ନୂଆପଡ଼ା-୨୭/୩ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଠାରୁ ଋଣ ନେଇ ଏବେ ଚିନ୍ତାରେ ଖଡ଼ିଆଳ ଅଞ୍ଚଳର ଅନେକ ପରିବାର । ପରିବାର ଗୁଡିକ ଏକାଧିକ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଠାରୁ ଋଣ ନେଇ ଏବେ ଅଡୁଆରେ ପଡି ଯାଇଛନ୍ତି । ଠିକ୍ ସମୟରେ ଋଣ ପରିଶୋଧ କରିବାରେ ଦେଖା ଦେଉଛି ସମସ୍ୟା । ଫଳରେ ପରିବାର ଗୁଡ଼ିକରେ ଦେଖା ଦେଉଛି ଅଶାନ୍ତିର ବାତାବରଣ । କେଉଁ ଠରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଛି ତ ପୁଣି କେଉଁଠି କିଏ ଲୁଚିଛପି ପରିବାର ସହ ଗାଁ ଛାଡ଼ି ଅନ୍ୟତ୍ର ରହୁଛନ୍ତି । ଋଣ ପରିଶୋଧ କରିବା ପାଇଁ ଦିନେ କି ଦୁଇଦିନ ସମୟ ମାଗିଲେ ସଂସ୍ଥାର କର୍ମଚାରୀଙ୍କ ଠାରୁ ଗାଳି ଓ ଭର୍ଶନା ଶୁଣିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ, ସଂସ୍ଥାର କର୍ମଚାରୀ ମାନେ ରାତ୍ରିରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଘର ସଂମ୍ମୁଖରେ ଡେରା ପକାଇ ବସି ରହୁଛନ୍ତି । ଯାହା ଫଳରେ ପରିବାର ଗୁଡିକରେ ସବୁ ସମୟରେ ଅଶାନ୍ତି ସୃଷ୍ଟି ହେଉଛି । ଅର୍ଥ ଲଗାଣକାରୀ ସଂସ୍ଥା ସବୁର ନିର୍ଯାତନା ଏଭଳି ଅସହ୍ୟ ହେଉଛି ଯେ ଅନେକ ସ୍ଥାନରେ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଝଗଡା ହୋଇ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି (ଅରେଡା ପଞ୍ଚାୟତରେ)। ବିଭିନ୍ନ ସଂସ୍ଥା ନିଜର ଟାର୍ଗେଟ ପୂରଣ କରିବା ପାଇଁ ଗାଁ ଗାଁକୁ ଯାଇ ମହିଳା ମାନଙ୍କୁ ଆଶା ଦେଖାଇ ପ୍ରଲୋଭିତ କରୁଛନ୍ତି । ଋଣ ପ୍ରଦାନ ସମୟରେ ବିଭିନ୍ନ ସୁବିଧା ସୁଯୋଗ ତଥା ବୀମା, ଝିଅ ବିବାହ ସମୟରେ ସହାୟତା, ରୋଗରେ ଆକ୍ରାନ୍ତ ହେଲେ ଚିକିତ୍ସା ସୁବିଧା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଋଣ ପ୍ରଦାନ କରୁଛନ୍ତି । ପ୍ରଥମେ ୫ ଜଣ କିମ୍ବା ୧୦ ଜଣ ମହିଳାଙ୍କୁ ଏକତ୍ର କରି ଏକ ସଂଘ ଗଠନ କରିବା ପରେ ସେମାନଙ୍କ ଠାରୁ ଆଧାର କାର୍ଡ, ଫଟୋ ଓ ବ୍ୟାଙ୍କ ପାସ୍ବୁକ୍ ନେଇ କାଗଜ ପତ୍ର ସଂଗ୍ରହ କରାଯାଉଛି । କିଛି ବ୍ୟକ୍ତି ମଧ୍ୟ ମଧ୍ୟସ୍ଥତା ସାଜି ମହିଳା ମାନଙ୍କୁ ସଂଗଠିତ କରି ସେମାନଙ୍କ ନାମରେ ଋଣ ଉଠାଉଛନ୍ତି । ଏହାର ଉଦାହରଣ ଦେଖିବାକୁ ମିଳିଛି ସରଧାପୁର, କିରିକିଟା