ନୂଆପଡ଼ା -୬/୨(ସୁରେନ୍ଦ୍ର ତିୱାରୀ) : ଜିଲ୍ଲା ସ୍ବାସ୍ଥ୍ୟ ସମିତି, ନୂଆପଡ଼ା ଆନୁକୁଲ୍ୟରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମାକାନ୍ତ ମେହେର, ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ସମସ୍ତ ଏନଏସି ର ଇ.ଓ., ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ଗଣ ଯୋଗ ଦେଇଥିଲେ l ଆସନ୍ତା ୧୦ ଫେବୃୟାରୀ ୨୦୨୫ ତାରିଖ ଦିନ ଜାତୀୟ ସ୍ତରରେ କୃମିନାଶକ ଦିବସ ପାଳନ କରାଯିବ । ଯେଉଁମାନେ ୧୦ ତାରିଖ ଦିନ ଔଷଧ ଖାଇବାରୁ ବଞ୍ଚିତ ରହିବେ ତାଙ୍କୁ ୧୭ ଫେବୃଆରୀରେ ମପ ଅପ ରାଉଣ୍ଡରେ ଔଷଧ ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ୧ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ର ୨,୦୪୯୨୬ ଜଣ ଶିଶୁ ଓ କିଶୋର ହିତାଧିକାରୀ ଆଲବେଣ୍ଡାଜୋଲ ଔଷଧ ଖାଇବେ । ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୭,୭୫୦ ଜଣ ପ୍ରଜନନକ୍ଷମ ମହିଳା ମଧ୍ଯ ଏହି ଔଷଧ ଖାଇବେ। ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ । ଜିଲ୍ଲାର ସମସ୍ତ ସରକାରୀ , ସାହାଯ୍ୟପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ /ମହାବିଦ୍ୟାଳୟ ଓ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ମାଗଣାରେ ପ୍ରଦାନ କରିବାର ସୁବ୍ୟବସ୍ଥା କରାଯିବ। କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଓ ସୁଚାରୁ ସମ୍ପାଦନ ପାଇଁ ସମସ୍ତ ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶାକର୍ମୀ ତଥା ଅଙ୍ଗନବାଡ଼ି କର୍ମୀଙ୍କୁ ଆବଶ୍ୟକ ତାଲିମ ସହ ଔଷଧ ସେବନ କରାଇବାକୁ ନିୟୋଜିତ କରାଯାଇଛି l ଏହି ଅବସରରେ ଜିଲ୍ଲାକୁ ସମ୍ପୂର୍ଣ କୃମିମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ, ଶିକ୍ଷକ,ଅଭିଭାବକ, ଜନସାଧାରଣ ତଥା ଗଣମାଧ୍ଯମ ପ୍ରତିନିଧି ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ ।