ଅଲେଖ ଚନ୍ଦ୍ର ସାମଲ, ଓଏଫଏସ୍-୧ (ଏସ୍ବି) : ଆଜି ହେଉଛି ଷଟ୍ତିଳା ଏକାଦଶୀ । ଏହି ଦିନ ଓଡ଼ିଶା ପ୍ରସିଦ୍ଧ ଗୁମ୍ଫା କ୍ଷେତ୍ରକୁ ନେଇ ଲକ୍ଷାଧିକ ଜନସମାଗମ ହେଉଥିବା ଯାତ୍ରା ଓଳାଶୁଣୀ ଗୁମ୍ଫା ଯାତ୍ରାର ପ୍ରଥମ ଦିନ । ଚଳିତ ବର୍ଷ ମହାମାରୀ କରୋନାର ପ୍ରକୋପକୁ ଲକ୍ଷ୍ୟରେ ରଖି ପ୍ରଶାସନ ବଡ଼ମେଳାର ଆୟୋଜନକୁ ଅନୁମତି ପ୍ରଦାନ କରିନାହାଁନ୍ତି କେବଳ ପାରମ୍ପରିକ ଲୋକରୀତିର ଏକାଦଶୀ ପରମ୍ପରା ଓ ସାଧୁସଙ୍ଗତିର ଆୟୋଜନ ଅନୁମତି ଦିଆଯାଇଛି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସଂସାରର କୌଣସି ଜୀବ କର୍ମ ନକରି ରହିପାରେ ନାହିଁ । ସେଥିପାଇଁ ଜାଣତରେ ହେଉ ଅବା ଅଜାଣତରେ, ପ୍ରାଣୀ କୌଣସି ନା କୌଣସି ପାପ କରିପକାଇଥାଏ । ପାପରୁ ମୁକ୍ତି ପାଇବା ପାଇଁ ମଧ୍ୟ କର୍ମ କରିବାକୁ ପଡ଼ିଥାଏ । ପାପ କର୍ମରୁ ମୁକ୍ତି ପାଇବା ଲାଗି ଶାସ୍ତ୍ରରେ ଅନେକ ପ୍ରକାରର ଉପାୟ ବର୍ଣ୍ଣିତ । ଏଭଳି ଏକ କର୍ମ ହେଉଛି ମାଘ ମାସ କୃଷ୍ଣପକ୍ଷରେ ପଡ଼ୁଥିବା ଏକାଦଶୀ ବ୍ରତ । ଏହି ଏକାଦଶୀକୁ ଷଟ୍ତିଳା ଏକାଦଶୀ କୁହାଯାଇଥାଏ ।
ନାମ ଅନୁଯାୟୀ ଏହି ଏକାଦଶୀରେ ଛଅ ପ୍ରକାରର ତିଳର ଉପଯୋଗ କରିବା ଶ୍ରେଷ୍ଠ ଫଳ ପ୍ରଦାନ କରିଥାଏ । ଷଟ୍ତିଳା ଏକାଦଶୀ ବ୍ରତ ରଖିବାକୁ ଚାହୁଁଥିବା ସୁଧିଜନମାନେ ସୂର୍ଯେ୍ୟାଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରିବା ପରେ ତିଳର ମିଶ୍ରଣ ଲଗାଇ ସ୍ନାନ କରିବା ଉଚିତ । ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତିଳରୁ ପ୍ରସ୍ତୁତ ପ୍ରସାଦ ଅର୍ପଣ କରିବା ଏବଂ ତିଳରେ ହୋମ କରନ୍ତୁ । ଏହି ଏକାଦଶୀ ବ୍ରତରେ ତିଳ ଦାନ କରିବା ଉତ୍ତମ ଫଳ ପ୍ରଦାନ କରିଥାଏ । ଏହି ଦିନରେ ତିଳ ମିଶ୍ରିତ ଜଳ ପାନ କରିବା ଉଚିତ । ଏହି ବ୍ରତ କରିପାରୁନଥିବା ବ୍ୟକ୍ତି ଯଥା ସମ୍ଭବ ତିଳ ଉପଯୋଗ କରିବା ଉଚିତ୍ । ଏହାଦ୍ୱାରା ମଧ୍ୟ ପାପକ୍ଷୟ ହୋଇଥାଏ ।
