ନୂଆପଡା-୧୭/୨ (ସୁରେନ୍ଦ୍ର ତିୱାରୀ) : ଗମନାଗମନ ସୁବିଧା ନଥିଲେ କୌଣସି ଅଞ୍ଚଳ ର ଉନ୍ନତି ହୋଇ ପାରେ ନାହିଁ। ସେଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ରୁ ଗାଁକୁ ଓ ଗାଁ ରୁ ସହର ମଧ୍ୟରେ ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପକ୍କା ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ ଏବେ ମଧ୍ୟ ଅନେକ ଗାଁ ଅଛି ଯେଉଁଠି ପକ୍କା ରାସ୍ତା ଖଣ୍ଡେ ନାହିଁ। ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ଏମିତି ଏକ ସମସ୍ୟା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ନାଗ ପଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଏ ପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ହୋଇ ପାରିନି। ଏହି ଗ୍ରାମ ପଞ୍ଚାୟତର ଝରଣା ମାଲ ଠାରୁ ନାଗ ପଡ଼ା ପର୍ଯ୍ୟନ୍ତ ଦୀର୍ଘ ଚାରି ପାଞ୍ଚ କିଲୋମିଟର ଭଲ ରାସ୍ତା ଖଣ୍ଡେ ନାହିଁ। ଯେଉଁ ରାସ୍ତା ଟିଏ ଅଛି ତାହା ଖାଲି ବଡ଼ ବଡ଼ ପଥର/ମେଟାଲ ରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳେ।ଏହି ରାସ୍ତା ଦେଇ ବୋଲଧା, ଝରଣା ମାଲ, ଭୂଇଁ ପାଣି, ଛୁଇଁ ପାଣି ଆଦି ଗ୍ରାମର ଶହ ଶହ ଲୋକେ ନାଗ ପଡ଼ା ଗ୍ରାମ ପଞ୍ଚାୟତ ଓ ବୋଡ଼େନ ବ୍ଲକ କାର୍ଯ୍ୟାଳୟ କୁ ଦୈନନ୍ଦିନ ଯିବାଆସିବା କରି ଥାନ୍ତି । ବିଶେଷ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ ଚାଉଳ, ଭତ୍ତା ଆଦି ପାଇଁ ବୃଦ୍ଧ ବୃଦ୍ଧା ଙ୍କୁ ଯିବାକୁ ପଡ଼େ। ପଥୁରିଆ ରାସ୍ତାରେ ବୃଦ୍ଧ ବୃଦ୍ଧା ମାନେ ନାହିଁ ନଥିବାର ଅସୁବିଧା ଭୋଗ କରନ୍ତି। ଏହି ରାସ୍ତା ଦେଇ ଅନେକ ଛାତ୍ର ଛାତ୍ରୀ ମଧ୍ୟ ସ୍କୁଲ କଲେଜ କୁ ପାଠ ପଢିବା ପାଇଁ ଦୈନନ୍ଦିନ ଯିବା ଆସିବା କରିଥାନ୍ତି। ଉକ୍ତ ରାସ୍ତା ଟି ଖାଲଖମା ରେ ଭର୍ତ୍ତି ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଏହି ରାସ୍ତା ଦୀର୍ଘ ବର୍ଷରୁ ନିର୍ମାଣ ହୋଇ ପାରିନି।ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଉଥିବା ନେତା ମାନେ ଜିତିଲା ପରେ ସମ୍ପୂର୍ଣ ଭୁଲି ଯାଆନ୍ତି ବୋଲି ଅଞ୍ଚଳ ବାସୀଙ୍କ ଅଭିଯୋଗ। ରାସ୍ତା ଖଣ୍ଡେ ପାଇଁ ଦୀର୍ଘ ବର୍ଷରୁ ଅଞ୍ଚଳ ବାସୀ ପ୍ରଶାସନର ଦ୍ବାରସ୍ଥ ହେଉଛନ୍ତି କିନ୍ତୁ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନାହିଁ। ଏନେଇ ବୋଡ଼େନ ବିଡ଼ିଓ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳ ଙ୍କ ଅଧିନରେ ରାସ୍ତା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଯାଇଛି ଓ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପକ୍କା ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l