ଓ ଡୁଆଝର, ରାଣୀମୁଣ୍ଡା ଗ୍ରାମର ମହିଳାଙ୍କ ମଧ୍ୟରେ ସେମାନେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଋଣ ପ୍ରଦାନ ପରେ ମଧ୍ୟସ୍ଥ ଗାଁ ଛାଡ଼ିବା ପରେ ମହିଳାମାନେ ଆକ୍ରୋଶର ଶିକାର ହେଉଛନ୍ତି । ଋଣ ପ୍ରଦାନ ପରେ ସେମାନଙ୍କ ଠାରୁ ସାପ୍ତାହିକ, ପାକ୍ଷିକ ଓ ମସିକିଆ ଋଣ ଅସୁଲ କରାଯାଉଛି । ଧାର୍ଯ୍ୟ ସମୟ ମଧ୍ୟରେ ମହିଳା ମାନଙ୍କଠାରୁ ଋଣ ଅସୁଲ ପାଇଁ କୁହାଯାଉଛି । ଏକାଧିକ ସଂସ୍ଥାଠାରୁ ଋଣ ନେବାଦ୍ଵାରା ଧାର୍ଯ୍ୟ ସମୟ ମଧ୍ୟରେ ପରିଶୋଧ କରି ନପାରିବା ବେଳେ ସଂସ୍ଥା କର୍ମଚାରୀ ମାନେ ନାନାଦି ଭର୍ଶନା କରି କଟୁ କଥା କହି ଅପମାନିତ କରୁଛନ୍ତି । ଯାହା ଫଳରେ ପରିବାର ଗୁଡିକ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ମଧ୍ୟ ଖଡ଼ିଆଳ ଏନ୍ଏସି ୯ ପରିବାର ସମେତ କିରିକିଟା ୫, ନେହେନା ୪, ସରଧାପୁର ୮, ବାଦୀ ୨, ରାଣୀମୁଣ୍ଡା ୧୦, ଡୁଆଝର ୭, ସୁନାରିସୀକୁଆ ୪, ବିରିଘାଟ ୮, ଲାଞ୍ଜି ୪, ଏପରି ଖଡ଼ିଆଳ ବ୍ଲକର ପଚାଶ ରୁ ଅଧିକ ପରିବାର ଗାଁ ଛାଡ଼ି ଲୁଚିଛପି ବାହାରେ ରହୁଥିବା ଚର୍ଚ୍ଚା ହେଉଛି । ଅନେକ ପରିବାର ଘର ଜମି ବିକ୍ରୟ କରି ସାରିଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଖଡ଼ିଆଳ ସହର ମଧ୍ୟରେ ପନ୍ଦର ରୁ ଅଧିକ ଅର୍ଥ ଲଗାଣକାରୀ ସଂସ୍ଥା ସ୍ପନ୍ଦନା, ଉତ୍କର୍ଷ, ବନ୍ଧନ, ଅର୍ଣ୍ଣପୁର୍ଣ୍ଣ।, ଫ୍ୟୁଜନ, ଏସକେଏସ, ଏସଡିବି, ଏକ୍ସସିସ, ସମସ୍ତା, ବିପୁଳ ଫର୍ମ, ୟୁନିଟି, ଭେକ୍ଟର, ସମ୍ପୂର୍ଣ୍ଣ।, ଆଶୀର୍ବାଦ, ଗ୍ରାମୀଣ କୋଟା, ଆରୋହଣ, ଏପରି ଅନେକ ଘରୋଇ ଅର୍ଥ ଲଗାଣ ସଂସ୍ଥା ଛତୁ ଫୁଟିବା ଭଳି ଖଡ଼ିଆଳ ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିଛନ୍ତି । ହେଲେ ପ୍ରଶାସନ ନିକଟରେ ଏନେଇ କୌଣସି ସୂଚନା ନାହିଁ କି ଏହାର କୌଣସି ତଦାରଖ କରାଯାଉ ନାହିଁ । କିଛି ସଂସ୍ଥା ଆର୍ବିଆଇ ନିୟମ ଆଧାରରେ ଋଣ ଲଗାଣ କରୁଥିବା ବେଳେ ଆଉକିଛି ସଂସ୍ଥା ଅନେକ ନିୟମ ଉଲଂଘନ କରି ଋଣ ଲଗାଣ କରିବା ସହ ଜୁଲମ୍ କରୁଥିବାର ଅଭିଯୋଗ ହେଉଛି । ହେଲେ ପ୍ରଶାସନ ନିରବ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏଦିଗରେ ବିଶେଷ କରି ଜିଲ୍ଲା ପୁଲିସ ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।