Odisha news

ଓଳାଶୁଣୀ ଗୁମ୍ଫା ଓ ପର୍ବତରେ ସାଧୁସେବା : ଆସନ୍ତୁ ଜାଣିବା ଓଳାଶୁଣୀ ଗୁମ୍ଫା ବିଷୟରେ

ଅଲେଖ ଚନ୍ଦ୍ର ସାମଲ, ଓଏଫଏସ୍-୧ (ଏସ୍ବି) : ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ ବିଭବରେ ଯାଜପୁର ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର । ଏହି ଜିଲ୍ଲାରେ ମା’ଦେବୀ ବିରଜା, ଶ୍ରୀବରାହ ଓ ପୁଣ୍ୟ ପାବନ ବୈତରଣୀ, ବିଶ୍ୱ ପ୍ରସିଦ୍ଧ ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି ସହ ପ୍ରସିଦ୍ଧ ଓଳାଶୁଣୀ ପୀଠ ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀର ଜଣେ ଯୁବରାଜ ନିଜ ଆଭିଜାତ୍ୟର ରାଜକୀୟ ତାଟବାଟକୁ ବଝାଇ ଦେଇ ତ୍ୟାଗପୂର୍ଣ୍ଣ ଜୀବନ ସହ ସମାଜର ମଙ୍ଗଳ ପାଇଁ ନିଜକୁ ସନ୍ନ୍ୟାସ ସାଧନାରେ ଗୃହତ୍ୟାଗୀ କରିଥିଲେ । ଓଳାଶୁଣୀ ଗୁମ୍ଫାଟି ହେଉଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲାଇ ମୌଜାରେ, ଯେଉଁ ପଲାଇରେ ଏହି ଲେଖକ ଦିନେ ଭୂମିଷ୍ଠ ହୋଇଥିଲା । ମୋ ପିତାମାତା ମୋତେ ପିଲାଦିନରୁ ଧର୍ମାଶ୍ରୀତ ଜୀବନ ଯାପନ ପାଇଁ ମାର୍ଗ ଦେଖାଇଥିଲେ । ସେମାନଙ୍କ ଧାର୍ମିକ ପ୍ରଭାବ ସାରା ଜୀବନ ମୋ ଉପରେ ବିଚ୍ଛୁରିତ ହୋଇ ରହିଛି । ମହାପୁରୁଷ ଅରକ୍ଷିତ ଦାସଙ୍କର ସାଧନାର କୃତୀ ହେଉଛି “ମହୀମଣ୍ଡଳ ଗୀତା’ ଯାହାକି ୧୯୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।

