ଆସୁଛି ମାରାଗୁଡା ଲୋକ ମହୋତ୍ସବ- ୨୦୨୫ : ପ୍ରଚାର ପ୍ରସାର କମିଟୀର ସ୍ଵତନ୍ତ୍ର ବୈଠକ , କାର୍ଯ୍ୟକ୍ରମକୁ ତୃଣମୂଳସ୍ତରକୁ ନିଆଯିବ
ନୂଆପଡା -୧୨/୩ (ସୁରେନ୍ଦ୍ର ତିୱାରୀ) ଦୀର୍ଘ ୧୧ବର୍ଷର ଅନ୍ତରାଳରେ ନୂଆପଡା ଜିଲ୍ଲା ପ୍ରତିଷ୍ଠା ଦିବସ ଅର୍ଥାତ ମାରାଗୁଡା ଲୋକ ମହୋତ୍ସବ ପାଳନ ହେବାକୁ ଯାଉଥିବାବେଳେ ଏଥିସକାଶେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହିକ୍ରମରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘ(ଜାନ)ର ସଭାପତି ଘନଶ୍ୟାମ ଭୋଇ, ଏନଜେଡଏସଏସ ତରଫରୁ ସୁରେନ୍ଦ୍ର ପ୍ରସାଦ ତିୱାରୀ, ଲୋକନାଥ ମହାପାତ୍ର, ସ୍ଵେଚ୍ଛାସେବୀ ସଂଗଠନ ପରଦାର ନିର୍ଦ୍ଦେଶକ ରୁଦ୍ରଚରଣ ପଟ୍ଟନାୟକ, କୋଶଲୀ ଭାଷାର ଗବେଷଣା ପ୍ରତିଷ୍ଠାନର ସୁରଜିତ ସିଂ ମହାରଥା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଆଗକୁ କିପରି ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରାଯିବ ସେ ଉପରେ ପ୍ରସ୍ତାବ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏପ୍ରିଲ ୧ରୁ ୫ତାରିଖ ଯାଏଁ ପାଞ୍ଚ ଦିନ ଧରି କରାଯିବ । ଏଥିରେ ପଲ୍ଲିଶ୍ରୀ ମେଳା ମଧ୍ୟ ସଂଲଗ୍ନ କରାଯିବ । ତେଣୁ ମହୋତ୍ସବର କଳା, ସଂସ୍କୃତି, ପରମ୍ପରାକୁ ଲୋକାଭିମୂଖୀ କରିବାକୁ ଜିଲ୍ଲାସାରା ବ୍ୟାନର ପୋଷ୍ଟର ମରାଯିବା ସହ ସମସ୍ତ ୧୩୧ଗୋଟି ପଞ୍ଚାୟତକୁ ଗୋଟିଏ ନେଟଓ୍ୱାର୍କରେ ରଖାଯିବାକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମ ଆଗରୁ ଜିଲ୍ଲାବ୍ୟାପି ୫ଗୋଟି ପ୍ରଚାର ରଥ ପରିକ୍ରମା କରିବ, ବିଦ୍ୟାଳୟ ଗୁଡିକରେ ମାରାଗୁଡାକୁ ନେଇ କୁଇଜ, ବିତର୍କ ପ୍ରତିଯୋଗୀତା କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଗ୍ରାମସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଗୁଡିକର ପ୍ରୟୋଗ କରାଯିବାକୁ କୁହାଯାଇଛି।