ଇସ୍ଲାମାବାଦ୍: ପାକିସ୍ତାନରେ ଏବେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ ଏବେ ନିଜର କାୟା ବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ ଖୋଦ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜନୈକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଯାଇଥିବା ଜାଣିବାକୁ ମିଳିଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କର କରୋନା ବା କୋଭିଡ୍-୧୯ ନମୁନା ପରୀକ୍ଷା କରାଯିବା ସହ ତାଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନ୍ ବା ସଙ୍ଗରୋଧରେ ରଖାଯିବ ବୋଲି ତାଙ୍କ ବ୍ୟକ୍ତିଗତ ଡାକ୍ତର ଫୈଜାଲ ସୁଲତାନ କହିଛନ୍ତି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନର ଜନୈକ ସମାଜସେବୀ ତଥା ଇଦ୍ହୀ ଫାଉଣ୍ଡେସନର ଅଧ୍ୟକ୍ଷ ଅବଦୁଲ ସତ୍ତାର ଇଦ୍ହୀଙ୍କ ପୁତ୍ର ଫୈଜାଲ ଇଦ୍ହୀ ଗତ ୧୫ ତାରଖରେ ଆସି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ସାକ୍ଷାତ୍ କରି ଫେରିଥିଲେ। ଫୈଜାଲ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାକ୍ଷାତ କରି ଯିବାପରେ ସେ କରୋନା ପଜିଟିଭ୍ ରୂପେ ଚିହ୍ନଟ ହୋଇଥିଲେ। ତେଣୁ, ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ ଯେହେତୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେଣୁ ତାଙ୍କର କରୋନା ନମୁନା ପରୀକ୍ଷା କରାଯିବା ସହ ତାଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନ୍ ବା ସଙ୍ଗରୋଧରେ ରଖାଯିବ ବୋଲି ତାଙ୍କ ବ୍ୟକ୍ତିଗତ ଡାକ୍ତର ଫୈଜାଲ ସୁଲତାନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଏବେ ୯,୦୦୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୨ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି।