ନୂଆପଡ଼ା ୧୩/୩ (ସୁରେନ୍ଦ୍ର ତିୱାରୀ) ସରକାର ଯୋଜନା ଉପରେ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିର୍ମଳ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଲାଭଖୋର ଓ ଅସହଯୋଗ ମନୋବୃତି ଯୋଗୁଁ ଜନସାଧାରଣ ସେହି ଯୋଜନା ଗୁଡ଼ିକର ଲାଭ ପାଇ ନପାରି କୂଅ ଖୋଲି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ । ଏହି କେନ୍ଦୁଗୁଡା ଗ୍ରାମ ପ୍ରତ୍ୟେକ ବର୍ଷ ପାଣି ସମସ୍ୟାରେ ଗତିକରେ କାରଣ ଗ୍ରାମ ସମ୍ପୂର୍ଣ୍ଣ ପଥର ଚଟାଣ ଓ ମୁରୁମ ମାଟି ଉପରେ ଅବସ୍ଥିତ । ତେଣୁ ଗ୍ରାମର ଯେଉଁଠାରେ ନଳକୁଅ ଖୋଲିଲେ ସେହି ନଳକୁଅ ମାନଙ୍କରୁ ଶତ ପ୍ରତିଶତ ଫ୍ଲୋରାଇଡ ଯୁକ୍ତ ପାଣି ବାହାରେ । ଫଳରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ସେହି ନଳକୁଅ ମାନଙ୍କର ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଲାଲ ଛକି ଚିହ୍ନ ଦିଆଯାଇଛି । ଫ୍ଲୋରାଇଡି ପାଣି ପିଇ ଏହି ଗ୍ରାମର ଲୋକମାନେ ବିଗତ ବର୍ଷ ଗୁଡିକରେ ନାନାଦି ରୋଗର ଶିକାର ହୋଇଥିଲେ । ଗ୍ରାମ ବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୨୦୨୧ ମସିହାରେ କେନ୍ଦୁଗୁଡା ଗ୍ରାମକୁ ଜଳ ଯୋଗାଣ ଯୋଜନାରେ ସାମିଲ କରି ପଚିଷ ଲକ୍ଷ ଟଙ୍କାର ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ପାଣି ଟାଙ୍କି ଅଛି, ଷ୍ଟାମ୍ପ ପୋଷ୍ଟ ଅଛି, ସୋଲାର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଅଛି ଓ ଚାରିଟି ନଳକୁଆ ଅଛି ହେଲେ ଗୋଟିଏ ଚାଲୁଛି । ହେଲେ ଜଳ ଓ ପରିମଳ ବିଭାଗର ଭୁଲ ଯୋଜନା ଯୋଗୁଁ ଗ୍ରାମବାସି ପାଣି ପାଇପାରୁ ନାହାଁନ୍ତି । ଲକ୍ଷ ଲକ୍ଷ ଟଙ୍କାର ଜଳ ଯୋଗାଣ ଯୋଜନା ଥାଇମଧ୍ୟ ନଥିଲା ପରି ପାଣି ସମସ୍ୟାରେ ଅଛନ୍ତି ଗ୍ରାମବାସୀ । ପିଇବା ପାଣିର ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ବର୍ଷ ଗ୍ରାମଠାରୁ ଏକ କିଲୋମିଟର ଦୂରରେ ଜଙ୍ଗଲ ଘେରା ମଧ୍ୟରେ ଥିବା ପରିତ୍ୟକ୍ତ ପୋଖରୀ ପାର୍ଶ୍ୱରେ ଛୋଟ କୂଅ ଖୋଲି ସେହି କୂଅରୁ ବହୁ କଷ୍ଟରେ ପାଣି ସଂଗ୍ରହ କରି ପାଣି ପିଉଛନ୍ତି । ବର୍ଷା ଦିନେ ନାଳ ଓ ଝରଣା ପାଣି ପିଉଥିବା ବେଳେ ଗ୍ରୀଷ୍ମଋତୁରେ ଝରଣା ପାଣି ଶୁଖିଯାଏ । ଫଳରେ ପୋଖରୀ ପାର୍ଶ୍ୱରେ କୂଅ ଖୋଲି ବହୁ କଷ୍ଟରେ ପାଣି ସଂଗ୍ରହ କରି ପିଉଛନ୍ତି । ଗ୍ରୀଷ୍ମ ଋତୁରେ କୂଅ ଖୋଲିଲେ ମଧ୍ୟ କମ ପାଣି ବାହାରେ ତେଣୁ ପାଣି ପାଇଁ ଭୋର ସକାଳରୁ ଦିନ ବାର ଘଣ୍ଟା ଓ ସନ୍ଧ୍ୟା ସମୟରେ ପାଣି ନେବାପାଇଁ ମହିଳା ମାନଙ୍କ ଭିଡ ଜମିରହେ । ପାଣି ସଂଗ୍ରହ କରୁଥିବା କୂଅରୁ ଅନେକ ସମୟରେ ସରୀସୃପ, ସାପ, ବେଙ୍ଗ, ତଥା କୀଟ ପାତଙ୍ଗ ବାହାରେ ତାହାକୁ ସଫା କରି ଜୀବନକୁ ମରଣ ମୁହଁରେ ପକାଇ ପାଣି ବ୍ୟବହାର କରାଯାଏ । ଏଥି ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ପାଣି ଯୋଗାଇ ଦିଆଯିବ ପାଇଁ ସଧାରଣ ରେ ଦାବୀ ହେଉଛି।