ବାଲେଶ୍ୱର : ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅନୁଷ୍ଠିତ ଉପ-ନିର୍ବାଚନର ଭୋଟ ଗଣତି ଆସନ୍ତା ନଭେମ୍ବର ୧୦ତାରିଖରେ ହେବାକୁ ଥିବା ବେଳେ ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏ ସଂକ୍ରାନ୍ତରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଗଣତି ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲାା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମସ୍ତଙ୍କୁ ଭୋଟ୍ ଗଣତି ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।
ଆସନ୍ତା କାଲି(ନଭେମ୍ବର ୧୦ତାରିଖ) ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇଭିଏମ-ଭିଭିପାଟ୍ ୱେରହାଉସରେ ଭୋଟ ଗଣତି କାର୍ଯ୍ୟ ସକାଳ ୮ଘଟିକା ଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ ଏବଂ ଏହା ପରେ ଇଭିଏମ-ଭିଭିପାଟ ମେସିନର ଭୋଟ ଗଣତି କରାଯିବା ଯୋଜନା ରହିଛି । ଇଭିଏମ-ଭିଭିପାଟ୍ ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବାଲଟ୍ ଗଣତି ପାଇଁ ୩ଟି ଟେବୁଲ୍ର ବ୍ୟବସ୍ଥା ହୋଇଛି ।
ମୋଟ ୨୫ଟି ରାଉଣ୍ଡରେ ଭୋଟ ଗଣନା ହେବ ବୋଲି ସୂଚନା ମିଳିଛିା ଗଣତି କାର୍ଯ୍ୟ ପାଇଁ ପ୍ରାୟ ୨ଶହ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି ଫଳାଫଳ ସୂଚନା କିଭଳି ସୁରୁଖୁରୁରେ ପ୍ରଦାନ କରାଯାଇପାରିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିର ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛିା
