତ ପ୍ରବନ୍ଧ ଗୁଡିକର ମାନ ଏତେ ଉଚ୍ଚସ୍ତରର ଥିଲା ଯେ ସେତେବେଳେ ପାଠକମାନେ ହିତୈଷିଣୀର ପ୍ରକାଶ ଦିବସକୁ ଉକ୍ରଣ୍ଠାର ସହ ଅପେକ୍ଷା କରୁଥିଲେ । ନୀଳମଣି ହିଁ ପ୍ରଥମେ ପ୍ରତିଭାଧର ଗଙ୍ଗାଧର ମେହେରଙ୍କ କବିତାକୁ ହିତୈଷିଣୀରେ ଛାପିଥିଲେ ଓ ଆହୁରି ଲେଖିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ।
ନୀଳମଣି ଜଣେ ଉଚ୍ଚକୋଟୀର ଲେଖକ ଥିଲେ । ସେ ଓଡିଆ ଓ ବଙ୍ଗଳା ଭାଷାରେ ପାରଙ୍ଗମ ଥିଲେ । ତାଙ୍କର ଲେଖିବା ଶୈଳୀ ଥିଲା ସ୍ୱତନ୍ତ୍ର । ସେଥିରେ ନା ଥିଲା ପାଣ୍ଡିତ୍ୟର ଅଭିମାନ ବା ଶବ୍ଦର ଆଡମ୍ବର । ତାଙ୍କ ପ୍ରବନ୍ଧ ମାନଙ୍କ ମଧ୍ୟରେ ପ୍ରତିଭାପୂଜା, ବିହଙ୍ଗମ ପ୍ରଣୟ, ପଶୁ ହତ୍ୟା, ଗୋଧନ ରକ୍ଷା, ପଖାଳ ଭାତ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏଥିସହିତ ସେ କେତେକ ଛୋଟ ଛୋଟ ପୁସ୍ତକ ରଚନା କରିଛନ୍ତି ଯଥା – କନ୍ୟା ବିକ୍ରୟ, ସମାଜ କଳଙ୍କ, ଜିହ୍ୱା ସୁଖ ଓ ଜୀବନ । ଏ ସମସ୍ତ ସଂସ୍କାରମୂଳକ । ସେହିପରି ପ୍ରବାଦ ପୁଷ୍ପାଞ୍ଜଳି, ଗ୍ରାମ ସମିତି ପୁସ୍ତକ ରଚନା କରିଥିଲେ । ଖାଲି ସେତିକି ନୁହେଁ, ସେ ସମୟରେ ଓଡିଆ ଭାଷାରେ ଅଶୁଦ୍ଧ ପ୍ରୟୋଗର କଠୋର ସମାଲୋଚନା ନୀଳମଣି କରୁଥିଲେ । ଉକ୍ରଳ ଭାଷାର ବିଶୁଦ୍ଧତା ରକ୍ଷା କରିବା ସର୍ବପ୍ରଥମ କର୍ଯ୍ୟ ବୋଲି କହୁଥିଲେ । ସେହିଭଳି ଶିକ୍ଷକଙ୍କ ମଧ୍ୟରେ ବିଦ୍ୟାଚର୍ଚ୍ଚା ପ୍ରତି ଉତ୍ସାହର ଅଭାବ ଦେଖି ସେ କ୍ଷୋଭ ପ୍ରକାଶ କରିଥିଲେ ।
୧୯୨୩ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ଇହଲୀଳା ସମ୍ବରଣ କଲେ । ଉକ୍ରଳର ସାରସ୍ୱତ ଆକାଶରୁ ଏକ ଦୀପ୍ତିମାନ ନକ୍ଷତ୍ରର ଅବସାନ ହେଲା । ନୀଳମଣିଙ୍କ ବିୟୋଗରେ ବହୁ ବଳିଷ୍ଠ ବ୍ୟକ୍ତି ଶୋକାଭିଭୂତ ହୋଇପଡିଥିଲେ । ଆଜି ସେ ବିସ୍ମୃତିରେ । ଉତ୍ତରପିଢି ତାଙ୍କୁ ଭୁଲିଯିବାକୁ ବସିଲାଣି । ହେଲେ ସେ ଜୀଇଁ ରହିଛନ୍ତି ଓ ରହିଥିବେ କାଳକାଳକୁ ଓଡିଆ ଜାତି ଓ ଓଡିଆ ଭାଷାର ଶ୍ରୀବୃଦ୍ଧି ସାଧନରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ।