ଏହି ମହୀମଣ୍ଡଳ ଗୀତାରେ ସେ ବିଭିନ୍ନ ବିଷୟରେ ମାନବ ଜାତି ପାଇଁ ଲେଖନୀ ଚାଳନା କରିଛନ୍ତି । ପଞ୍ଚଭୂତ ମହିମା ଠାରୁ ଆତ୍ମାର ମହିମା, ମହାଶୂନ୍ୟ କଥା, ଭକତି ଯୋଗ, ସପ୍ତାଙ୍ଗ ଯୋଗ, ଦୁଃଖସୁଖ କଥା, ଦଶଅବତାର କଥା, ସହସ୍ରନାମ ମହିମା, ଜୀବ ପରମଭାବ, ବ୍ରହ୍ମର ମହିମା ବନ୍ଦନ ସହ ନିଜ ଜୀବନର ଗୃହତ୍ୟାଗ ବିଷୟ ବର୍ଣ୍ଣନା, ସହ ଓଳାଶୁଣୀ ପ୍ରବେଶକୁ ନେଇ ଏହିପରି ତେଇଶଟି ବିଷୟରେ ଆଲୋକପାତ କରିଛନ୍ତି । ନାମ ବ୍ରହ୍ମ ଓ ଯୁଗବାର୍ତ୍ତାକୁ ନେଇ ସେ ମହୀମଣ୍ଡଳ ଗୀତାରେ ଲେଖିଛନ୍ତି – “ନାମ ବ୍ରହ୍ମ, ନାମ ବ୍ରହ୍ମ, ନାମ ବ୍ରହ୍ମ ସାର, ଯେ ଭଜନ୍ତି ନର, ପୃଥ୍ୱୀ ନାଶେ କ୍ଷୟ ନୁହନ୍ତି, ଯୁଗେ ଯୁଗେ ସେ ଅମର । ଅକ୍ଷର ଯେ ନାମ ବ୍ରହ୍ମ ନ ଭଜନ୍ତି ମୂଢ଼ ନର, ତେଣୁ ଅଳ୍ପେ ନାଶଯାନ୍ତି ଯେ ଭଜନ୍ତି ସେ ଅମର ।’
ଓଳାଶୁଣୀ ଦେବୀ ପୂଜିତ ହେଉଥିବା ଓଳାଶୁଣୀ ପାହାଡ଼ରେ ଜନଗହଳି ପରିପୂର୍ଣ୍ଣ ହୋଇଥାଏ ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ । ସାଧୁସନ୍ଥ ମାନଙ୍କର ସଙ୍ଗମସ୍ଥଳୀରେ ତାଙ୍କ ରଚିତ ଭଜନ, ଜଣାଣ, ଖଜଣୀ ଓ କୀର୍ତ୍ତନ ସ୍ୱରରେ ଏହି ପୁଣ୍ୟ ତୀର୍ଥଭୂମି ପବିତ୍ରମୟ ହୋଇପଡ଼େ । ଭକ୍ତମାନେ ନିଜ ଘରୁ ଚାଉଳ, ଡାଲି, ପନିପରିବା ନେଇ ମହୋତ୍ସବରେ ସାମିଲ ହୋଇଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରପରି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକ ହୋଇ ପ୍ରସାଦ ସେବନ କରିଥାନ୍ତି । ନିଜେ ସନ୍ଥ ଅରକ୍ଷିତ ଦାସ ସମସ୍ତଙ୍କ ଘରୁ ଖାଦ୍ୟ ସଂଗ୍ରହ କରିଛନ୍ତି ଯାହାକୁ ସେ ନିଜ ଭାଷାରେ ଲେଖିଛନ୍ତି – “ଚଣ୍ଡାଳୁ ବ୍ରହ୍ମଯାଏ ପୁଣ, ଭକ୍ଷିଲି ସର୍ବ ଘରେ ଜାଣ । ତୁମ୍ଭେ ତ ସର୍ବ ଘଟେ ବସ, ତେଣୁ ମୁଁ ଭୁଞ୍ଜଇ ବିଶ୍ୱାସ ।’ ପ୍ରତିମାଶୂନ୍ୟ ତାଙ୍କର ସେହି ସାଧନାପୀଠରେ ମୁଖ୍ୟ ଭୋଗ ରୂପେ ପୋଡପିଠା ପୂଜାର୍ଚ୍ଚନା କରାଯାଏ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଅବାଧରେ ପ୍ରବେଶ କରିଥାନ୍ତି ।

