ପା ଞ୍ଚ ପୀଢ ୪/୯ କରଞ୍ଜିଆ ବନଖଣ୍ଡର ୭ ଟି ସ୍ଥାନରେ ୩୨ ହାତୀଙ୍କ ଉପଦ୍ରବ ଓ ଆତଙ୍କ। ଦୀର୍ଘ ଦିନ ପରେ କେନ୍ଦୁଝର ବନଖଣ୍ଡରୁ ୧୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଦେଓ ନଦୀ ଡେଇଁ ଓ ଝାଡ଼ଖଣ୍ଡରୁ ୨ ନୂତନ ହାତୀ କୁଜିଆମ ହୋଇ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି। ଏହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ଦନ୍ତାକୁ କେନ୍ଦୁଝର ବନ କର୍ମଚାରୀ ମାନେ ଗତକାଲି ସକାଳ ସାଢେ଼ ୭ ଟା ସମୟରେ ଦେଓ ନଦୀ ପାର କରି କରଞ୍ଜିଆ ବନଖଣ୍ଡ ମଧ୍ୟକୁ ଘଉଡ଼ାଇ ଦେଇଥିଲେ। ବର୍ତ୍ତମାନ ଏହି ଦନ୍ତା ଚଉଠିଆ ଜଙ୍ଗଲ ହୋଇ ମତ୍ତା ସଂରକ୍ଷିତ ଜଙ୍ଗଲରେ ରହିଛି।ପରେ ପରେ କେନ୍ଦୁଝର ବନଖଣ୍ଡ କର୍ମଚାରୀ ମାନେ ଅନ୍ୟ ଏକ ୧୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କୁ ବିଳମ୍ବିତ ରାତ୍ର ପ୍ରାୟ ସାଢେ଼ ବାରଟା ସମୟରେ ଦେଓ ନଦୀ ପାର କରି କରଞ୍ଜିଆ ବନଖଣ୍ଡ ମଧ୍ୟକୁ ଘଉଡ଼ାଇ ଦେଇଥିଲେ। ବର୍ତ୍ତମାନ ଏହି ହାତୀପଲ ବଡଦେଉଳୀ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ଏହି ୧୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମୁସାଖରୀ ଭୀମକୁଣ୍ଡ ବଡ଼ବିଲ ଦେଇ ଜଟିଆହୁଡି ନିକଟରେ ଦେଓ ନଦୀ ଲଘିଂ କରଞ୍ଜିଆ ବନଖଣ୍ଡ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ଯେଉଁଆଡେ ଯାଉଛନ୍ତି ଧାନ ଫସଲ କିଆରି ଦଳି ଚକଟି ନଷ୍ଟ କରିବା ସହ ଉପୁଡ଼ି ଖାଇ ଦେଉଛନ୍ତି।ବନ କର୍ମଚାରୀ,ଗଜସାଥି ଓ ଗାଁ ଲୋକମାନେ ସେମାନଙ୍କ ପଛେ ପଛେ ନିଆଁ ହୁଳା ଓ ଟିଣବାଜା ବଜାଇ ଘଉଡ଼ାଉଥିବାରୁ ସେମାନେ ଅନେକ ସମୟରେ ଏଣେତେଣେ ରାଗରେ ବିଲ ବାଡ଼ି ନଷ୍ଟ କରୁଛନ୍ତି। ଏହି ଦଳରେ୩ ଟି ଦନ୍ତା,୧୦ ମାଇ ଓ ୫ ଛୁଆ ହାତୀ ରହିଛନ୍ତି। ଏହାଛଡା ସିଙ୍ଗଡ଼ା ସେକ୍ସନ ପୋଖରିଆ ଠାରେ ନୂତନ ଭାବେ ୧ ଟି ଦନ୍ତା ଓ ୧ ଟି ମାଇ ହାତୀ ଝାଡ଼ଖଣ୍ଡ ରାଜ୍ୟରୁ ଆସିଛନ୍ତି। କାଦଡିହା ସେକ୍ସନ ପଡେଇଧୁଡା ଠାରେ ଗୋଟିଏ ଶିମିଳିପାଳ ଦନ୍ତା,ଦରି ଠାରେ ୩ ଟି, ଠାକୁରମୁଣ୍ଡା ଚମ୍ପାଝର ସେକ୍ସନ ଜରକ ଠାରେ ୪ ଟି, ଗୁଡଭଙ୍ଗା ସେକ୍ସନ ସାତକୋଶିଆ ଠାରେ ୪ ଟି ହାତୀ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।ମୋଟ ୧୧ଟି ଦନ୍ତା,୧୪ ଟି ମାଇ ଓ ୭ ଟି ଛୁଆ ହାତୀଙ୍କ ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଓ ରାତିରେ ନିଆଁହୁଳା ଧରି ନିଜ ଘରଦ୍ୱାର ଓ ଧାନବିଲ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ସେମାନେ ବନବିଭାଗ କର୍ମଚାରୀ ମାନଙ୍କୁ ନାକେଦମ କରି ରଖିଛନ୍ତି
