Odisha news

ଆଜି କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ : ରାସ୍ତା ଶୂନଶାନ , ଅତ୍ୟାବଶ୍ୟକ ସେବାରୁ ବଂଚିତ ହେବେନି କେହି

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧି ପ୍ରତିବାଦରେ ସୋମବାର ଦିନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବନ୍ଦ ପାଳନ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆ‌ହ୍ବାନ ଦେଇଛନ୍ତି।

ପିସିସି ସଭାପତି କହିଛନ୍ତି ଯେ ପେଟ୍ରାଲ୍‌, ଡିଜେଲ୍‌ ଓ ଗ୍ୟ‌ାସ୍‌ର ଅହେତୁକ ମୂଲ୍ୟ ବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅପରାଗତାର ପ୍ରତିବାଦ କରି ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ହସ୍ପିଟାଲ୍‌, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବିବାହ ଗାଡ଼ି ଓ ସ୍ବର୍ଗରଥ ଗାଡ଼ିକୁ ଅଟକାଯିବ ନାହିଁ। ସମସ୍ତ କଂଗ୍ରେସ ନେତୃବୃନ୍ଦ, ଛାମୁଆ ସଂଗଠନ ଓ ଜିଲ୍ଲା ସଂଗଠନ ବନ୍ଦରେ ସାମିଲ୍ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେବା ସହ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ବନ୍ଦ ସମ୍ପର୍କରେ ସଚେତନତା ସୃ‌‌ଷ୍ଟି କରିବାକୁ ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଥିଲା।

ବନ୍ଦ ଡାକରାକୁ ଆଖି ଆଗରେ ରଖି ସମସ୍ତ ସ୍କୁଲ୍‌, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପୃଥକ ପୃଥକ ଭାବେ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ପରଦିନ ଅର୍ଥାତ ମଙ୍ଗଳବାର ସରସ୍ବତୀ ପୂଜାରେ ମଧ୍ୟ ସ୍କୁଲ୍‌ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ‌‌ଦେଇଛନ୍ତି।

ବନ୍ଦ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥି ପାଇଁ ପୁଲିସ୍‌ ପକ୍ଷରୁ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ସବୁ ଜିଲ୍ଲାରେ ଏସ୍‌ପିମାନେ ସତର୍କ ରହିବାକୁ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜଧାନୀରେ କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ସହରରେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବାକୁ ବ୍ୟବସ୍ଥା ହୋଇଛି।

ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନରେ ସବୁ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ ପରିଚୟପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ୧୦ଟା ୧୫ ସୁଦ୍ଧା ମୁଖ୍ୟ ଫାଟକ ବନ୍ଦ କରିଦିଆଯିବ। ବନ୍ଦ ସମୟ‌େର କୌଣସି ବାହାରର ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

Comments are closed.