ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟାୟ ହୋଇଥିବା ବେଳେ ଯେଉଁ ସବୁ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି, ତା’ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଶିକ୍ଷାକ୍ଷେତ୍ର । ଗତ ମାର୍ଚ୍ଚ ମାସ ଠାରୁ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି । ଶିକ୍ଷାବର୍ଷ ଶେଷ ନହେଉଣୁ ବନ୍ଦ କରିଦିଆଯିବା ପରୀକ୍ଷା ବାତିଲ, ଫଳ ପ୍ରକାଶରେ ବିଳମ୍ବ, ନାମଲେଖାରେ ବିଳମ୍ବ ଘଟିଛି । ଏହାର ପ୍ରଭାବ ୨୪୦ ମିଲିଅନ ଛାତ୍ରଛାତ୍ରୀ ଏବଂ ୯.୫ ମିଲିଅନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପରେ ସିଧାସଳଖ ପଡିଛି । ସ୍କୁଲଗୁଡିକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହା ସତ୍ୱେ ଦେଶରେ ଏବେ ଯେପରି କରୋନା ଭୂତାଣୁ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି, ଅଗଷ୍ଟ ୩୧ ପରେ ଯେ, ସ୍କୁଲଗୁଡିକ ଖୋଲିବ, ତାହା କହିବା ଅତ୍ୟନ୍ତ ତରବରିଆ ହେବ । ଦୀର୍ଘ ୬୮ ଦିନିଆ ଲକଡାଉନ ପରେ ଏବେ ଅନଲକ୍-୨ ଚାଲିଛି । ଅନଲକ୍-୩ ସମୟରେ ସ୍କୁଲଗୁଡିକ ପୁନଃ ଖୋଲିବା ସମ୍ଭାବନା ଦେଖାଯାଉନାହିଁ । ଅନ୍ୟପକ୍ଷରେ ବହୁ ବିଳମ୍ବରେ ହେଲେ ବି ଏବେ ମ୍ୟାଟ୍ରିକ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନର ବାର୍ଷିକ ପରୀକ୍ଷାଫଳ ପ୍ରକାଶ ପାଇବାରେ ଲାଗିଛି । ତେବେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ଆଶା କରାଯାଏ । ସ୍କୁଲଗୁଡିକ କ୍ରମାଗତ ୫ମାସ ଧରି ବନ୍ଦ ରହିବା ଯୋଗୁଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୩୦ ପ୍ରତିଶତ ସିଲାବସ୍(ପାଠ୍ୟଖସଡା) କମାଇ ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଅନ୍ୟ ଶିକ୍ଷା ବୋର୍ଡ ଏବଂ ରାଜ୍ୟ ସରକାରମାନେ ଅନୁରୂପ ପଦକ୍ଷେପ ନେବା ପାଇଁ ସଂଗେତ ଦେଇ ସାରିଲେଣି । ଦୀର୍ଘ ମାସ ମାସ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବାରୁ ଶିକ୍ଷାଦାନ ସଂପୂର୍ଣ୍ଣ ଠପ ହୋଇଯାଇଛି । ତେବେ ଶିକ୍ଷାଦାନ ଜାରି ରଖିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡିକ ଅନ-ଲାଇନରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଆରମ୍ଭ କରିଛନ୍ତି ।
ଗତ ମେ’ ମାସରେ କେନ୍ଦ୍ର ସରକାର ‘ଇ-ବିଦ୍ୟ’ ଅଭିଯାନ ଆରମ୍ଭ କରିଛନ୍ତି । ମୋବାଇଲ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇଛି । ଯେଉଁ ପିଲାଙ୍କ ପାଖଷର ସ୍ମାର୍ଟଫୋନ୍ ରହିଛି, ଇଂଟରନେଟର ସୁବିଧା ରହିଛି,ସେହି ପିଲାମାନେ କେବଳ ଅନଲାଇନ୍ରେ ଶିକ୍ଷାଦାନ ସୁବିଧା ପାଉଛନ୍ତି । କେବଳ ସହରାଚଂଳ ଏବଂ ଏହାର ଆଖପାଖ ଅଂଚଳରେ ଅନଲାଇନ୍ ଶିକ୍ଷା ଉପଲବଧି ସ୍ମାର୍ଟଫୋନ୍ ଥିବା ପିଲାମାନେ କେବଳ ଏହି ଶିକ୍ଷା ପାଉଥିବା ବେଳେ ଅନ୍ୟମାନେ ବଂଚିତ ହେଉଛନ୍ତି । ଦୁର୍ଗମ ଅଂଚଳରେ ଅନଲାଇନ୍ ଶିକ୍ଷା ସାତସପନ, ସେଠାରେ ସ୍ମାର୍ଟଫୋନ୍ କ’ଣ ସେମାନେ ଜାଣନ୍ତି ନାହିଁ । ଏବେ ବି ଦେଶରେ ବହୁ ଅଂଚଳ ରହିଛି, ଯେଉଁଠାରେ ମୋବାଇଲ, ସ୍ମାର୍ଟଫୋନ୍ ଦେଖିବାକୁ ବିରଳ । ଅନଲାଇନ୍ ଶିକ୍ଷା ନେଇ ଏବେ ବହୁ ବିରଳ ଦୃଶ୍ୟ ଦେଖିବାକୁ ମଳିଛି । କେଉଁଠି ଛାତ୍ର ଗଛ ଉପରେ ଚଢି ସ୍ମାର୍ଟଫୋନରେ ପାଠ ପଢୁଛି ତ, କେଉଁଠି ପାହାଡ ଉପରକୁ ଯିବାକୁ ପଡୁଛି । କେଉଁଠି ପାଣିଟାଙ୍କି ଉପରକୁ ଚଢିବାକୁ ପଡୁଛି । ଆଭ୍ୟନ୍ତରୀଣ ବା ଦୁର୍ଗମ ଅଂଚଳରେ ନେଟୱାର୍କ ରହୁନଥିବା ବେଳେ ଆବଶ୍ୟକ ଭିତିଭୂମି ଅଭାବରୁ ଛାତ୍ରଛାତ୍ରୀମାନେ ବଂଚିତ ହେଉଛନ୍ତି ।
ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି, ସେମାନେ ବିପଦଜନକ ପରିସ୍ଥିତିରେ ପାଠ ପଢୁଛନ୍ତି । ଛାତ୍ରମାନେ ବସି, ପାହାଡର ଶିଖରକୁ ଚଢି, ସୁଉଚ୍ଚ ପାଣିଟାଙ୍କି ଉପରେ ଛିଡା ହୋଇ ସ୍ମାଟଫୋନରେ ପାଠ ପଢୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ଏକ ଦଶମାଂସ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ଉପଲବ୍ଧ ହେଉଥିବା ବେଳେ ଅନ୍ୟମାନେ ବଂଚିତ ହେବା ସାର ହେଉଛି । ଏହା ନିଶ୍ଚିତ ଯେ, ସାଂପ୍ରତିକି ସମୟରେ ଅନଲାଇନ୍ ଶିକ୍ଷାଦାନ ସୀମିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେଗାଇ ଦେଉଥିବା ବେଳେ ଅନ୍ୟମାନେ ବଂଚିତ ହେଉଛନ୍ତି । ଏହାକୁ କଦାପି ସମୟୋପଯୋଗୀ ବୋଲି କୁହାଯାଇପାରିବ ନାହିଁ । କିମ୍ବା ଏହା ଏକ ସିଲଭର ବୁଲେଟ ନୁହେଁ । ଅନ୍ୟପକ୍ଷରେ ଆମ ଦେଶରେ ସ୍କୁଲରେ ବସି ଅଧ୍ୟୟନ ହେଉଛି ଏକମାତ୍ର ପନ୍ଥା । ଯେଉଁ ଦେଶରେ ପିଲାମାନେ ଦୁଇ ଓଳି ଦୁଇମୁଠା ଖାଇବାକୁ ପାଆନ୍ତି ନାହିଁ, ସେଥିପାଇଁ ଅଧାରୁ ପାଠ ଛାଡନ୍ତି । ସେମାନଙ୍କୁ ଧରି ରଖିବା ପାଇଁ ମଧ୍ୟାହ୍ନ ଭୋଜନ ସହ ମାଗଣାରେ ସ୍କୁଲ ୟୁନିଫର୍ମ, ଜୋତା ଓ ବହିପତ୍ର ଯୋଗାଇ ଦିଆଯାଉଛି, ସେଠାରେ ଇ-ବିଦ୍ୟା ବା ଅନଲାଇନରେ ଶିକ୍ଷାଦାନ ଏକ ନିଷ୍ଫଳ ପ୍ରୟାସ ବୋଲି କୁହାଯାଇପାରିବ । ଅନଲାଇନ୍ ଶିକ୍ଷାଦାନ ପାଇଁ ପ୍ରଥମେ ଭିତିଭୂମିକୁ ସୁଦୃଢ କରିବାକୁ ହେବ । ଏହା ସତ୍ୟ ଯେ, ଅଫଲାଇନ୍ ଓ ଅନଲାଇନ ମିଶ୍ରଣ ଶିକ୍ଷାଦାନ ଭବିଷ୍ୟତ ପାଇଁ ଉପଯୋଗୀ ହେବ ।
ଶିକ୍ଷା କେବଳ ସ୍ମାର୍ଟଫୋନରେ ପଢିଦେଲେ ହେବନାହିଁ । କିମ୍ବା କେବଳ ଶୁଣିଦେଲେ ହେବ ନାହିଁ । ଶିକ୍ଷାଦାନ ସମୟରେ ଛାତ୍ର ଶିକ୍ଷକଙ୍କ ମଧ୍ୟରେ ପ୍ରଶ୍ନୋତର, କଥୋପକଥନ, ସନେ୍ଦହ ଦୂର ପାଇଁ ମତବିନିମୟ ଏବଂ ଶେଷରେ ଦକ୍ଷତା ବିକାଶ ନିହାତି ଜରୁରୀ । ପ୍ରଥମେ ଏସବୁ ପାଇଁ ଭିତିଭୂମୀ ଦୃଢ କରିବା ଆବଶ୍ୟକ । ଏବେ ସ୍କୁଲ ଗୃହ ବା କୋଠି ଛାତ୍ରଛାତ୍ରୀମାନଙ୍କୁ ଯେଭଳି ସହାୟକ ହେଉଛି, ଅନଲାଇନ ଶିକ୍ଷା, ତାହା କରିପାରିବ ନାହିଁ । ସାଂପ୍ରତିକି ସମୟରେ ଶିକ୍ଷାଦାନ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ବାନ୍ଧି ରଖିବା ପାଇଁ ଏହା ଏକ ଉତମ ତଥା ସ୍ୱାଗତଯୋଗ୍ୟ ପ୍ରୟାସ ଏଥିରେ ସନେ୍ଦହ ନାହିଁ । ଅନଲାଇନ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍ ସହ ଇଂଟରନେଟ୍ ର ସୁବିଧା ସୁଯୋଗ ପହଁଚାଇବା ଜରୁରୀ ।