ମାଘ କୃଷ୍ଣ ଏକାଦଶୀରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଲେଇ ମୌଜାରେ ଅବସ୍ଥିତ ଥିବା ଓଳାଶୁଣୀ ଗୁମ୍ଫା କ୍ଷେତ୍ରରେ ପ୍ରସିଦ୍ଧ ଓଳାଶୁଣୀ ଯାତ୍ରା ଆରମ୍ଭ ହୋଇଥାଏ । ଏହି ପାହାଡର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଓଳାଶୁଣୀ । ପାଖରେ ବୋହିଯାଇଛି ଗୋବରୀ ନଦୀ । ଏବଂ ଏହାର ନିକଟରେ ରହିଛି ବିଶ୍ୱ ପ୍ରସିଦ୍ଧ ଲଳିତଗିରି ବୌଦ୍ଧକ୍ଷେତ୍ର । ଏହି ଗୁମ୍ଫା କ୍ଷେତ୍ରର ସାମ୍ନାପଟେ ଏକ୍ସପ୍ରେସ୍ ହାଇୱେ ଦୈତାରୀ-ପାରାଦ୍ୱୀପକୁ ସଂଲଗ୍ନ ହୋଇଥିବାରୁ ଲକ୍ଷାଧିକ ଜନସମାଗମ ହୋଇଥାଏ । ତେବେ ଓଳାଶୁଣୀ ଗୁମ୍ଫା ଯାତ୍ରା ସହିତ ଭାବଗତ ସମ୍ପର୍କ ରହିଛି ମହାପୁରୁଷ ଶ୍ରୀ ଶ୍ରୀ ସନ୍ଥ ଅରକ୍ଷିତ ଦାସଙ୍କ ସହିତ । ଏହି ପାହାଡର ଉପରେ ଥିବା ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କ ସମାଧି ମନ୍ଦିର । ପଲେଇ ମୌଜାର ଏହି ପ୍ରସିଦ୍ଧ ତୀର୍ଥ କ୍ଷେତ୍ରର ପୂର୍ବ ଦିଗରେ ଗାଙ୍ଗି ପାହାଡ଼ ରହିଥିବାବେଳେ ପଶ୍ଚିମରେ ରହିଛି ଶୁଖୁଆପଡ଼ା ଗ୍ରାମ । ଉତ୍ତରରେ ଲଳିତଗିରି ପାହାଡ଼ ରହିଥିବାବେଳେ ଦକ୍ଷିଣ ଦିଗର ତଳଦେଶରେ ଗୋବରୀ ନଦୀ ଏହାର ପଦଧୌତ କରିଛି । ବଡ଼ଖେମୁଣ୍ଡି ରାଜ୍ୟର ଜଣେ ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବଙ୍କ ପୁତ୍ର ଥିଲେ ବଳଭଦ୍ର ଦେବ । ମାତ୍ର ସତର ବର୍ଷ ବୟସରେ ଅତୁଳ ରାଜକୀୟ ସମ୍ମାନକୁ ପଛକରି ପରଂବ୍ରହ୍ମଙ୍କ ପରମତତ୍ତ୍ୱ ଅନ୍ୱେଷଣରେ ଗୃହତ୍ୟାଗୀ ହୋଇ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିଲେ ।
ଜୀବନର ଅଧିକାଂଶ ସମୟ ଧ୍ୟାନ ଓ ପରିବ୍ରାଜରେ ବିତାଇବା ପରେ ସେ ପହଞ୍ଚôଥିଲେ ଏହି ଓଳାଶୁଣୀ ନାମକ ଚଣ୍ଡୀଦେବୀ ବାସ କରୁଥିବା ତକ୍ରାଳୀନ ଏକ ଭୟଙ୍କର ପରିବେଶରେ । ତେବେ ଏହି ପାହାଡ଼ ତକ୍ରାଳୀନ କେନ୍ଦ୍ରାପଡ଼ାର ନାମଜାଦା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ନାମରେ ଥିବାରୁ ସେ ତାଙ୍କୁ ସାକ୍ଷାତ କଲାପରେ ଏହି ପାହାଡ଼କୁ ନିଜ ସାଧନ କ୍ଷେତ୍ର ଭାବରେ ଗ୍ରହଣ କରିଥିଲେ । ସନ୍ଥ ଅରକ୍ଷିତ ତାଙ୍କ ସାଧନାକୃତୀ “ମହୀମଣ୍ଡଳ ଗୀତା’ର ଏକଶୀତିତମ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି “ସେ ଦିନ ଗୁରୁବାର ଜାଣ, ପର୍ବତୁ ଉଠିଆସୁ ପୁଣ । ହେ ଓଳାଶୁଣୀ ଗିରିବର, ଦୟା ରଖିବ ମୋହଠାରେ । ଗୁମ୍ଫାରେ ରହିବି ମୁଁ ଶୁଣ, ଯାଉଛି ଦୟା ଥିବ ପୁଣ । ବହୁତ ଭ୍ରମି ମୁଁ ଫୁଟିଲି, ତତେ ଆଶ୍ରା କରି ଅଇଲି ।’ ସନ୍ଥ ଅରକ୍ଷିତ ଦାସ ସ୍ଥାନୀୟ ଅଞ୍ଚଳରେ ଅନେକ ଆଧ୍ୟାତ୍ମିକ ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ କରି ସେମାନଙ୍କ ଜୀବନର ଗତିପଥକୁ ବଦଳାଇ ପାରିଛନ୍ତି । ସନ୍ଥ ଅରକ୍ଷିତ ଥିଲେ ନିତ୍ୟ ସନ୍ନ୍ୟାସୀ । ସେହି ଶୂନ୍ୟରୂପୀ ବ୍ରହ୍ମଙ୍କ ସମ୍ପର୍କରେ ମହୀମଣ୍ଡଳ ଗୀତରେ ଲିପିବଦ୍ଧ କରିଛନ୍ତି – “ଚଉଦ ବ୍ରହ୍ମାଣ୍ଡ ସହିତେ, ଶୂନ୍ୟରେ ଅଛନ୍ତି ସମସ୍ତେ । ମେରୁଠାରୁ ଯେତେ ପର୍ବତ, ଶୂନ୍ୟରେ ଅଛନ୍ତି ସମସ୍ତ । କାକରୁ ଗରୁଡ଼ ପର୍ଯ୍ୟନ୍ତେ, ଶୂନ୍ୟରେ ଅଛନ୍ତି ସମସ୍ତେ । ଚାଣ୍ଡାଳୁ ବ୍ରହ୍ମଯାଏ ଜାଣ, ଶୂନ୍ୟରେ ଆତଯାତ ପୁଣ ।’
ଓଡ଼ିଶା ପ୍ରସିଦ୍ଧ ଏହି ଅନ୍ୟତମ ଏକ ଲକ୍ଷାଧିକ ଜନସମାଗମ ହେଉଥିବା ଏହି ଯାତ୍ରାରେ ବର୍ଷ ବର୍ଷ ଧରି ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଛି । ଓଡ଼ିଶାର ଏହା ଏକ କ୍ୱଚିତ୍ ଘଟଣା ଯେଉଁଥିରେ କି ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ମାର୍ଗନିଦେ୍ର୍ଦଶିତ ସେବାକାର୍ଯ୍ୟକୁ ନିଃସ୍ୱାର୍ଥପର ଭାବେ ସେବାଦଳ କର୍ମୀମାନେ ତୁଲାଇଥାନ୍ତି ।
ତକ୍ରାଳୀନ ପଲାଇ ଭଜନ ମଣ୍ଡଳୀ ୧୯୭୬ ମସିହାରୁ ଗଢ଼ି ଉଠିଥିଲା ଲୋକପ୍ରିୟ ଚିକିତ୍ସକ କୃଷ୍ଣମୋହନ ସାମଲଙ୍କ ତତ୍ତ୍ୱାବଧାନରେ । ସେ ସମୟରେ ପାହାଡ଼ ଉପରକୁ ଆଜିକାଲିର ରାସ୍ତାଘାଟ, ବିଜୁଳି, ପରିମଳ, ପାନୀୟଜଳ ଦୂରର କଥା ଆବଡ଼ା ଖାବଡ଼ା ଓ କଣ୍ଟାଝଣ୍ଟାର ବୁଦା ଉପରେ ଯାତ୍ରୀମାନେ ପାହାଡ଼କୁ ଉଠୁଥିଲେ । ମଠର ସମ୍ପତ୍ତି ବୋଇଲେ ଥିଲା କିଛି ଚାଷଜମି ଓ ଗୋରୁଗାଈ । ୧୮୩୭ରେ ଅରକ୍ଷିତ ଦାସ ମହାସମାଧି