ହିମାଂଶୁ ଶେଖର ଆଚାର୍ଯ୍ୟ : ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ସତ୍ୟବାଦୀ ଯୁଗର ଅନନ୍ୟ ସାରସ୍ୱତ ସ୍ରଷ୍ଟା । ତାଙ୍କର କୃତି ଓ କୀର୍ତ୍ତି ଏ ଜାତିର ଜାତୀୟ ଚିନ୍ତା-ଚେତନାକୁ ରୁଦ୍ଧିମନ୍ତ କରିଛି । ସରଳ ସାବଲୀଳ ଭାଷା ଓ ସୁନ୍ଦର ଶବ୍ଦ ସଂଯୋଜନା ତାଙ୍କର କାବ୍ୟ କବିତାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଥିଲା । ଗୋଦାବରୀଶଙ୍କର ସୃଜନଶୀଳତାର ଚଉହଦୀ ବେଶ୍ ପ୍ରସାରିତ ଥିଲା । ସାହିତ୍ୟର ବିଭିନ୍ନ ବିଭାଗ ଗଳ୍ପ,ଉପନ୍ୟାସ,କବିତା ଓ ନାଟକରେ ସେ ଲେଖନୀ ଚାଳନା କରି ତାଙ୍କ ପ୍ରତିଭାର ସ୍ୱାକ୍ଷର ଛାଡିଯାଇଛନ୍ତି । ‘କାଳିଜାଇ’ କବିତା ତାଙ୍କ କବି ଜୀବନର ଏକ ଅନବଦ୍ୟ ସୃଷ୍ଟି । ଓଡିଆଭାଷା ଓ ଜାତିପ୍ରୀତି ଗୋଦାବରୀଶଙ୍କ ଲେଖନୀରେ ବିଶେଷ ଭାବେ ମୂର୍ତ୍ତିମନ୍ତ ହୋଇଉଠିଥିଲା ।ଏକାଧାରରେ ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ଲବ୍ଧପ୍ରତିଷ୍ଠ ସାହିତି୍ୟକ, ପ୍ରବୀଣ ଶିକ୍ଷାବିତ୍, ବଳିଷ୍ଠ ସଂସ୍କାରକ, ଦକ୍ଷ ସମ୍ପାଦକ, ନିସ୍ୱାର୍ଥପର ଜନସେବକ ଓ ସର୍ବୋପରି ମହାନ୍ ଜନନାୟକ ।
ଏହି ଯୋଗଜନ୍ମା ସାଧକ ୧୮୮୬ ମସିହା ଅକ୍ଟୋବର ୨୬ ତାରିଖରେ ପୁରୀ ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଲିଙ୍ଗରାଜ ମିଶ୍ର ଓ ମାତାଙ୍କ ନାମ ଥିଲା ଅପସରା ଦେବୀ ।
ପରିବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ପ୍ରତିଭା ଉନ୍ମେଷରେ ପ୍ରତିବନ୍ଧକ ସାଜି ନଥିଲା । ବାଣପୁରରୁ ଗୋଦାବରୀଶ ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୦୬ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ଏଣ୍ଟ୍ରାନ୍ସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ୧୯୧୦ ମସିହାରେ ସେ ରେଭେନ୍ସା କଲେଜରୁ ଦର୍ଶନଶାସ୍ତ୍ରରେ ବି.ଏ ଓ ୧୯୧୨ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍.ଏ ପାଶ୍ କରିଥିଲେ । ଉଚ୍ଚତର ଡିଗ୍ରୀ ହାସଲ କରିବା ପରେ ସେ ଚାହିଁଥିଲେ କୌଣସି ଗୋଟିଏ ଉଚ୍ଚ ପାହ୍ୟାର ସରକାରୀ ଅଫିସର ବା ଅଧ୍ୟାପକ ହୋଇପାରିଥାନ୍ତେ । କିନ୍ତୁ ଅର୍ଥ ଓ ସମ୍ମାନ ଲାଳସା ତାଙ୍କର ନଥିଲା । ପଦ ମର୍ଯ୍ୟାଦାକୁ ଭ୍ରୁକ୍ଷେପ ନକରି ସେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବନବିଦ୍ୟାଳୟରେ ୧୯୧୪ ମସିହାରେ ଶିକ୍ଷକ ଭାବେ ଯୋଗଦାନ କରି ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୧୮ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରେ ସେ ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।
ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଜଣେ ବଳିଷ୍ଠ ସଂସ୍କାରକ । ବାଲ୍ୟକାଳରୁ ସଂସ୍କାର ପ୍ରବୃତ୍ତି ତାଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଥିଲା । ଯଦିଓ ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ତଥାପି ରକ୍ଷଣଶୀଳତାର ନୀତିନିୟମର ବନ୍ଧନରୁ ସେ ମୁକ୍ତ ଥିଲେ । ସେଥିପାଇଁ ସେ କେତେକ ବନ୍ଧୁମାନଙ୍କ ସହଯୋଗରେ ଗଠନ କରିଥିଲେ “ହିନ୍ଦୁ ସମାଜ” । ଏହି ହିନ୍ଦୁ ସମାଜର ଲକ୍ଷ୍ୟ ଥିଲା ଜାତି, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ଜାତିହୀନ ସମାଜ ଗଠନ କରିବା । ଏଥିରେ ସାମିଲ ହୋଇଥିବା ବନ୍ଧୁମାନେ ଥିଲେ ନୀଳକଣ୍ଠ ଦାସ, ଲକ୍ଷ୍ମୀଦତ୍ତ ମହାନ୍ତି, ଜୀବନାନନ୍ଦ ମିଶ୍ର, କପିଳ ବିହାରୀ ରାୟ, କୃତ୍ତିବାସ ସାମନ୍ତରାୟ ଓ ବିଚିତ୍ରାନନ୍ଦ ଦାସ । ଏହିଠାରେ ହିଁ ସେ ନିଜର ପଇତା ତ୍ୟାଗ କରିଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ ଦାଢିକାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି ନୀଳକଣ୍ଠ ଓ ଗୋଦାବରୀଶ ଦାଢିକାଟି ନିଶ ରଖିଥିଲେ । ଯାହାକି ସେତେବେଳେ ନିଶ ଆନେ୍ଦାଳନ ନାମରେ ପରିଚିତ । ସେ ଜୀବନରେ ଯାହା ଠିକ୍ ବୋଲି ଭାବୁଥିଲେ ଶତ ବାଧାବିଘ୍ନ ସତ୍ତ୍ୱେ ତାକୁ ସମ୍ପାଦନ କରୁଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।
ଗୋଦାବରୀଶ ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଯାଇଛନ୍ତି । ତାଙ୍କ ରଚିତ ନାଟକ ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ରେ ସେ ଉକ୍ରଳୀୟମାନଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବା ପାଇଁ ପ୍ରୟାସ କରିଥିଲେ । ‘ଆଲେଖିକା’ ଓ ‘କିଶଳୟ’ ଆଦି ଗାଥା କବିତା ଓଡିଆ ସାହିତ୍ୟ ଗନ୍ତାଘରକୁ ଗୋଟିଏ ଗୋଟିଏ ଅମୂଲ୍ୟ ଅବଦାନ । ସେହିପରି ‘କାଳିଜାଇ’ କବିତା ଏକ ଆଞ୍ଚଳିକ କିମ୍ବଦନ୍ତୀକୁ ନେଇ ସୃଷ୍ଟି ିହୋଇଥିଲେ ମଧ୍ୟ ଏଥିରେ ପଲ୍ଲୀବାଳା ଜାଇର ମାନସିକ ଅର୍ନ୍ତବେଦନା ଓ ଭାବନା ଗୋଦାବରୀଶଙ୍କ ଲେଖନୀରେ ଅତି ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି । ଖାଲି ସେତିକି ନୁହେଁ ଜାତୀୟ ଚେତନାରେ ଉଦ୍ବୁଦ୍ଧ କରିବା ପାଇଁ ସେ ଲେଖିଥିଲେ – ତୁଙ୍ଗ ଶିଖିରୀ ଚୂଳ ….. କୁଞ୍ଜ କାନନମାଳ ପରି ଦେଶାତ୍ମବୋଧକ କବିତା । ରାଧାନାଥଙ୍କ – ସର୍ବେଷାଂ ନୋ ଜନନୀ ଭାରତ, କାନ୍ତକବିଙ୍କ – ବନେ୍ଦ ଉକ୍ରଳ ଜନନୀ ପରି ଏହି ଗୀତ ଆଜି ସମଗ୍ର ରାଜ୍ୟରେ ଏକ ନିଆରା ଦେଶାତ୍ମବୋଧ ସଙ୍ଗୀତ ରୂପେ ପରିଗଣିତ ।
ସେହିପରି ‘ଅଭାଗିନୀ’ ଓ ‘ଅଠର ଶହ ସତର’ ଉପନ୍ୟାସ ମାଧ୍ୟମରେ ଜାତୀୟ ଚେତନା ତଥା ସମାଜ ସଂସ୍କାର ପାଇଁ ଚେଷ୍ଟା କରିଥିଲେ ଗୋଦାବରୀଶ । ତାଙ୍କ ରଚିତ ଆତ୍ମଜୀବନୀ “ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ” କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛି । ଓଡିଆ ସାହିତ୍ୟ କ୍ଷେତ୍ରରେ ତାହା ଏକ ସ୍ୱତନ୍ତ୍ର ସ୍ଥାନ ଦାବିକରେ ।
ଗୋଦାବରୀଶଙ୍କ ରାଜନୈତିକ ଜୀବନ ୧୯୨୪ ମସିହାରୁ ଆରମ୍ଭ ହୋଇଥିଲା । ୧୯୨୪ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ସେ ଜିଲ୍ଲାବୋର୍ଡର ସଦସ୍ୟ ଥିଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ପରେ ଗୋଦାବରୀଶ ବାଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ । ୧୯୪୧ ମସିହାରୁ ୧୯୪୪ ମସିହା ପର୍ଯ୍ୟନ୍ତ ସେ ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ମିଳିତ ମନ୍ତ୍ରୀମଣ୍ଡଳରେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟକରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ୧୯୪୩ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କ ଅବଦାନ ଭୁଲିବାର ନୁହେଁ
