Odisha news

ବ୍ରହ୍ମପୁର :ଶ୍ରମଜୀବି ପରିବାର ଏବେ କାମଧନ୍ଦା ଅଭାବରୁ ଗାଆଁମୁହାଁ,୬୦ରୁ ଉର୍ଦ୍ଧ ଶ୍ରମଜୀବି ଭିଟାମାଟି ଅଭିମୁଖେ

0

ଭଞ୍ଜନଗର : – କରୋନା ଦେଇଛି ଅନେକ ଯାତନା । ଦୁଃଖର ପାହାଡ ଅନେକ ଶ୍ରମଜୀବି ଗରୀବ ଓ ଅସହାୟ ପରିବାର ପାଇଁ ସତେଯେମିତି ଭାଙ୍ଗି ପଡିଛି । ଅକୁହା ବେଦନାକୁ ସାଥୀ କରି ଅନେକ ଶ୍ରମଜୀବି ଏବେ ଭୋକଉପାସରେ ଗାଆଁ ମୁହାଁ ହୋଇଛନ୍ତି । ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଦୃଶ୍ୟ ବୁଧବାର ଭଞ୍ଜନଗରରେ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ଶ୍ରମଜୀବିଭାବେ କାର୍ଯ୍ୟକରୁଥିବା ସୁଦୂର ବଲାଙ୍ଗୀର ଓ ବରଗଡ ଜିଲ୍ଲାର କେତେକ ଶ୍ରମଜୀବି ପରିବାର ଏବେ କାମଧନ୍ଦା ଅଭାବରୁ ଗାଆଁମୁହାଁ ହୋଇଛନ୍ତି । ୧୨ଟି ପରିବାରର ୬୦ଜଣ ସଦସ୍ୟ ଏବେ ବ୍ରହ୍ମପୁର ଠାରୁ ଚାଲି ଚାଲି ନିଜ ଗାଆଁକୁ ଯିବାକୁ ବାହାରିଛନ୍ତି । ୨ଦିନ ତଳୁ ଏମାନେ ବ୍ରହ୍ମପୁରରୁ ବାହାରିଛନ୍ତି । ବୁଧବାର ଏମାନେ ଭଞ୍ଜନଗରରେ ପହଞ୍ଚିବାପରେ ଏହି ଭୋକିଲାଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ବ୍ୟବସ୍ଥା କରାଯାଇଛି ।

ପରେ ଏମାନେ ପୁଣି ନିଜ ଭିଟାମାଟି ଅଭିମୁଖେ ବାହାରିଛନ୍ତି । ମିଳିଥିବା ସୂଚନାପ୍ରକାରେ ଏମାନେ ବ୍ରହ୍ମପୁର ଓ ସେହି ପାଖାପାଖି ରତନପୁର ଅଞ୍ଚଳରେ ରହି କାମ କରୁଥିଲେ । ଏମାନଙ୍କ ମଧ୍ୟରୁ କିଛି ଇଟା ଶ୍ରମିକ ଭାବେ କାମ କରୁଥିବାବେଳେ କିଛି ପରିବାର ବ୍ରହ୍ମପୁର ସହରରେ ଶ୍ରମିକଭାବେ କାମ କରୁଥିଲେ । ତେବେ ଲକ୍ ଡାଉନ୍ କାରଣରୁ କାମଧନ୍ଦା ମିଳିନଥିବାବେଳେ ସେମାନଙ୍କ ପାଖରେ ଥିବା ସଞ୍ଚôତ ଅର୍ଥ ସରିବାକୁ ବସିଥିଲା । ତେଣୁ ଶେଷରେ ବାଧ୍ୟହୋଇ ଏମାନେ ଘରମୁହାଁ ହୋଇଥିବା କହିଛନ୍ତି କିଛି ଶ୍ରମଜୀବି । ଏମାନଙ୍କ ମଧ୍ୟରେ ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଞ୍ଚଡା ଓ ଢେଙ୍କିମୁଣ୍ଡା ଗ୍ରାମର ୨୧ ଜଣ ରହିଥିବାବେଳେ ଅନ୍ୟ ୪୯ଜଣ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଟିକାପଡା ଫାଣ୍ଡିର ନୂଆଁମୁଣ୍ଡା ଓ ରାମୁଡୁ ଗ୍ରାମର ଲୋକବୋଲି ଜଣାପଡିଛି । ଏହି ୬୦ଜଣିଆ ଦଳରେ ୧ବର୍ଷରୁୁ ୭ବର୍ଷର ୧୪ଜଣ ଛୋଟ ଛୋଟ ଛୁଆ ଅଛନ୍ତି । ଏହି ଶ୍ରମିକମାନଙ୍କ ଦଳରେ ସବୁଠାରୁ ବୟସ୍କ ବରଗଡ ଚେଙ୍କିମୁଣ୍ଡା ଗ୍ରାମର ଧନେଶ୍ୱର ପାଣ୍ଡି (୭୦)ଙ୍କ କହିବା ପ୍ରକାରେ ଖାଇବାକୁ ନପାଇ ଭୋକ ଉପାସରେ ଗୋଟିଏ ସ୍ଥାନରେ ପଡିରହିବା ଅପେକ୍ଷା ନିଜ ଭିଟାମାଟି ଅଭିମୁଖେ ବାହାରିଯିବା ଭଲ ।

ତେବେ ଏତେ ସଂଖ୍ୟକ ଶ୍ରମଜୀବି ଚାଲିଚାଲି ଯିବାବେଳେ ସ୍ଥାନୀୟ ଏନଏସି କର୍ମଚାରୀମାନେ ନିଜ ନିଜ ମଧ୍ୟରେ କିଛି ଚାନ୍ଦା କରିବାସହ କିଛି ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ଚାନ୍ଦା ମାଗି ଏମାନଙ୍କ ପାଇଁ ଚୁଡା, ଚିନି, ବିସ୍କୁଟ ଓ ପାଉଁରୁଟି ଆଦି ବଣ୍ଟନ କରିଥିଲେ । ଭଞ୍ଜନଗର ଦମକଳ କେନ୍ଦ୍ର ଠାରେ ଏସବୁ ବଣ୍ଟନ କରାଯିବାପରେ ପୁଣିଥରେ ଏମାନେ ନିଜ ଗନ୍ତବ୍ୟ ପଥରେ ବାହାରିଥିଲେ । ପରେ ସ୍ଥାନୀୟ ସୋରାଦେବୀ ମନ୍ଦିର ନିକଟରେ ଏହି ଅସହାୟ ଶ୍ରମଜୀବିଙ୍କ ପାଇଁ ଭୋଜନର ବ୍ୟବସ୍ଥା ହାତକୁ ନେଇଥିଲେ ଲଣ୍ଡେଇସାହିର ହେଲ୍ପିଂ ହେଣ୍ଡର ସଦସ୍ୟଗଣ । ରୋଷେଇ କରି ଏମାନେ ସୋରାଦେବୀ ପୀଠରେ ଏହି ଶ୍ରମଜିବୀଙ୍କୁ ଖାଇବାକୁ ଦେଇଥିଲେ । ଭଞ୍ଜନଗର ଏନଏସି କର୍ମଚାରୀମାନେ ଏଥିରେ ମଧ୍ୟ ସମ୍ପୂର୍ଣ୍ଣ ସହାୟତା କରିଥିଲେ । ବାସ୍ତବରେ କରୋନା ମହାମାରୀ ଏବେ ଅସହାୟ ଶ୍ରମଜୀବିଙ୍କ ପାଇଁ ଏକପ୍ରକାର ଅଭିଶାପ ପାଲଟିଛି ।

Leave A Reply