ଗ୍ରହଣ କରିବା ପରେ ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ଦାସ ୧୮୮୯ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ୧୯୫୨ ପର୍ଯ୍ୟନ୍ତ ସନ୍ନ୍ୟାସୀ ଯୋଗେନ୍ଦ୍ର ଦାସ ଓ ସନ୍ନ୍ୟାସୀ ଲଛମନ୍ ଦାସ, ୧୯୯୦ ପର୍ଯ୍ୟନ୍ତ ମହନ୍ତ ମହାରାଜ ଭାବେ ଦାୟିତ୍ୱ ତୁଲାଉ ଥିଲେ । ୧୯୯୮ ପର୍ଯ୍ୟନ୍ତ ମହନ୍ତ ପର୍ଶୁରାମ ଦାସ ଦାୟିତ୍ୱ ତୁଲାଉଥିଲେ । ଏବେ ବିଶିଷ୍ଟ ଆଧ୍ୟାତ୍ମିକ ସାଧକ ନାମାନନ୍ଦ ଦାସ ମୁଖ୍ୟ ମହନ୍ତ ଭାବେ ସମସ୍ତ କାର୍ଯ୍ୟ ଓ ରୀତିନୀତି ସବୁ ପରିଚାଳନା କରୁଛନ୍ତି । ତାଙ୍କରି ମାର୍ଗ ଦର୍ଶନରେ ଏହି ପୀଠ ଅନେକ ପ୍ରଗତି ଓ ସେବାମୂଳକ ଉନ୍ନତି କାର୍ଯ୍ୟ ଅନୁଷ୍ଠିତ ହେଉଛି ।
ତେବେ ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଜନସମାଗମ ବର୍ଷକୁ ବର୍ଷ ବଢ଼ିବାରୁ ସେ ସମୟରେ ନିଜ କ୍ଷୁଦ୍ର ସାମର୍ଥ୍ୟକୁ ନେଇ ଗଢ଼ି ଉଠିଥିବା ପଲାଇ ଭଜନ ମଣ୍ଡଳୀର ପ୍ରେରଣାଦାତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ମାନ୍ଧାତା, ରାମଚନ୍ଦ୍ର ଦାସ ଓ କରୁଣାକର ସିଂହଙ୍କ ସହଯୋଗରେ ସାଇସେବାଦଳ କର୍ମୀମାନେ ଦର୍ଶନାର୍ଥୀ ଯାତ୍ରୀଙ୍କୁ ମହାପ୍ରସାଦ ବଣ୍ଟନ ସହ ପାଣି ବାଣ୍ଟିବା, ନାରାୟଣ ସେବା ଓ ସଫେଇ ଦାୟିତ୍ୱ ହାତକୁ ନେଇଥିଲେ । ସାଇ ସେବକମାନେ ପାହାଡ଼ ଉପରେ ଶୀତ ଦିନରେ ସମସ୍ତ ପ୍ରତିବନ୍ଧକକୁ ଖାତିର ନକରି ବାବାଙ୍କ ନାମ ସ୍ମରଣ ପୂର୍ବକ ନିଜ ଘରୁ ଆଣିଥିବା ଚାଉଳପତ୍ର ଓ ପନିପରିବାରେ ମଠର ସହଯୋଗ ନେଇ ସେବାକାର୍ଯ୍ୟ ତୁଲାଉଥିଲେ । ସେତେବେଳେ ପିଇବା ପାଣିର ଏକମାତ୍ର ମାଧ୍ୟମ ଥିଲା ପାହାଡ଼ ତଳେ ଥିବା ବାମ୍ଫି । ସାଇକର୍ମୀମାନେ ମାଠିଆରେ ପାଣି ଉଠାଇ ନିଜ କାନ୍ଧରେ ବୋହି ଦୁର୍ଗମ ପାହାଡ଼ ଉପରକୁ ବୋହି ନେଇ ତୃଷ୍ଣା ନିବାରଣ କରାଉଥିଲେ । ସେତେବେଳେ ସାଇକର୍ମୀମାନେ ରହିବା ପାଇଁ କୌଣସି ବାସସ୍ଥାନ ନପାଇ ମଠର ଗୋରୁ ଗୁହାଳରେ ଗୋବର ଉପରେ ନଡ଼ା ବିଛାଇ ରାତ୍ରି ଯାପନ କରୁଥିଲେ ।