ମହାନ ସାଧକ ଅରକ୍ଷିତ ଦାସଙ୍କ ମତରେ ଆମିଷ ଓ ନିରାମିଷ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ତେଣୁ ନିଜ ଇଛା ଅନୁସାରେ ଖାଦ୍ୟ ଗ୍ରହଣ କରିବାକୁ ସେ କହିଛନ୍ତି । ତାଙ୍କ ମତରେ ଲୋକଦେଖାଣିଆ ଆଶାପୂର୍ଣ୍ଣ ନିରାମିଷ ଭକ୍ଷଣର ଫଳ କିଛି ନଥାଏ । ତେଣୁ ସେ ତାଙ୍କର ମହୀମଣ୍ଡଳ ଗୀତାରେ ଆମିଷ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି – “ହେ ମନ କହୁଅଛି ମୁହିଁ, ଶରୀର ଆମିଷ ଅଟଇ । ରଜବୀର୍ଯ୍ୟ ଆମିଷ ଜାଣ, ତହିଁରୁ ସକଳ ଭିଆଣ । ଛପନକୋଟି ଜୀବ ଯେତେ, ଆମିଷରୁ ଜାତ ସମସ୍ତେ ।’ ସନ୍ଥ ଅରକ୍ଷିତଙ୍କ ମାନବବାଦୀ ଚିନ୍ତାଧାରା, ଧର୍ମ ଓ ଦର୍ଶନ, ମହତବାଣୀ ଆଗାମୀ ପୀଢ଼ିକୁ ମଧ୍ୟ ଆଲୋକ ଅନ୍ୱେଷଣ ପାଇଁ ଦିଗ୍ଦର୍ଶନ ଦେବାରେ ଯଥେଷ୍ଟ ସକ୍ଷମ ହୋଇପାରିବ । ତାଙ୍କ ରଚିତ ମହୀମଣ୍ଡଳ ଗୀତା, ମନଚଇତନ ଚଉତିଶା, ଭକ୍ତିଟୀକା, ବାଲ୍ୟବୋଧ ଗୀତା, ଶୂନ୍ୟଟୀକା, ଅବଧୂତ ସଂହିତା ଓ ଶତାବ୍ଦି ସଂହିତା ଭାରତୀୟ ଦର୍ଶନ କ୍ଷେତ୍ରକୁ ଉଜ୍ଜିବୀତ କରି ରଖିପାରିବ ।

ମହାପୁରୁଷ ଅରକ୍ଷିତ ଦାସ ୧୮୩୭ ମସିହା ମାଘ ମାସ କୃଷ୍ଣ ଏକାଦଶୀ ତିଥିରେ ଏହି ଓଳାଶୁଣୀରେ ହିଁ ଦେହ ତ୍ୟାଗ କରିଥିଲେ । ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ରଚନାରେ ଅରକ୍ଷିତ ଦାସଙ୍କ ସମ୍ବନ୍ଧରେ କାଳଜୟୀ ଲେଖାଟି ହେଉଛି – “ଓଳାଶୁଣୀ ପର୍ବତରେ ସାଧୁସେବା ହେବ । ଏକାକ୍ଷର ପରୀକ୍ଷାରେ ଅର୍କ୍ଷିତ କରିବ । କେତେ କେତେ ଭକ୍ତ ଆସି ସେଠାରେ ମିଳିବେ, ଅରକ୍ଷିତ ଠାରୁ କେହି ଉବୁରି ନଯିବେ ।’ ସନ୍ଥ ଅରକ୍ଷିତ ଦାସଙ୍କ ଦର୍ଶନ ହେଉଛି “ନାମ ପ୍ରଧାନ’ ଦର୍ଶନ । ତାଙ୍କ ଲେଖନୀରେ ପଞ୍ଚଶଖା ଧର୍ମର ଶୂନ୍ୟବାଦର ବହୁ ବର୍ଣ୍ଣନା ପରିଦୃଷ୍ଟ ହୋଇଛି । ତାଙ୍କ ମହୀମଣ୍ଡଳ ଗୀତା ଆମ ସାମ୍ପ୍ରତିକ ଜୀବନ ପାଇଁ ଜୀବନ ଚେତନାର ଏକ କାଳଜୟୀ କୃତୀ । ଓଡ଼ିଆ ଜନଜୀବନରେ ମହୀମଣ୍ଡଳ ଗୀତାକୁ ଭାଗବତ ପରି ଆଧ୍ୟାତ୍ମିକ ଭାବପୂର୍ଣ୍ଣ ମହାକାବ୍ୟ କହିଲେ ଅତୁ୍ୟକ୍ତି ହେବନାହିଁ ।

Nalco

Comments are closed.