ତେବେ ଓଳାଶୁଣୀ ଗୁମ୍ଫାଯାତ୍ରାରେ ସାଇସେବାର ମୁଖ୍ୟ ଉଦ୍ୟୋକ୍ତା ଓ ମାର୍ଗଦର୍ଶକ ଥିଲେ କୃଷ୍ଣମୋହନ ସାମଲ । ସେ ନିଜର ହୋମିଓପ୍ୟାଥି ବାକ୍ସ ଧରି ସେଠାରେ ଯାତ୍ରୀମାନଙ୍କୁ ସେବା ପ୍ରଦାନ କରୁଥିଲେ । ସେହିପରି ଘରୁ ନେଇଥିବା ପହଁରା ଓ ଝାଡ଼ୁରେ ପରିମଳ ସଫା କାର୍ଯ୍ୟ ତୁଲା ଯାଉଥିଲା । ୧୯୮୦ ବେଳକୁ ସରକାରୀ ବ୍ୟବସ୍ଥାରେ ମଟର ସାହାଯ୍ୟରେ ଅସ୍ଥାୟୀ ଜଳଯୋଗାଣ ବ୍ୟବସ୍ଥା କରାଗଲା । ଆଜି କଟକ-ଯାଜପୁର-କେନ୍ଦ୍ରାପଡ଼ା ତିନୋଟି ଜିଲ୍ଲାର ସଂଲଗ୍ନ ସ୍ଥାନରେ ଥିବା ଏହି ସ୍ଥାନଟି ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଭାବେ ମାନ୍ୟତା ପାଇଛି । ଗୁମ୍ଫାଯାତ୍ରା ବ୍ୟତୀତ ପ୍ରତିଦିନ ଅଗଣିତ ଯାତ୍ରୀ ଏହି ସ୍ଥାନକୁ ଯାଉଛନ୍ତି । ତୀର୍ଥସ୍ଥଳୀଟି ଉନ୍ନତିରେ ଯଥେଷ୍ଟ ସମୃଦ୍ଧ ହୋଇସାରିଛି । ଅନୁଜ ପ୍ରତୀମ ବିଶିଷ୍ଟ ସାମ୍ବାଦିକ ଶୁଭେନ୍ଦୁ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ଗଢ଼ି ଓଳାଶୁଣୀ ନାମକ ପତ୍ରିକା ପ୍ରକାଶନ କରିବା ସହ ପ୍ରତିବର୍ଷ ଏହି ଯାତ୍ରା ସମୟରେ ପ୍ରତିଭା ସମ୍ମାନ ସମାରୋହ ଓ ବିଭିନ୍ନ କାର୍ଯ୍ୟକ୍ରମ ସହ ସନ୍ଥ ଅରକ୍ଷିତ ଦାସ ସମ୍ମାନ ଓ ଓଳାଶୁଣୀ ସମ୍ମାନରେ ପ୍ରତିଭାବାନ ମାନଙ୍କୁ ସମ୍ମାନିତ କରାଯାଇଥାଏ ।
ଚଳିତବର୍ଷ ପୁରୀସ୍ଥିତ ରାଧାବଲ୍ଲଭ ମଠର ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଓ ବିଶ୍ୱଭାରତୀର ପ୍ରାକ୍ତନ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯିବ । ସ୍ଥାନୀୟ ସମିତିର ଆବାହକ ଉମେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ସାମଲ, ସୁମନ୍ତ ଭୂୟାଁ, ସତ୍ୟାନନ୍ଦ ଜେନା, ଶିବପ୍ରସାଦ ମଲ୍ଲିକ ପ୍ରମୁଖ ଭାଇମାନେ ଏହି ସେବାକାର୍ଯ୍ୟ ତୁଲାଉଛନ୍ତି । ଓଳାଶୁଣୀ ଗୁମ୍ଫା ଯାତ୍ରାରେ ସାଇସେବା ଆମ ସତ୍ୟସାଇ ସଙ୍ଗଠନର ଏକ ସ୍ୱତନ୍ତ୍ର ଉଲ୍ଲେଖନୀୟ ଓ ଆଦର୍ଶଣୀୟ ସେବାକାର୍ଯ୍ୟ ଭାବେ ଭଗବାନଙ୍କ ପାଦପଦ୍ମରେ ସମର୍ପିତ ହେବ ।
Comments are closed.